ମହିଳା ଆଇନଜୀବୀଙ୍କୁ ଦୁଷ୍କର୍ମ କରିବା ଅପରାଧରେ ବିଚାରପତି ଗିରଫ

ହାଇଦ୍ରାବାଦ: ଜନୈକା ମହିଳା ଆଇନଜୀବୀଙ୍କୁ ଦୁଷ୍କର୍ମ କରିବା ଅପରାଧରେ ତେଲେଙ୍ଗାନା ସୂର୍ଯ୍ୟାପେଟ ଜିଲ୍ଲାର ଜୁନିୟର ସିଭିଲ୍‌ ଜଜ୍‌ ପୁଲିସ୍‌ ହାତରେ ଗିରଫ ହେବା ଘଟଣାକୁ କେନ୍ଦ୍ରକରି ସଂପ୍ରତି ଦେଶ ବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ସୂର୍ଯ୍ୟପେଟା ଜିଲ୍ଲା ଜୁନିୟର ସିଭିଲ ଜଜ୍‌ ସତ୍ୟନାରାୟଣାଙ୍କ କୋର୍ଟରେ ଓକିଲାତି କରୁଥିବା ଜନୈକା ମହିଳା ଆଇନଜୀବୀଙ୍କୁ ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଜ୍‌ ସତ୍ୟନାରାୟଣା ତାଙ୍କୁ ଦୀର୍ଘ ଦିନ ଧରି ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ କରି ଚାଲିଥିଲେ। ତେବେ, ଜଜ୍‌ ସତ୍ୟନାରାୟଣାଙ୍କ ଯୌନ ନିର୍ଯାତନା କ୍ରମେ ଅସହ୍ୟ ହେବାରୁ ମହିଳା ଆଇନଜୀବୀ ଜଣକ ଶେଷରେ ଅନୋନ୍ୟପାୟ ହୋଇ ଜଜ୍‌ ସତ୍ୟନାରାୟଣାଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍‌ ମହିଳା ଆଇନ୍‌ଜୀବୀଙ୍କ ଅଭିଯୋଗ ଉପରେ ଦୁଷ୍କର୍ମ, ଠକେଇ, ମିଥ୍ୟା ପ୍ରତିଶ୍ରୁତି ଓ ନିର୍ଯାତନା ଆଦି ଦଫା ଲଗାଇ ଜୁନିୟର ସିଭିଲ୍‌ ଜଜ୍‌ ସତ୍ୟନାରାୟଣାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ।

ତଦନ୍ତ କାଳରେ ମହିଳା ଆଇନ୍‌ଜୀବୀ ଜୁନିୟର ସିଭିଲ ଜଜ୍‌ ସତ୍ୟନାରାୟଣାଙ୍କ ବିରୋଧରେ ଆଗତ କରିଥିବା ଅଭିଯୋଗରେ ଆପାତଃ ପ୍ରମାଣଯୋଗ୍ୟ ସତ୍ୟତା ରହିଥିବା ଜାଣିବାକୁ ପାଇଥିଲେ ତଦନ୍ତକାରୀ ପୁଲିସ୍‌। ଏହାପରେ ପୁଲିସ୍‌ ମହିଳା ଆଇନ୍‌ଜୀବୀଙ୍କୁ ଦୁଷ୍କର୍ମ କରିବା ଅପରାଧରେ ଅଭିଯୁକ୍ତ ଜୁନିୟର ସିଭିଲ ଜଜ୍‌ ସତ୍ୟନାରାୟଣାଙ୍କୁ ଗିରଫ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତେବେ, ଅଭିଯୁକ୍ତ ଜଣେ ବିଚାରପତି ହୋଇଥିବା କାରଣରୁ ତାଙ୍କୁ ସିଧାସଳଖ ହାଇଦ୍ରାବାଦ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯିବ ବୋଲି ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି। ଏବେବି ମହିଳା ଆଇନ୍‌ଜୀବୀଙ୍କ ପକ୍ଷରୁ ଆଗତ ଅଭିଯୋଗ ଉପରେ ପୁଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର