ଆମେରିକା ଚାପ ନୁହେଁ ଆଉ ଏକ କାରଣରୁ ପରମାଣୁ ପରୀକ୍ଷା ବନ୍ଦ କରିଛି ଉତ୍ତରକୋରିଆ, ତାହା କଣ ଜାଣନ୍ତୁ

ବେଜିଂ : ପରମାଣୁ ପରୀକ୍ଷା ବନ୍ଦ କରିବା କଥା ଘୋଷଣା କରିଥିବା ଉତ୍ତରକୋରିଆ ଶାସକ କିମ ଜଙ୍ଗ ଉନ୍‌ ପ୍ରକୃତରେ ବିଶ୍ୱକୁ ଭୁଆଁ ବୁଲାଉଥିବା ଆଲୋଚନା ହେଉଛି । କାରଣ ମଣ୍ଟାପ ପର୍ବତ ପାଖରେ ଯେଉଁ ସ୍ଥାନରେ ଉତ୍ତରକୋରିଆ ପରମାଣୁ ପରୀକ୍ଷା କରିଥାଏ ତାହା ଏବେ ବିପଦ ସଂକୁଳ ଅବସ୍ଥାରେ ଅଛି । ଗତ ବର୍ଷ ଏକ ବୃହତ୍‌ ବୋମା ବିସ୍ଫୋରଣ ପରେ ଏହି ପରମାଣୁ ପରୀକ୍ଷା କେନ୍ଦ୍ରଟିର କିଛି ଅଂଶ ଭୁଷୁଡ଼ି ପଡିଥିଲା । ଫଳରେ ଏବେ ଏଥିରେ ପରମାଣୁ ପରୀକ୍ଷା କରିବା ବିପଦ ବରଣ କରିବା ସହିତ ସମାନ । ଆଉ ଏପରି ଏକ ପରୀକ୍ଷଣ କେନ୍ଦ୍ର ସ୍ଥାପନ କରିବାକୁ ଉତ୍ତରକୋରିଆକୁ ଆଉ କିଛି ବର୍ଷ ଲାଗିଯିବ । ଚୀନର ଗୁଇନ୍ଦା ସଂସ୍ଥା ଓ ଭୂକମ୍ପ ବିଶେଷଜ୍ଞମାନେ ମଧ୍ୟ ଏହି ଖବର ସତ ବୋଲି ସ୍ୱୀକାର କରିଛନ୍ତି ।
ଉତ୍ତର କୋରିଆ ଆଉ ପରମାଣୁ ପରୀକ୍ଷା କିମ୍ବା ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିବ ନାହିଁ ବୋଲି ଗତ ସପ୍ତାହରେ ଶାସକ କିମ୍ ଜଙ୍ଗ ଉନ୍ ଘୋଷଣା କରିଥିଲେ । ଏହାକୁ ନେଇ ସାରା ବିଶ୍ୱ ଚକିତ ହୋଇଯାଇଥିଲା । ଏହାକୁ ଆମେରିକା, ରୁଷ୍, ଚୀନ୍ ଏବଂ ଦକ୍ଷିଣ କୋରିଆ ସ୍ୱାଗତ କରିଛନ୍ତି। ପୋଙ୍ଗୟାଙ୍ଗ୍ର ପରମାଣୁ କ୍ଷମତାର ପରୀକ୍ଷା ହୋଇସାରିଛି ଏବଂ ଏବେ ଆଉ କୌଣସି ପରୀକ୍ଷଣର ଆବଶ୍ୟକତା ନାହିଁ ବୋଲି ଉନ୍ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର