ହାତ ମିଳାଇଲେ ଟ୍ରମ୍ପ୍‌-କିମ୍‌ ; ପରମାଣୁ ନିରସ୍ତ୍ରୀକରଣ ଚୁକ୍ତି ସ୍ୱାକ୍ଷରିତ

କଟକଣା ପ୍ରତ୍ୟାହାର କରିବନି ଆମେରିକା:କୋରିଆ ଉପଦ୍ୱୀପରେ ସମରାଭ୍ୟାସ ବନ୍ଦ ହେବ

ସିଙ୍ଗାପୁର: ଆଜି ସିଙ୍ଗାପୁରର ସାଣ୍ଟୋସା ଦ୍ୱୀପରେ ଅବସ୍ଥିତ କାପେଲା ହୋଟେଲରେ ଉତ୍ତରକୋରିଆ ଶାସକ କିମ ଜଙ୍ଗ ଉନ୍‌ ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ ଐତିହାସିକ ଶିଖର ବୈଠକ ଅନୁଷ୍ଠିତ ହୋଇଛି। ଦୁଇ ନେତାଙ୍କ ମଧ୍ୟରେ ବାରମ୍ବାର କରମର୍ଦ୍ଦନ ଏବଂ ଅନ୍ତରଂଗ କଥାବାର୍ତ୍ତା ଭିତରେ ବୈଠକ ସଂପୂର୍ଣ୍ଣ ସଫଳ ହୋଇଥିବା ଘୋଷଣା କରାଯାଇଛି। ଉତ୍ତର କୋରିଆକୁ ସଂପୂର୍ଣ୍ଣ ପରମାଣୁ ଅସ୍ତ୍ର ମୁକ୍ତ ରାଷ୍ଟ୍ର କରିବାକୁ ଉଭୟ ନେତାଙ୍କ ମଧ୍ୟରେ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏହି ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ, ଅତିଶୀଘ୍ର ପରମାଣୁ ଅସ୍ତ୍ର ସଂପନ୍ନ ଉତ୍ତରକୋରିଆ ପରମାଣୁ ନିରସ୍ତ୍ର ରାଷ୍ଟ୍ର ଭାବେ ଘୋଷଣା ହେବ। ଉତ୍ତରକୋରିଆର ପରମାଣୁ ନିରସ୍ତ୍ରୀକରଣ କାର୍ଯ୍ୟକ୍ରମ ମଧ୍ୟ ଅତିଶୀଘ୍ର ଆରମ୍ଭ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି।

ଆମେରିକାର ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଉତ୍ତରକୋରିଆକୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଟ୍ରମ୍ପ କହିଛନ୍ତି। ଏଥିନେଇ ଆମେରିକାର ବୈଦେଶିକ ସଚିବ ମାଇକ୍‌ ପୋମ୍ପିଓ ଏବଂ ଉତ୍ତରକୋରିଆ ଅଧିକାରୀମାନେ ଆଲୋଚନା କରୁଥିବା ସେ କହିଛନ୍ତି। ତେବେ ଉତ୍ତରକୋରିଆର ପରମାଣୁ ନିରସ୍ତ୍ରୀକରଣ କାର୍ଯ୍ୟ ଶେଷ କରିବାକୁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇନାହିଁ। ବୈଠକ ପରେ ହୋଇଥିବା ଯୁଗ୍ମ ବିବୃତିରେ ଉତ୍ତରକୋରିଆ ଏବଂ ଆମେରିକା ସମସ୍ତ ପ୍ରସ୍ତାବରେ ସହମତି ହୋଇଥିବା କୁହାଯାଇଛି। ସମ୍ପୂର୍ଣ୍ଣ ପରମାଣୁ ନିରସ୍ତ୍ରୀକରଣ ନହେବା ଯାଏଁ ଉତ୍ତରକୋରିଆ ଉପରେ ଆମେରିକା ଜାରି କରିଥିବା କଟକଣା ପ୍ରତ୍ୟାହାର କରାଯିବ ନାହିଁ ବୋଲି ମଧ୍ୟ ଟ୍ରମ୍ପ୍‌ କହିଛନ୍ତି। ଉତ୍ତର କୋରିଆ ସହିତ ଐତିହାସିକ ଶାନ୍ତି ଆଲୋଚନା ପଦକ୍ଷେପ ସମଗ୍ର ଉତ୍ତର-ପୂର୍ବ ଏସିଆର ସୁରକ୍ଷା ବ୍ୟବସ୍ଥାରେ ବିରାଟ ପରିବର୍ତ୍ତନ ଆଣିବ ବୋଲି କୁହାଯାଉଛି । ଏହା ସହିତ କୋରିଆ ଉପଦ୍ୱୀପରେ ଆଉ କୌଣସି ସମରାଭ୍ୟାସ ହେବନାହିଁ ବୋଲି ମଧ୍ୟ ଆଜି ଟ୍ରମ୍ପ୍‌ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର