ଜିଏସ୍‌ଟିକୁ ବିରୋଧ କରି ବିଜେପି ଅଫିସରେ ବିଷ ପିଇଥିବା ବ୍ୟବସାୟୀଙ୍କର ମୃତ୍ୟୁ

ଡ଼େରାଡ଼ୁନ : ଉତ୍ତରାଖଣ୍ଡର ହଲଦଓ୍ଵାନି ଅଞ୍ଚଳର ଜଣେ ବ୍ୟବସାୟୀ ଗତ ଜାନୁଆରି ୬ ତାରିଖ ଦିନ ଡ଼େରାଡ଼ୁନର ବିଜେପି କାର୍ଯ୍ୟଳୟରେ ଅତ୍ମହତ୍ୟା ଉଦ୍ୟମ କରି ବିଷ ପିଇବା ପରେ ତାଙ୍କୁ ଏକ ବେସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ଦିନ ସେହି ଡ଼ାକ୍ତରଖାନାରେ ବ୍ୟବସାୟୀ ଜଣଙ୍କର ମୃତ୍ୟୁ ହୋଇଛି। ୪୦ ବର୍ଷ ବୟସ୍କ ପ୍ରକାଶ ପାଣ୍ଡେଙ୍କର ବିମୁଦ୍ରାକରଣ ଏବଂ ଜିଏସଟି ପାଇଁ ବ୍ୟବସାୟରେ ବହୁ ମାତ୍ରାରେ କ୍ଷତି ହୋଇଥିଲା, ଯେଉଁଥି ପାଇଁ ସେ ଏପରି ପଦକ୍ଷେପ ନେଇଥିଲେ ।

ଜାନୁଆରି ୬ ତାରିଖ ଦିନ ରାଜ୍ୟର କୃଷିମନ୍ତ୍ରୀ ସୁବୋଧ ୟୁନିୟାଲ ଲୋକଙ୍କର ସମସ୍ୟା ଶୁଣୁଥିବା ବେଳେ ପାଣ୍ଡେ ବିଜେପି କାର୍ଯ୍ୟଳୟରେ ବିଷ ପିଇ ପହଞ୍ଚି ଥିଲେ । ସେ ୟୁନିୟାଲଙ୍କୁ ବ୍ୟବସାୟରେ ହୋଇଥିବା ତାଙ୍କ କ୍ଷତିର କାରଣ ବିଜେପିର ବିମୁଦ୍ରାକରଣ ଏବଂ ଜିଏସ୍‌ଟି ପ୍ରକ୍ରିୟାକୁ ଦର୍ଶାଇଥିଲେ । ଗତ କିଛି ମାସ ହେବ ପାଣ୍ଡେଙ୍କର ଟ୍ରାନ୍ସପୋର୍ଟେସନ ବ୍ୟବସାୟ ବିମୁଦ୍ରାକରଣ ଏବଂ ଜିଏସଟି ପାଇଁ ବହୁତ କ୍ଷତିରେ ଚାଲୁଥିଲା । ଏଥିପାଇଁ ସେ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟଳୟ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ରାଓ୍ଵାତଙ୍କୁ ପତ୍ର ମଧ୍ୟ ଲେଖିଥିଲେ । ବହୁ ଦିନ ପରେ ମଧ୍ୟ ତାଙ୍କୁ କୌଣସି ଦିଗରୁ କିଛି ସାହାଯ୍ୟ ମିଳି ନଥିଲା । ଯାହା ଫଳରେ ଶେଷକୁ କିଛି ଉପାୟ ନପାଇ ସେ ଆତ୍ମହତ୍ୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ବିମୁଦ୍ରାକରଣ ପୂର୍ବରୁ ପାଣ୍ଡେଙ୍କର ବ୍ୟାଙ୍କ କାରବାର ୬୦ ଲକ୍ଷରୁ ୧ କୋଟି ମଧ୍ୟରେ ହେଉଥିଲା , କିନ୍ତୁ ବିମୁଦ୍ରାକରଣ ପରେ ଏହା ଶୂନକୁ ଖସିଥିଲା । ଏହି ବିଷୟରେ ସେ ଜାନୁଆରି ୫ ତାରିଖ ଦିନ ଏକ ପତ୍ର ଦ୍ୱାରା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ତାଙ୍କର ଏପରି ଅବସ୍ଥା ଥିଲା କି ସେ ତାଙ୍କର ଦୁଇ ସନ୍ତାନଙ୍କର ବିଦ୍ୟାଳୟର ଫିସ ଗତ ୬ ମାସ ହେଲା ଦେଇନଥିଲେ ।

ଏହି ଘଟଣାକୁ ଉତ୍ତରଖଣ୍ଡର ବିଜେପି ମୁଖ୍ୟ ୟୁନିଆଲ ରାଜନୈତିକ ଷଡ଼ଯନ୍ତ୍ର କହିଥିବା ବେଳେ ବିପକ୍ଷ ଦଳ ଭୁଲ ସରକାରନୀତି କହିବା ସହ ଘଟଣା ପାଇଁ ବିଜେପିକୁ ନିନ୍ଦା କରିଛି। ବିଜେପି କାର୍ଯ୍ୟଳୟରେ ବିଷ ପିଇବା ପରେ ପାଣ୍ଡେଙ୍କୁ ଡ଼େରାଡ଼ୁନର ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଏକ ବେସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ଅବସ୍ଥା ଶୋଚନୀୟ କୁହାଯିବା ସହ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ମଙ୍ଗଳବାର ଦିନ ଦ୍ୱିପହର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର