ଏଲ୍‌ଓସି ସ୍ଥିତି ସଙ୍ଗୀନ୍‌ : ପାକ୍‌ ଗୁଳିରେ ୫ ମୃତ, ୪୦ ହଜାର ସ୍ଥାନାନ୍ତର

ଶ୍ରୀନଗର: ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ଅଂଚଳରେ ଏବେ ସ୍ଥିତି ପୁଣି ବିଗିଡ଼ି ଯାଇଛି। ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନର ଭାରତ କଡ଼ା ଜବାବ ଦେଉଥିବା ବେଳେ ଉଭୟ ପଟୁ ଭାରୀ ଯୁଦ୍ଧାସ୍ତ୍ରରେ ଗୁଳିଗୋଳା ବିନିମୟ ଚାଲିଥିବାରୁ ସୀମାବର୍ତ୍ତୀ ଗ୍ରାମଗୁଡ଼ିକରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଜମ୍ମୁ-କଠୁଆ ସେକ୍ଟରରେ ପାକିସ୍ତାନ ସେନା ଗତରାତିରୁ ପ୍ରବଳ ଗୁଳିବର୍ଷା ଜାରି ରଖିଥିବା ବେଳେ ଆଜି ଅପରାହ୍ନ ସୁଦ୍ଧା ଏହି ସେକ୍ଟରରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ବେସାମରିକ ଅଂଚଳକୁ ପାକ୍‌ ସେନା ଟାର୍ଗେଟ୍‌ କରୁଥିବାରୁ ୫୦ରୁ ଅଧିକ ଗ୍ରାମରୁ ସପ୍ତାହକ ମଧ୍ୟରେ ପ୍ରାୟ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲଗାତାର ନବମ ଦିନ ପାଇଁ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି ଏବଂ ଭାରତ ପଟୁ ମଧ୍ୟ ଉଚିତ ଜବାବ ଦିଆଯାଉଛି। ବିଗତ ୩ ଦିନରେ ପ୍ରବଳ ମୋର୍ଟାର ମାଡ଼ ଯୋଗୁଁ ଜମ୍ମୁ, କଠୁଆ, ସାମ୍ବା, ପୁଂଚ ଏବଂ ରାଜୌରି ସେକ୍ଟରର ସୀମାବର୍ତ୍ତୀ ଗ୍ରାମଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ସାମ୍ବା ସେକ୍ଟରେ ୩ ଜଣ ଯବାନଙ୍କ ସମେତ ୭ ଜଣ ଗୁଳିମାଡ଼ରେ ଆହତ ହୋଇଥିବା ଜଣାପଡ଼ିଛିି। ଆଜି କଠୁଆ ଏବଂ ଅଖ୍‌୍‌ନୋର ସେକ୍ଟରରୁ ପ୍ରାୟ ୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସର୍ବାଧିକ ସମ୍ବେଦନଶୀଳ ଗ୍ରାମଗୁଡ଼ିକରେ ଲୋକଙ୍କୁ ବଙ୍କରରେ ରହିବାକୁ ପରାମର୍ଶ ଦିଆଯାଇଛି। ଅଧିକାଂଶ ଲୋକ ସେନା ଓ ପ୍ରଶାସନ ପକ୍ଷରୁ କରାଯାଇଥିବା ଶିବିରରେ ନ ରହି ନିଜ ବନ୍ଧୁ ଓ ସଂପର୍କୀୟଙ୍କ ଘରେ ଅନ୍ୟତ୍ର ଆଶ୍ରୟ ନେଇଥିବା ଜଣାପଡ଼ିଛି। ୩୦ରୁ ଅଧିକ ଗ୍ରାମ ଜନଶୂନ୍ୟ ହୋଇଯାଇଛି। ପାକ୍‌ ଗୁଳିଗୋଳାମାଡ଼ରେ ବିଗତ ୩ ଦିନ ମଧ୍ୟରେ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି।

ପାକ୍‌ ଟାର୍ଗେଟ୍‌ରେ ଥିବା ୬ଟି ସେକ୍ଟର ଅଂଚଳରେ ସେନା ମୁତୟନ ବଢ଼ାଇ ଦିଆଯାଇଛି ଏବଂ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ପଟେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ସୁରକ୍ଷା ଦୃଷ୍ଟିରୁ ଅତି ସ୍ପର୍ଶକାତର ଥିବା ସୀମାନ୍ତ ଗାଁଗୁଡ଼ିକୁ ଖାଲି କରିବା ପ୍ରକ୍ରିୟା ୨ ଦିନ ଭିତରେ ଶେଷ ହେବ ଏବଂ ସ୍ଥିତି ସୁଧୁରିବା ପରେ ହିଁ ଗ୍ରାମବାସୀମାନେ ଫେରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସମଗ୍ର ସୀମା ଅଂଚଳରେ ହାଇ ଆଲର୍ଟ ଜାରି କରାଯିବା ସହ ବିଭିନ୍ନ ସାମରିକ ଘାଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅନ୍ତର୍ଜାତୀୟ ସୀମାରେ ଅଧିକ ସଂଖ୍ୟକ ଯବାନଙ୍କୁ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀନଗର ସହର ସମେତ ଦକ୍ଷିଣ କଶ୍ମୀରର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏବେ ସୀମାବର୍ତ୍ତୀ ଅଞ୍ଚଳରେ ସମସ୍ତ ସ୍କୁଲ ସପ୍ତାହେ ହେଲା ବନ୍ଦ ରହିଥିବା ବେଳେ ଗୃହମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ସୀମାଠାରୁ ୧୦ କିମି ମଧ୍ୟରେ ଥିବା ଗାଁଗୁଡ଼ିକୁ ଖାଲି କରିଦିଆଯାଇଛି। ଲୋକଙ୍କୁ ସୁରକ୍ଷିତ ଥଇଥାନ ପାଇଁ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ ହୋଇଛି। ଗୃହମନ୍ତ୍ରୀ ରାଜନାଥ ସିଂହ କଶ୍ମୀର ସ୍ଥିତି ସଂପର୍କରେ ଆଜି ସମୀକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର