ଦିଲ୍ଲୀ ପ୍ରଦୂଷଣ ଭୟଙ୍କର, ସତର୍କତା ଚେତାବନୀ ଜାରି କଲା ସିପିସିବି

ନୂଆଦିଲ୍ଲୀ : ଦୀଲ୍ଲୀରେ ପୂର୍ବ ବର୍ଷମାନଙ୍କ ଭଳି ଏଥର ମଧ୍ୟ ଶୀତ ଆରମ୍ଭ ହେବା ପୂର୍ବରୁ ପ୍ରଦୂଷଣସ୍ତର ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଦୀପାବଳି ପରେ ସ୍ଥିତି ଆହୁରି ଭୟଙ୍କର ହେବା ଆଶଙ୍କା ରହିଛି। ଆଜି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଚେତାବନୀ ଜାରି କରାଯାଇ ୧ରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୮୧ରେ ରହିଛି ଯାହାକି ଅତ୍ୟନ୍ତ ଖରାପ ବୋଲି ଧରାଯାଉଛି। ପ୍ରଦୂଷଣ ରୋକିବାକୁ କେନ୍ଦ୍ର ସରକାର ଏବେ ତତ୍ପରତା ଦେଖାଇଛନ୍ତି। ପ୍ରଦୂଷଣ ରୋକିବା ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷ ଏବଂ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ଘୋଷଣା କରିଛନ୍ତି। ପ୍ରଦୂଷଣ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ଏନ୍‌୍‌ସିଆର୍‌ରେ ପ୍ରଦୂଷଣକୁ ନେଇ ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି ତାହାର ଉଲ୍ଲଂଘନ କରୁଥିବା ଲୋକଙ୍କ ନାମ ସାର୍ବଜନୀନ କରାଯିବ। ସଂପୃକ୍ତ ବ୍ୟକ୍ତି ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ଏ କ୍ଷେତ୍ରରେ ଆଇନ ଯଥାରୀତି କାର୍ଯ୍ୟ କରିବ ବୋଲି ପରିବେଶ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି। ଦିଲ୍ଲୀରେ ୧ରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ସମୟ ମଧ୍ୟରେ ଦିଲ୍ଲୀ ଏନ୍‌ସିଆର୍ ଅଂଚଳରେ ସମସ୍ତ ନିର୍ମାଣ କାର୍ଯ୍ୟ ରୋକିବାକୁ ସରକାର ଘୋଷଣା କରିଛନ୍ତି। ଜନସାଧାରଣ ଏଥିପାଇଁ ସତର୍କ ରହିବା ନିମନ୍ତେ ୫ ଦିନ ଆଗରୁ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ପ୍ରଦୂଷଣ ସୃଷ୍ଟିକାରୀ ୨୦୦ରୁ ଅଧିକ ଶିଳ୍ପକୁ ଚିହ୍ନଟ କରାଯାଇଛି ଏବଂ ଏଗୁଡ଼ିକ ୪ରୁ ୧୦ ନଭେମ୍ବର ମଧ୍ୟରେ ବନ୍ଦ ରହିବ ବୋଲ ଜଣାପଡ଼ିଛି।

ସମ୍ବନ୍ଧିତ ଖବର