କର୍ଣ୍ଣାଟକ ସଂକଟ: ଗୁରୁବାର ଜଣାପଡ଼ିବ ଫଳାଫଳ, ସରକାର ଭାଙ୍ଗିବ ନା ରହିବ

ବେଙ୍ଗାଲୁର: କର୍ଣ୍ଣାଟକର ରାଜନୈତିକ ସଂକଟ ସମାପ୍ତ ହେବାକୁ ଯାଉଛି। ଟଳମଳ ହେଉଥିବା କଂଗ୍ରେସ-ଜେଡିଏସ୍‌ ସରକାର ଶେଷରେ ଗୁରୁବାର ଭାଙ୍ଗିଯିବ ବୋଲି ଅନୁମାନ କରାଯାଉଛି। ବିଜିନେସ୍‌ ଆଡଭାଇଜରି କମିଟି ବୈଠକରେ କୁହାଯାଇଛି ଯେ ଗୁରୁବାର ଦିନ ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ସରକାରକୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ହେବ। ଆୟୋଜିତ ହୋଇଥିବା ଏହି ବୈଠକରେ ବାଚସ୍ପତି କେଆର୍‌ ରମେଶ ଉପସ୍ଥିତ ରହି ଏପରି ଘୋଷଣା କରିିଥିଲେ।

ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ କର୍ଣ୍ଣାଟକ ସରକାରର ସ୍ଥିତି ବିଧାନଭସଭା ଗୃହରେ ଜଣାପଡ଼ିବ। ବିଧାନସଭା ଗୃହରେ ଭାଷଣ ସଭା ସରିବା ପରେ କଂଗ୍ରେସ-ଜେଡିଏସ୍‌ ସରକାରଙ୍କୁ ଭୋଟ୍‌ ଦିଆଯିବ। ବିଧାନସଭାରେ ଉପସ୍ଥିତ ବିଧାୟକମାନେ ସେମାନଙ୍କ ସରକାର ଚୟନ କରିବେ। ରାଜ୍ୟରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ରହିବ କି ଭାଙ୍ଗିଯିବ ତାହା ବିଧାୟକମାନଙ୍କ ଭୋଟ ଗଣତି ପରେ ଜଣାପଡ଼ିବ।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ଭିତରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରରୁ ବହୁ ବିଧାୟକ ଇସ୍ତଫା ଦେବା ପରେ ରାଜ୍ୟରେ ଘୋର୍‌ ରାଜନୈତିକ ସଂକଟ ଦେଖା ଦେଇଛି।

ସମ୍ବନ୍ଧିତ ଖବର