ପାକ୍ ନେତା ରେହେମାନ ମଲିକଙ୍କ ଭାରତ ବିରୋଧୀ ବୟାନର ମୁହଁତୋଡ଼ ଜବାବ ଦେଲେ ଓଡ଼ିଶା ସାଂସଦ : ପାକ୍ ମାଟିରେ ପାକିସ୍ତାନର ମୁଖା ଖୋଲିବା ପାଇଁ ପ୍ରସ୍ତୁତ

ଭୁବନେଶ୍ବର: ପାକିସ୍ତାନୀ ରାଜନେତା ରେହମାନ୍ ମଲିକ୍  ଓ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଡ.ସସ୍ମିତ୍ ପାତ୍ରଙ୍କ ମଧ୍ୟରେ ଟ୍ୱିଟରରେ ଜବରଦସ୍ତ କଥା କଟାକଟି ଏବେ ଚର୍ଚ୍ଚାରେ । ପାକିସ୍ତାନୀ ରାଜନେତା ତଥା ପୂର୍ବତନ ଗୃହମନ୍ତ୍ରୀ ରେହମାନ୍ ମଲିକ୍  ଓ  ସାଂସଦ ସସ୍ମିତ ପାତ୍ର ସାମ୍ନାମାମ୍ନି ହୋଇଛନ୍ତି । ଭାରତ ଓ ଭାରତର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଟ୍ୱିଟରରେ ବିଷୋଦଗାର କରିଥିଲେ ରେହମାନ୍ । କେବଳ ଏତିକି ନୁହେଁ, ଭାରତ ଆତଙ୍କବାଦ ସୃଷ୍ଟି କରୁଛି ବୋଲି  ମଧ୍ୟ ଟ୍ୱିଟରରେ ଲେଖିଥିଲେ ସେ । ଆଉ ଏହାର କଡ଼ା ସମାଲୋଚନା କରିବା ସହ ପାକିସ୍ତାନୀ ନେତା ରେହମାନ ମଲିକଙ୍କୁ ମୁହଁତୋଡ଼୍ ଜବାବ ଦେଇଛନ୍ତି ସସ୍ମିତ ପାତ୍ର ।

ଟ୍ୱିଟରରେ ଭାରତକୁ ମିଛୁଆ ରାଷ୍ଟ୍ର କହିବା ସହ ମୋଦୀଙ୍କୁ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସିରେ ଲାଇଭ୍ ଡିବେଟ୍ ପାଇଁ ଆହ୍ୱାନ କରିଥିଲେ ରେହମାନ । ପାକିସ୍ତାନ ନୁହେଁ ବରଂ ଭାରତର ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଏବଂ ନିର୍ବାଚନ ଜିତିବା ପାଇଁ ଆରଏଏସ୍ ପ୍ରଶିକ୍ଷିତ ଆତଙ୍କବାଦୀ ଆତଙ୍କ ଖେଳାଇ ବିଜେପିକୁ ଜିତାଇବାକୁ ଷଡ଼ଯନ୍ତ୍ର କରୁଛି ବୋଲି ମନ୍ତବ୍ୟ ଦେଇଥିଲେ  ପାକିସ୍ତାନୀ ରାଜନେତା।

ଆଉ ଏପରି ଭାରତ ବିରୋଧୀ ବୟାନର ମୁହଁତୋଡ଼୍ ଜବାବ ଦେଇଛନ୍ତି ସାଂସଦ ସସ୍ମିତ ପାତ୍ର । ବିବିସିରେ ଲାଇଭ୍ ଡିବେଟ୍ କରିବା ପାଇଁ ସେ ପାକିସ୍ତାନ ଯିବାପାଇଁ ପ୍ରସ୍ତୁତ ବୋଲି କହିବା ସହ କ୍ୟାମେରା ସାମ୍ନାରେ ପାକିସ୍ତାନ ମାଟିରେ ହିଁ ପାକିସ୍ତାନର ମୁଖା ଖୋଲିବା ପାଇଁ ସେ ପ୍ରସ୍ତୁତ ବୋଲି  କହିଛନ୍ତି ଡ.ପାତ୍ର । ଏଥିସହ  ଦମ୍ ଥିଲେ ମୋ ସାମ୍ନା କର ବୋଲି ଖୋଲା ଆହ୍ବାନ ଦେଇଛନ୍ତି ବିଜେଡ଼ି ନେତା ।

ସୂଚନାଯୋଗ୍ୟ ପୂର୍ବରୁ ଅର୍ନ୍ତଜାତୀୟ ମଂଚରେ ପାକିସ୍ତାନର ଅସଲ ମୁଖାଖୋଲି ଥିଲେ ବିଜେଡ଼ି ସାଂସଦ । ଆଇପିୟୁ ଜେନେରାଲ୍ ଆସେମ୍ଲିରେ ପାକିସ୍ତାନର ମିଛ ପଦାରେ ପକାଇଥିଲେ । ଆଉ ଏହାର ପ୍ରତିକ୍ରିୟାରେ ପାକିସ୍ତାନୀ ନେତା, ସସ୍ମିତ ପାତ୍ରଙ୍କୁ ଟାର୍ଗେଟ କରିଥିଲେ । ଆଉ ତା’ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଟ୍ୱିଟ ଯୁଦ୍ଧ ।

ସମ୍ବନ୍ଧିତ ଖବର