ୟୁପି ଏଟିଏସ୍‌ର ବରିଷ୍ଠ ଅଧିକାରୀଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଜଣେ ବରିଷ୍ଠ ଓ ଦକ୍ଷ ପୁଲିସ ଅଧିକାରୀ ଆଜି ନିଜ ସର୍ଭିସ୍‌ ରାଇଫଲ୍‌ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ୟୁପି ଏଟିଏସ୍‌ (ଆତଙ୍କବାଦୀ ନିରୋଧ ଦଳ)ର ଅତିରିକ୍ତ ପୁଲିସ ସୁପରିଟେଣ୍ଡେଣ୍ଟ୍‌ ରାଜେଶ ସାହାଣି ଆଜି ଗୋମ୍‌ତିନଗର ସ୍ଥିତ ଏଟିଏସ୍‌ ମୁଖ୍ୟାଳୟରେ ତାଙ୍କ ଅଫିସ ପ୍ରକୋଷ୍ଠରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ରାଜ୍ୟ ପୁଲିସ ମହଲକୁ ଏହି ଘଟଣା ସ୍ତବ୍ଧ କରିଦେଇଛି। ୧୯୯୨ ବ୍ୟାଚ୍‌ର ଏହି ୟୁପି ପ୍ରୋଭିନସିଆଲ ପୁଲିସ ଅଫିସର ୨୦୧୪ ମସିହାରୁ ଏଟିଏସ୍‌ର ଅତିରିକ୍ତ ଏସ୍‌ପି ଭାବେ ନିଯୁକ୍ତ ହୋଇଥିଲେ। ୫୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅପରେସନରେ ସାମିଲ ହୋଇଥିବା ରାଜେଶ ଗତ କିଛି ଦିନ ହେବ କାର୍ଯ୍ୟରୁ ଛୁଟିରେ ଥିଲେ। ଆଜି ସକାଳେ ସେ ଏଟିଏସ୍‌ ମୁଖ୍ୟାଳୟରେ ଯୋଗ ଦେବାପରେ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ତାଙ୍କ ଡ୍ରାଇଭର ମନୋଜଙ୍କୁ ଡାକି ସର୍ଭିସ ରାଇଫଲ୍‌ ମଗାଇଥିଲେ।

ଏହାର କିଛି ସମୟ ପରେ ସେ ଗୁଳି ଫୁଟାଇ ଆତ୍ମହତ୍ୟା କରିଦେଇଥିଲେ ବୋଲି ଏଡିଜି ଆନନ୍ଦ କୁମାର କହିଛନ୍ତି। ତେବେ ରାଜେଶଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ଏ ବାବଦରେ ତଦନ୍ତ ଜାରି ରହିଛି ବୋଲି କୁମାର କହିଛନ୍ତି। ଫରେନ୍ସିକ୍‌ ଟିମ୍‌ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ରାଜେଶ ଏଟିଏସ୍‌ର ବରିଷ୍ଠ ଅଧିକାରୀ ଭାବେ ଆତଙ୍କବାଦ ସଂକ୍ରାନ୍ତ ୨୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମାମଲା ହାତକୁ ନେଇଥିଲେ। ନିକଟରେ ଆଇଏସଆଇକୁ ଗୁପ୍ତ ଖବର ଦେବାରେ ସହଯୋଗ କରୁଥିବା ଅଭିଯୋଗରେ ଜଣେ ପିଥୋରଗଡ଼ ବାସିନ୍ଦା ରମେଶ ସିଂହଙ୍କୁ ଗିରଫ କରାଯିବା ମାମଲାର ବି ସେ ତଦାରଖ କରୁଥିଲେ। ୨୦୧୪ ମସିହାରେ ୟୁପି ଏଟିଏସ୍‌ରେ ଯୋଗ ଦେବା ପୂର୍ବରୁ ସେ ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ଏନଆଇଏରେ ଥିଲେ।

ସମ୍ବନ୍ଧିତ ଖବର