ଊହାନ ପରୀକ୍ଷାଗାରରେ ତିନୋଟି ଜୀବନ୍ତ ବ୍ୟାଟ୍ କରୋନାଭାଇରସ୍ ଥିଲା: ରିପୋର୍ଟ

ବେଜିଙ୍ଗ୍: ଊହାନ୍ ସହରରେ ଥିବା ଚୀନ୍‌ର ଭାଇରୋଲୋଜି ପ୍ରତିଷ୍ଠାନରେ ତିନୋଟି କିସମର ବାଦୁଡ଼ି କରୋନାଭାଇରସ୍ ଥିଲା। କିନ୍ତୁ, ସେମାନଙ୍କ ମଧ୍ୟରୁ କେହି ସମ୍ପ୍ରତି ବିଶ୍ବରେ ହାହାକାର ସୃଷ୍ଟି କରିଥିବା ଅଭିନବ କରୋନାଭାଇରସ୍ ସହ ମେଳ ଖାଉନାହାନ୍ତି ବୋଲି ପ୍ରତିଷ୍ଠାନର ନିର୍ଦେଶକ ୱାଙ୍ଗ୍‌ ୟାନ୍‌ୟି କହିଛନ୍ତି।

ବୈଜ୍ଞାନିକମାନେ ଭାବୁଛନ୍ତି ଯେ ପ୍ରଥମେ ଊହାନ୍‌ରୁ ବାହାରିଥିବା କୋଭିଡ୍-୧୯ର ଉତ୍ପତ୍ତି ବାଦୁଡ଼ିରୁ। ଏହା ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଦ୍ବାରା ମାନବ ଶରୀରକୁ ସଂକ୍ରମିତ ହୋଇଛି।

କିନ୍ତୁ, ଊହାନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜିର ନିର୍ଦେଶକ କହିଛନ୍ତି ଯେ ଏହି ଭୂତାଣୁ ଗବେଷଣାଗାରରୁ ବାହାରି ଯାଇଛି ବୋଲି ଆମେରିକାର ରାଷ୍ଟ୍ରପତି ଏବଂ ଅନ୍ୟମାନେ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ କାଳ୍ପନିକ ଧାରଣା।

Image Source: Asia News

ୱାଙ୍ଗ୍‌ ୟାନ୍‌ୟି କହିଛନ୍ତି ଯେ ଭୂତାଣୁ ପ୍ରତିଷ୍ଠାନ ବାଦୁଡ଼ିଙ୍କ ଠାରୁ ପ୍ରାପ୍ତ କେତୋଟି ଭୂତାଣୁକୁ ପୃଥକ୍ କରି ରଖିଥିଲା। ଆମ ପାଖରେ ଏବେ ତିନିଟି ପ୍ରଜାତିର ଜୀବନ୍ତ ଭୂତାଣୁ ଅଛି। କିନ୍ତୁ, ସେମାନେ ସାର୍ସ-କୋଭ୍-୨ ଭୂତାଣୁ ସହ ଅତି ବେଶୀରେ ୭୯.୮% ମେଳ ଖାଉଛି।

ଭାଇରୋଲୋଜି ଲ୍ୟାବ୍ ଆହୁରି କହିଛି ଯେ ଡିସେମ୍ବର ୩୦ ତାରିଖ ଦିନ ସେଠାକୁ ଅଭିନବ କରୋନାଭାଇରସ୍ ନମୁନା ଆସିଥିଲା। ଜାନୁଆରି ୨ ତାରିଖ ଦିନ ଏହାର ଜେନୋମ୍ ସିକ୍ବେନ୍ସ୍ ନିର୍ଦ୍ଧାରଣ କରାଯାଇଥିଲା। ଏବଂ ଜାନୁଆରି ୧୧ ତାରିଖ ଦିନ ଏହି ପାଥୋଜେନ୍‌ ସମ୍ପର୍କିତ ସୂଚନା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପାଖରେ ଦାଖଲ କରାଯାଇଥିଲା।

ୱାଙ୍ଗ୍ କହିଛନ୍ତି, ଡିସେମ୍ବର ମାସରେ ସେମାନେ ଏହି ନମୁନା ପାଇଥିଲେ। ତାହା ପୂର୍ବରୁ ସେମାନେ ଏହି ଭୂତାଣୁ କେବେ ଦେଖି ନ ଥିଲେ, ଗବେଷଣା କରି ନ ଥିଲେ କି, ରଖି ନ ଥିଲେ। ତେଣୁ, ଏହି ଭୂତାଣୁ ପରୀକ୍ଷାଗାରରୁ ଖସି ଯାଇଥିବାର ପ୍ରଶ୍ନ ହିଁ ଉଠୁନାହିଁ।

 

ସମ୍ବନ୍ଧିତ ଖବର