ମଧ୍ୟାହ୍ନ ଭୋଜନରେ ରୁଟି ଓ ଲୁଣ ଦେବା ଘଟଣା: ସାମ୍ବାଦିକଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାର ଯାଞ୍ଚ କରିବେ ଉତ୍ତରପ୍ରଦେଶ ସରକାର
ଲକ୍ଷ୍ନୌ : ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଥିବା ଏକ ସରକାରୀ ସ୍କୁଲର ଘଟଣାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି । ରାଜ୍ୟ ସରକାରଙ୍କ ଛବିକୁ ନଷ୍ଟ କରିବା ପାଇଁ ଜଣେ ସାମ୍ବାଦିକ ଓ ଗାଁର ମୁଖିଆ କରିଥିବା କାମକୁ ନେଇ ଏବେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । ସାମ୍ବାଦିକଙ୍କୁ ପୁଲିସ ଗିରଫ କରିଥିବା ବେଳେ ବିରୋଧ ପ୍ରଦର୍ଶନକୁ ଦେଖି ରାଜ୍ୟ ସରକାର ଖୋଦ୍ ଏହି ଏତଲାର ଯାଞ୍ଚ କରିବେ ବୋଲି କହିଛନ୍ତି । ଏହା ସହ ଦୋଷୀକୁ କଡ଼ା ଦଣ୍ଡ ମିଳିବ ବୋଲି ରାଜ୍ୟ ସରକାରଙ୍କ ପ୍ରବକ୍ତା ଶ୍ରୀକାନ୍ତ ଶର୍ମା କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଅଗଷ୍ଟ ୨୨ରେ ସାମ୍ବାଦିକ ପବନ ଜୟଶଓ୍ଵାଲଙ୍କୁ ଗାଁର ମୁଖିଆ ରାଜକୁମାର ଡ଼ାକି ଏକ ଭିଡିଓ ଉତ୍ତୋଳନ କରିବାକୁ କହିଥିଲେ । ଯେଉଁ ଭିଡିଓ ପରେ ଭାଇରାଲ ହୋଇଥିଲା । ଭିଡିଓରେ ସ୍କୁଲ ପିଲାମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦିଆ ନ ଯାଇ କେବେଳ ରୁଟି ଓ ଲୁଣ ଖାଇବାକୁ ଦିଆଯାଉଥିବା ଦେଖାଯାଇଥିଲା । ଭିଡିଓକୁ ନେଇ ବିବାଦ ହେବାରୁ ଜିଲ୍ଲା ଅଧିକାରୀ ଏ ନେଇ ତଦନ୍ତ କରିଥିଲେ । ତଦନ୍ତ ପରେ ସ୍କୁଲର ପ୍ରଧାନଶିକ୍ଷକ ଓ ରାଜକୁମାରଙ୍କ ପାଖରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ଟଙ୍କା ଥାଇ ମଧ୍ୟ ରାଜ୍ୟ ସରକାରଙ୍କ ଛବିକୁ ଖରାପ କରିବା ପାଇଁ ଦୁହେଁ ଏଭଳି କରିଥିବା ଜଣା ପଡ଼ିଥିଲା । ଏ ନେଇ ସାମ୍ବାଦିକ ପବନ ଜୟଶଓ୍ଵାଲଙ୍କୁ ପୁଲିସ ସୋମବାର ଗିରଫ କରିଥିବା ବେଳେ ସ୍କୁଲର ପ୍ରଧାନଶିକ୍ଷକ ନିଲମ୍ବିତ କରାଯାଇଥିଲା । ତେବେ ମଙ୍ଗଳବାର ଏହି ମାମଲାକୁ ନେଇ ବିନ୍ଧ୍ୟାଞ୍ଚଳ ଡିଭିଜିନାଲ କମିସନର ଆନନ୍ଦ କୁମାର ସିଂହଙ୍କୁ ଭେଟି ଜୟଶଓ୍ଵାଲଙ୍କୁ ଛାଡ଼ିବା ପାଇଁ ଦାବି କରିଥିଲେ ୨୫ଜଣ ସାମ୍ବାଦିକ ।
ଏଭଳି ଦାବି ପରେ ସେ କହିଥିଲେ, ଆମେ ଚାହୁଁଛୁ ପୂରା ଘଟଣାର ସଠିକ୍ ଯାଞ୍ଚ ହେଉ । ଜିଲ୍ଲା ଅଧିକାରୀଙ୍କୁ ଏ ନେଇ ରିପୋର୍ଟ ମାଗିବା ସହ ରିପୋର୍ଟ ଆସିବା ପରେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ ଏକ ଖବରକାଗଜରେ କାମ କରୁଥିବା ସାମ୍ବାଦିକ ଯଦି ସତ ସାମ୍ନାକୁ ଆଣିବାକୁ ଚାହୁଁଥିଲେ, ତେବେ ସେ ଫଟୋ ନ ଉଠାଇ ଭିଡିଓ କ’ଣ ପାଇଁ ଉତ୍ତୋଳନ କରିଥିଲେ? ତାଙ୍କର ଏଭଳି କାମ ତାଙ୍କୁ ସନ୍ଦେହ ଘେରକୁ ଆଣିଛି ।
ଅନ୍ୟ ପକ୍ଷରେ, ରାଜକୁମାରଙ୍କୁ ମଧ୍ୟାହ୍ନ ଭୋଜନର ଦାୟିତ୍ୱ ଦିଆଯାଇଥିଲା । ରୁଟି ସହ ତରକାରୀ କ’ଣ ପାଇଁ ହୋଇନାହିଁ, ସେ ବିଷୟରେ ନ ବୁଝି ସେ ଜୟଶଓ୍ଵାଲଙ୍କୁ ଡ଼ାକି ଭିଡିଓ କାହିଁକି ଉତ୍ତୋଳନ କରିଥିଲେ? ଏଭଳି ଭିଡିଓ ତିଆରି କରିବା ପଛରେ ପ୍ରକୃତ କାରଣ ଜଣା ନ ପଡ଼ିବା ପର୍ଯ୍ୟନ୍ତ ଜୟଶଓ୍ଵାଲଙ୍କୁ ଛଡ଼ା ଯିବ ନାହିଁ ବୋଲି କହିଛନ୍ତି ବିନ୍ଧ୍ୟାଞ୍ଚଳ ଡିଭିଜିନାଲ କମିସନର ଆନନ୍ଦ କୁମାର ସିଂହ ।