ଟିଆର୍‌ଏସ୍‌ ମହାର‍୍ୟାଲି: ଆଗୁଆ ନିର୍ବାଚନ ସଙ୍କେତ ଦେଲେ କେସିଆର୍‌

ଦିଲ୍ଲୀ ନେତୃତ୍ୱ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ

ହାଇଦ୍ରାବାଦ: ତେଲେଙ୍ଗାନାର କ୍ଷମତାସୀନ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ପକ୍ଷରୁ ଆଜି ‘ପ୍ରଗତି ନିବେଦନ ସଭା’ ନାମରେ ଏକ ମହାର‍୍ୟାଲି ଅନୁଷ୍ଠିତ ହୋଇଛି। ତେବେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ର‍୍ୟାଲିରେ ବିଧାନସଭା ଭଙ୍ଗ କରିବା ନେଇ କୌଣସି ଘୋଷଣା କରିନଥିବା ବେଳେ ଆଗୁଆ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ବୋଲି କହିଛନ୍ତି। କେସିଆର୍‌ କହିଛନ୍ତି ଯେ ରାଜ୍ୟର ବିକାଶ ପ୍ରକ୍ରିୟାକୁ ଜାରି ରଖିବା ପାଇଁ ତାଙ୍କ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିବେ ଏବଂ ଦିଲ୍ଲୀ ନେୃତୃତ୍ୱ ଆଗରେ ମୁଣ୍ଡ ନୁଆଁଇବେ ନାହିଁ। ସେ ଯେଉଁଭଳି ନିଷ୍ପତ୍ତି ନେଉଛନ୍ତି, ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ସେଭଳି ନିଷ୍ପତ୍ତି ନେବାକୁ ସାହସ କରିବେ ନାହିଁ ବୋଲି କେସିଆର୍‌ କହିଛନ୍ତି। ରାଜ୍ୟବାସୀଙ୍କ ପାଇଁ କେତେକ ନୂତନ ଯୋଜନା ଘୋଷଣା କରି ସେ କହିଥିଲେ ଯେ ଏହି ପ୍ରକ୍ରିୟାକୁ ଜାରି ରଖିବା ପାଇଁ ଯେ କୌଣସି ନିଷ୍ପତ୍ତି ନେବାକୁ କ୍ୟାବିନେଟ୍‌ ତାଙ୍କୁ ଦାୟିତ୍ୱ ଦେଇଛି। ସ୍ୱତନ୍ତ୍ର ତେଲେଙ୍ଗାନା ଗଠନ ପାଇଁ ଆନ୍ଦୋଳନକୁ ସ୍ମରଣ କରି ସେ କହିଥିଲେ ଯେ ତେଲେଙ୍ଗାନାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ନିମନ୍ତେ ସେ ଅହରହ କାମ କରୁଛନ୍ତି। ପୂର୍ବରୁ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସରକାର ଅମଳରେ ଲୋକେ ଅତିଷ୍ଠ ହେଉଥିବା ବେଳେ ଏବେ ଟିଆର୍‌ଏସ୍‌ ସରକାର ଲୋକଙ୍କ ଜୀବନଧାରଣ ମାନରେ ଯଥେଷ୍ଟ ଉନ୍ନତି ଆଣିଛନ୍ତି ବୋଲି କେସିଆର୍‌ କହିଛନ୍ତି। ହାଇଦ୍ରାବାଦଠାରୁ ପ୍ରାୟ ୨୫ କମି ଦୂର ରଙ୍ଗାରେଡ୍ଡି ଜିଲ୍ଲାର ଇବ୍ରାହିମ୍‌ପଟନମ୍‌ଠାରେ ଅନୁଷ୍ଠିତ ଏହି ର‍୍ୟାଲିରେ ରାଜ୍ୟର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଥିଲେ। ସମସ୍ତ ବିଧାନସଭା କ୍ଷେତ୍ରରୁ ୨୫ ହଜାର ଲେଖାଏଁ ଲୋକଙ୍କୁ ଅଣାଯାଇଥିବା କୁହାଯାଉଛି। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ମହାର‍୍ୟାଲି ଅନୁଷ୍ଠିତ ହୋଇଛି। ରାଜ୍ୟର ସମସ୍ତ ୧୬ଟି ଲୋକସଭା ଆସନରେ ଟିଆର୍‌ଏସ୍‌ ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି ଏବଂ ଆମେ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବୁ ବୋଲି କେସିଆର୍‌ଙ୍କ ପୁଅ ତଥା ରାଜ୍ୟ ଆଇଟି ମନ୍ତ୍ରୀ କେଟି ରାମାରାଓ କହିଛନ୍ତି।

ସମ୍ବନ୍ଧିତ ଖବର