ଜମ୍ମୁର ଫାଷ୍ଟଟ୍ରାକ୍‌ କୋର୍ଟରେ ଆରମ୍ଭ ହେଲା କଠୁଆ ନାବାଳିକା ଅପହରଣ, ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର

ଘଟଣାରେ ସଂପୃକ୍ତ ବାଳ ଅପରାଧୀର ବିଚାର କରିବେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ

ଜମ୍ମୁ: ବହୁ ଚର୍ଚ୍ଚିତ କଠୁଆ ନାବାଳିକା ଅପହରଣ, ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାରପ୍ରକ୍ରିୟା ଆଜି ଠାରୁ ଜମ୍ମୁର ଏକ ଫାଷ୍ଟଟ୍ରାକ୍‌ ଟ୍ରାଏଲ କୋର୍ଟରେ ଆରମ୍ଭ ହୋଇଛି। ଏକ ୮ବର୍ଷ ବୟସ୍କା ନାବାଳିକାକୁ ଅପହରଣ, ଗଣଦୁଷ୍କର୍ମ ଓ ହତ୍ୟା କରିବା ଅପରାଧରେ ସଂପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଜମ୍ମୁ କଶ୍ମୀର ପୁଲିସ ଗିରଫ କରିବା ସହ ଗତ ସପ୍ତାହରେ ସେମାନଙ୍କ ବିରୋଧରେ ଚାର୍ଜସିଟ୍‌ କୋର୍ଟରେ ଦାଖଲ କରିଥିଲା।

ଏହି ୮ ଜଣ ଅଭିଯୁକ୍ତ ପ୍ରଥମେ ନାବାଳିକାଟିକୁ ଅପହରଣ କରିବା ପରେ ତାକୁ ଏକ ଗ୍ରାମ୍ୟ ମନ୍ଦିର ମଧ୍ୟରେ ବନ୍ଦୀ କରିଥିଲେ। ପରେ ଅଭିଯୁକ୍ତମାନେ ଦୀର୍ଘ ଏକ ସପ୍ତାହ ଧରି ନାବାଳିକାଟିକୁ ଅତ୍ୟନ୍ତ ଅମାନୁଷିକ ଓ ନିର୍ଦ୍ଦୟ ଭାବେ ଗଣଦୁଷ୍କର୍ମ କରିବା ପରେ ନାବାଳିକାଟିକୁ ଜଙ୍ଗଲ ମଧ୍ୟକୁ ଟେକିନେଇ ହତ୍ୟା କରିଥିଲେ ବୋଲି ଘଟଣାର ତଦନ୍ତ ପରେ ପୁଲିସ ପ୍ରସ୍ତୁତ କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି।


ତେବେ, ଏହି ଜଘନ୍ୟ ଅପରାଧରେ ସଂପୃକ୍ତ ୮ ଜଣ ଅଭିଯୁକ୍ତ ଅପରାଧୀମାନଙ୍କ ମଧ୍ୟରୁ ୭ ଜଣ ସାବାଳକ ଥିବାବେଳେ ଏମାନଙ୍କ ମଧ୍ୟରେ ଜଣେ ନାବାଳକ ବା ବାଳ ଅପରାଧୀ ରହିଛି। ସେଥିପାଇଁ ୭ଜଣ ସାବାଳକ ଅପରାଧୀମାନଙ୍କ ପାଇଁ ପୁଲିସ ଗୋଟିଏ ଚାର୍ଜସିଟ୍‌ ପ୍ରସ୍ତୁତ କରିଥିବା ବେଳେ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବାଳ ଅପରାଧୀ ପାଇଁ ଅନ୍ୟ ଗୋଟିଏ ଚାର୍ଜସିଟ୍‌ ପ୍ରସ୍ତୁତ କରିଛି। ଜମ୍ମୁର ଏକ ସେସନ୍ସ କୋର୍ଟକୁ ଫାଷ୍ଟଟ୍ରାକ୍‌ କୋର୍ଟରେ ପରିବର୍ତ୍ତନ କରାଯିବା ସହ ସେଠାରେ ଏହି ଅଭିଯୁକ୍ତ ଅପରାଧୀମାନଙ୍କର ବିଚାର ଆଜିଠାରୁ ଆରମ୍ଭ ହୋଇଛି। ଫାଷ୍ଟଟ୍ରାକ୍‌ କୋର୍ଟରେ ଅଭିଯୁକ୍ତ ୭ ଜଣ ସାବାଳକ ଅପରାଧୀଙ୍କ ବିଚାର ହେଉଥିବା ବେଳେ ବାଳ ଅପରାଧୀର ବିଚାର ବାଳ ଅପରାଧୀ ଆଇନ୍‌ ଅନୁଯାୟୀ କଠୁଆର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହେଉଛି। ଏହି ଅପରାଧିକ ମାମଲାରେ ହିନ୍ଦୁ ଓ ମୁସଲମାନଙ୍କ ସଂପୃକ୍ତିକୁ ନେଇ ଜମ୍ମୁର ହିନ୍ଦୁ ଓ ମୁସଲମାନମାନେ ଦୁଇ ଭାଗରେ ବିଭକ୍ତ ହୋଇ ପଡ଼ିଥିବା ଦୃଷ୍ଟିରୁ ଏହି ମାମଲାର ବିଚାରପ୍ରକ୍ରିୟାରେ ନରପେକ୍ଷତା ଅବଲମ୍ବନ କରିବା ପାଇଁ ଜମ୍ମୁ କଶ୍ମୀର ସରକାର ମାମଲାର ପରିଚାଳନା ପାଇଁ ଶିଖ୍‌ ସଂପ୍ରଦାୟର ଦୁଇ ଜଣ ଆଇନଜୀବୀଙ୍କୁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ରୂପେ ନିଯୁକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର