ନିଜକୁ ଭଗବାନ ବିଷ୍ଣୁଙ୍କର କଳକୀ ଅବତାର କହୁଥିବା ବାବାଙ୍କ ଆଶ୍ରମରେ ଆୟକର ବିଭାଗର ଚଢଉ, ୪୦୯ କୋଟି ଟଙ୍କାର ସଂପତ୍ତି ଠାବ

ବାଙ୍ଗାଲୁରୁ : ନିଜକୁ ଭଗବାନ ବିଷ୍ଣୁଙ୍କର ୧୦ମ ଅବତାର ‘କଳକୀ’ କହୁଥିବା ବିବାଦୀୟ ଧର୍ମଗୁରୁ କଳକୀ ଭଗବାନଙ୍କ ଆଶ୍ରମରୁ ଆୟକର ବିଭାଗ ୯୩ କୋଟିର  ନଗଦ ଟଙ୍କା ସହ ମୋଟ ୪୦୯ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସନ୍ଧାନ ପାଇଛି । ଏହା ମଧ୍ୟରେ ନଗଦ ୨.୫ ନିୟୁତ ମୂଲ୍ୟର ଆମେରିକୀୟ ଡଲାର ମଧ୍ୟ ଜବତ ହୋଇଛି ।

ଆୟକର ବିଭାଗ ପକ୍ଷରୁ ଆଜି ଏକାସମୟରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ବିଭିନ୍ନ ସ୍ଥାନରେ ଥିବା ୪୦ଟି ଆଶ୍ରମରେ ଚଢଉ କରାଯାଇଥିଲା । ଚେନ୍ନାଇ,ହାଇଦ୍ରାବାଦ, ବେଙ୍ଗୁରୁରୁ ଓ ମୁଖ୍ୟ ଆଶ୍ରମ ଥିବା ତାମିଲନାଡୁ-ଆନ୍ଧ୍ର ସୀମା ନିକଟସ୍ଥ ବରଦାଇପାଲେମଠାରେ ଚଢଉ କରାଯାଇଥିଲା ।

ୱାନନେସ୍ ୟୁନିଭର୍ସିଟି ପ୍ରତିଷ୍ଠା କରି ଏହା ମାଧ୍ୟମରେ ଏକତ୍ବବାଦର ପ୍ରଚାର-ପ୍ରସାର ଲାଗି ଧର୍ମଗୁରୁଙ୍କ ସଂସ୍ଥା ୧୯୮୦ ମସିହାରେ ଆରମ୍ଭ ହୁଏ । ପରବର୍ତ୍ତୀକାଳରେ ଏହି ସଂସ୍ଥାର ଲୋକପ୍ରିୟତା ବୃଦ୍ଧି ପାଇବା ସହ ଏହା ରିଅଲ ଇଷ୍ଟେଟ, କ୍ରୀଡା, ଶିକ୍ଷା ଆଦି କ୍ଷେତ୍ରରେ ପ୍ରବେଶ କରେ ।

ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ସଂସ୍ଥା ନିୟମିତ ଭାବେ ନିଜର ଆୟ ଓ ଭକ୍ତଙ୍କଠାରୁ ମିଳୁଥିବା ଦାନରୁ ଗୋପନ ରଖିଆସୁଥିଲା ।

ସମ୍ବନ୍ଧିତ ଖବର