ସମୁଦ୍ରପଟୁ ପଶିବେ ଆତଙ୍କବାଦୀ! ଗୋଆରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ସମୁଦ୍ର ପଥ ବ୍ୟବହାର କରି ଭାରତ ମଧ୍ୟକୁ ପ୍ରବେଶ କରିବା ଯୋଜନା କରିଛନ୍ତି। ସମୁଦ୍ର ପଥରେ ଗୋଆ ଆସି ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିବା ସଂପର୍କିତ ଯୋଜନା ନେଇ ଗୁଇନ୍ଦା ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ ମିଳିଛି। ଏହି ଖବର ଜଣାପଡ଼ିବା ପରେ ଆଜି ହାଇ-ଆଲର୍ଟ ଜାରି କରାଯାଇଛି। ଗୋଆ ସମେତ ମୁମ୍ବାଇ ଏବଂ ଗୁଜରାଟ୍‌ରେ ମଧ୍ୟ ସୁରକ୍ଷା ପଦକ୍ଷେପ କଡ଼ାକଡ଼ି କରାଯାଇଛି। ଏକ ମାଛଧରା ଟ୍ରଲରରେ ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରିବାକୁ ଯୋଜନା କରିଛନ୍ତି ବୋଲି ରାଜ୍ୟ ବନ୍ଦର ମନ୍ତ୍ରୀ ଜୟେଶ ସଲ୍‌ଗାଓନକାର କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ବିଭାଗ ଦ୍ୱାରା ସମସ୍ତ ଅଫ୍‌ ସୋର୍‌ କ୍ୟାସିନୋ, ଓ୍ଵାଟର ସ୍ପୋର୍ଟସ ଅପରେଟରମାନଙ୍କୁ ସର୍ବାଧିକ ସତର୍କ ରହିବାକୁ କୁହାଯାଇଛି। ପଶ୍ଚିମ ଉପକୂଳରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଆଜି ଭାରତୀୟ ତଟରକ୍ଷୀ ବାହିନୀ ମଧ୍ୟ ପାଟ୍ରୋଲିଂ କଡ଼ାକଡ଼ି କରିଛନ୍ତି। ମୁମ୍ବାଇ ଏବଂ ଗୁଜରାଟ ଉପକୂଳରେ ସନ୍ଦେହଜନକ ଗତିବିଧି ଉପରେ ଗୁଇନ୍ଦା ବିଭାଗ ସତର୍କ ନଜର ରଖିଛି। ପାକିସ୍ତାନ ଦ୍ୱାରା ଜବତ ହୋଇଥିବା ଭାରତର ଏକ ମାଛଧରା ଟ୍ରଲର କରାଚିରୁ ମୁକ୍ତ ହେବାପରେ ତାହା ଏବେ ଭାରତ ଫେରୁଛି ଏବଂ ଏଥିରେ ଆତଙ୍କବାଦୀ ଆସୁଥିବା ଆଶଙ୍କା ରହିଛି। କରାଚିରେ ଥିବା ଭାରତୀୟ ମାଛଧରା ଜାହାଜ ଯେ କୌଣସି ସମୟରେ ଆସି ଭାରତୀୟ ଉପକୂଳରେ ପହଞ୍ଚିପାରେ। ରାଜ୍ୟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରାଯାଇଛି। କୌଣସି ସନ୍ଦେହଜନକ ଗତିବିଧି ଲକ୍ଷ୍ୟ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ହୋଇଛି ।

ସମ୍ବନ୍ଧିତ ଖବର