ଦାୟିତ୍ବହୀନତା: ଫ୍ରାନ୍ସରୁ ଫେରିବା ପରେ କ୍ବାରେଣ୍ଟାଇନରେ ନ ରହି ବିବାହ କଲେ ଯୁବକ, ୧,୦୦୦ ଅତିଥିଙ୍କୁ ଡାକିଲେ
ହାଇଦ୍ରାବାଦ୍: ଭାରତ ସମେତ ବିଶ୍ବର ଏକାଧିକ ଦେଶରେ ଏବେ କରୋନାକୁ ନେଇ ଆଶଙ୍କିତ ବାତାବରଣ ସୃଷ୍ଟି ହୋଇଛି। ଦେଶବାସୀ ସରକାରଙ୍କ କଥା ମାନି ଏବେ ସତର୍କ ରହୁଥିବା ସହ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧି ଘରୁ ବାହାରୁଥିବା ଦେଖାଯାଉଛି। ଅନ୍ୟ ପକ୍ଷରେ ବିଦେଶରୁ ଫେରୁଥିବା ଲୋକଙ୍କୁ ସରକାର କ୍ବାରେଣ୍ଟାଇନରେ ରଖିବାର ବ୍ୟବସ୍ଥା କରିଥିବା ବେଳେ ସେଠାରେ ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ ରଖାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ହେଲେ ତେଲେଙ୍ଗାନାର ଜଣେ ଯୁବକ ଫ୍ରାନ୍ସରୁ ଫେରିବା ପରେ କ୍ବାରେଣ୍ଟାଇନରେ ନରହି ୧,୦୦୦ଲୋକଙ୍କୁ ଡ଼ାକି ବିବାହ କରିଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଫ୍ରାନ୍ସରେ ବର୍ତ୍ତମାନ କରୋନାକୁ ନେଇ ପରିସ୍ଥିତି ଗମ୍ଭୀର ଥିବା ବେଳେ ୧,୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି। ସେଭଳି ଦେଶରୁ ଫେରିବା ପରେ ନିଜକୁ କ୍ବାରେଣ୍ଟାଇନରେ ରଖିବା ପରିବର୍ତ୍ତେ ବିବାହ ଭଳି କାର୍ଯ୍ୟର ଆୟୋଜନ କରିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ବିବାହ ଖବର ସାମ୍ନାକୁ ଆସିବା ପରେ ଏବେ ତାଙ୍କର ବିବାହ ଭୋଜିକୁ ସ୍ଥଗିତ କରିଦିଆଯିବା ସହ ତାଙ୍କୁ କ୍ବାରେଣ୍ଟାଇନକୁ ପଠାଯାଇଛି।
ସୂଚନା ମୁତାବକ, ମାର୍ଚ୍ଚ ୧୨ରେ ଯୁବକଜଣଙ୍କ ନିଜର ଜଣେ ବନ୍ଧୁଙ୍କ ସହ ଭାରତ ଫେରିଥିଲେ। ଏବେ ଦୁହିଁଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ଜଣା ପଡ଼ିଛି। ତେବେ ଫ୍ରାନ୍ସ ଭଳି ଦେଶରୁ ଆସି ବିବାହ କରିଥିଲେ ମଧ୍ୟ କରୋନା ସଂକ୍ରମଣକୁୁ ରୋକିବା ପାଇଁ ଯୁବକଜଣଙ୍କ କୌଣସି ପଦକ୍ଷେପ ନେଇ ନ ଥିଲେ। ଆସିଥିବା କୌଣସି ଅତିଥି ମାସ୍କ ପିନ୍ଧି ନଥିବା ଦେଖାଯାଇଥିଲା।।