ଯୁବକଙ୍କୁ ଗାଡ଼ି ଆଗକୁ ଠେଲି ମାରିଥିବା ଡିଏସ୍‌ପିଙ୍କ ଆତ୍ମହତ୍ୟା

ଥିରୁବନନ୍ତପୁରମ୍‌: କେରଳରେ ଜଣେ ଯୁବକଙ୍କୁ ଗାଡ଼ି ଆଗକୁ ଠେଲି ମାରି ଦେଇଥିବା ଅଭିଯୋଗରେ ଜଣେ ପୁଲିସଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଆଜି ଏହି ଅଭିଯୁକ୍ତ ପୁଲିସ ଆତ୍ମହତ୍ୟା କରିଛନ୍ତି। ନେୟାଟିନ୍‌କରା ଡିଏସ୍‌ପି ବି ହରିକୁମାରଙ୍କର ଗତ ସପ୍ତାହରେ ୩୨ ବର୍ଷୀୟ ଜଣେ ଯୁବକ ଏସ୍‌ ସାନାଲଙ୍କ ସହ ପାର୍କିଂ ଜାଗାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଡିଏସ୍‌ପି ହରିକୁମାର ସାନାଲ୍‌ଙ୍କୁ ଏକ ଚଳନ୍ତା ଗାଡ଼ି ଆଗକୁ ଠେଲି ଦେଇଥିବା ଅଭିଯୋଗ ହୋଇଥିଲା। ସାନାଲଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଡିଏସ୍‌ପି ନିଖୋଜ ହୋଇଯାଇଥିଲେ। ଡିଏସ୍‌ପି ହରିକୁମାରଙ୍କୁ ଗିରଫ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ପୁଲିସ ଟିମ୍‌ ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ଆଜି ହରିକୁମାରଙ୍କ ମୃତଦେହ ଥିରୁବନନ୍ତପୁରମ୍‌ ନିକଟସ୍ଥ କଲ୍ଲମବଲମ୍‌ ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର ହୋଇଛି। ଡିଏସ୍‌ପି ହରିକୁମାରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର