ହିଞ୍ଜିଳିରେ ନବୀନଙ୍କଠାରୁ ଆଗରେ ବୃନ୍ଦାବନ!

‌ଭୋଟ ପେଡ଼ିର ପୁରୁଣା କଥା, ସ୍ବରାଜ ମିଶ୍ର

0

ସର୍ବାଧିକ ସମୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶାସନ କ୍ଷମତାରେ ରହିବା ରେକର୍ଡ ରହିଛି ନବୀନ ପଟ୍ଟନାୟକଙ୍କ ନାମରେ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୦୦ ମସିହାଠାରୁ ଲଗାତାର ୪ ଥର ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି ନବୀନ। ଦୀର୍ଘ ୧୯ ବର୍ଷ ଧରି ବିଧାୟକ ଭାବେ ଏହି ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ବ କରି ଆସୁଥିବା ନବୀନ ଏବେ ପୁଣିଥରେ ୫ମ ଥର ପାଇଁ ହିଞ୍ଜିଳିରୁ ଲଢ଼ିବେ ଏବଂ ଆଗକୁ ୫ ବର୍ଷ କାର୍ଯ୍ୟକାଳ ପୂରାକଲେ ଲଗାତାର ୫ଥର ନିର୍ବାଚନ ଜିଣି ୨୪ ବର୍ଷ ଏହି ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରିବା ଏକ କୀର୍ତ୍ତିିମାନ ସ୍ଥାପନ କରିବେ। କିନ୍ତୁ କୌତୂହଳର କଥା ହେଲା ଏ କ୍ଷେତ୍ରରେ ନବୀନଙ୍କ ଠାରୁ ଢେର୍‌ ଆଗରେ ଅଛନ୍ତି ଦକ୍ଷିଣ ଓଡ଼ିଶାର ଲୋକପ୍ରିୟ ଜନନେତା ବୃନ୍ଦାବନ ନାୟକ।

ନବୀନ ୧୯, ବୃନ୍ଦାବନ ୨୭
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ସୁଦ୍ଧା ହିଞ୍ଜିଳିରୁ ଲଗାତାର ୪ ଥର ନିର୍ବାଚିତ ହୋଇଥିବାବେଳେ ତାଙ୍କଠାରୁ ଯଥେଷ୍ଟ ଅଧିକ, ଲଗାତାର ୭ ଥର ଏହି ଆସନରୁ ନିର୍ବାଚିତ ହୋଇଛନ୍ତି ବୃନ୍ଦାବନ ନାୟକ। ୧୯୫୭ରେ ଅନୁଷ୍ଠିତ ହୋଇଥିବା ସ୍ୱାଧୀନତା ପରର ୨ୟ ସାଧାରଣ ନିର୍ବାଚନଠାରୁ ଆରମ୍ଭ କରି ୧୯୮୦ ମସିହାର ୮ମ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଆସନରୁ ନିର୍ବାଚିତ ହୋଇଆସିଛନ୍ତି ଏବଂ ୧୯୮୪ ମସିହା ଅକ୍ଟୋବର ୧୦ ତାରିଖରେ ଇହଧାମ ତ୍ୟାଗ କରିବା ପର୍ଯ୍ୟନ୍ତ ଦୀର୍ଘ ୨୭ ବର୍ଷ ଏହି ବିଧାନସଭା କ୍ଷେତ୍ରର ପ୍ରତିନିଧିତ୍ବ କରିଆସିଛନ୍ତି। ଏହା ନବୀନ ପଟ୍ଟନାୟକଙ୍କର ୧୯ ବର୍ଷର ରେକର୍ଡ଼ଠାରୁ ଯଥେଷ୍ଟ ଅଧିକ।

ବୃନ୍ଦାବନ ନାୟକ
ବୃନ୍ଦାବନ ନାୟକଙ୍କର ରାଜନୈତିକ ସଫଳତା ଅଭୂତପୂର୍ବ। ୧୯୧୨ ମସିହାରେ ଗଞ୍ଜାମ ଜିଲ୍ଲାରେ ଜନ୍ମନେଇଥିବା ଦାମୋଦର ନାୟକଙ୍କର ପୁତ୍ର ବୃନ୍ଦାବନ ମାତ୍ର ୨୦ ବର୍ଷ ବୟସରେ ୧୯୩୨ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବେଳକୁ ସେ ପ୍ରଦେଶ କଂଗ୍ରେସର ଜଣେ ତୁଙ୍ଗ ଯୁବନେତା ହିସାବରେ ନିଜର ପରିଚୟ ସୃଷ୍ଟି କରିସାରିଥିଲେ। ବ୍ରହ୍ମପୁର ମୁନିସିପାଲିଟିର ଚେୟାରମ୍ୟାନ ପଦ ଅଳଙ୍କୃତ କରିବାର ଗୌରବ ହାସଲ କରିଥିବା ବୃନ୍ଦାବନ ନାୟକ ୧୯୫୨ ମସିହାରେ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଲେ। ଏହି ନିର୍ବାଚନରେ ସେ ବ୍ରହ୍ମପୁର ଆସନରୁ କଂଗ୍ରେସ ଦଳର ଟିକେଟରେ ନିର୍ବାଚିତ ହୋଇଥିଲେ। ୧୯୫୭ ଦ୍ବିତୀୟ ବିଧାନସଭା ନିର୍ବାଚନରେ ସେ ବ୍ରହ୍ମପୁର ଛାଡ଼ି ହିଞ୍ଜିଳି ନିର୍ବାଚନ ମଣ୍ଡଳୀକୁ ଆପଣାଇ ନେଇଥିଲେ ଏବଂ ସେହି ଦିନଠାରୁ ୧୯୮୦ ନିର୍ବାଚନ ପର୍ଯ୍ୟନ୍ତ ସେ ଲଗାତାର ଏହି ଆସନର ପ୍ରତିନିଧିତ୍ବ କରିଆସିଛନ୍ତି। ଏହା ଏକ ବିରଳ ରେକର୍ଡ।

ବାଧକ ସାଜିନି ଦଳ ବଦଳ
ବୃନ୍ଦାବନ ନାୟକ ୧୯୫୭, ୧୯୬୧ ଓ ୧୯୬୭ ନିର୍ବାଚନରେ କଂଗ୍ରେସ ଦଳର ଟିକେଟରେ ଲଢ଼ିଥିବାବେଳେ ୧୯୭୧ ଓ ୧୯୭୪ ନିର୍ବାଚନରେ ଉତ୍କଳ କଂଗ୍ରେସ ଦଳର ପ୍ରାର୍ଥୀ ହିସାବରେ ନିର୍ବାଚିତ ହୋଇଥିଲେ। ୧୯୭୭ ମସିହା ନିର୍ବାଚନରେ ସାରା ରାଜ୍ୟରେ ଜନତା ଦଳର ପ୍ରାର୍ଥୀମାନେ ଜିଣୁଥିବା ସମୟରେ ସେ କଂଗ୍ରେସ ପ୍ରାର୍ଥୀ ହିସାବରେ ପୁଣିଥରେ ନିର୍ବାଚିତ ହେଲେ। ଠିକ୍‌ ସେହିପରି ୧୯୮୦ରେ ସାରା ରାଜ୍ୟରେ କଂଗ୍ରେସ ସପକ୍ଷରେ ଥିବା ନିର୍ବାଚନୀ ଲହରକୁ ପଛରେ ପକାଇ ଜନତା(ଏସ୍‌) ଦଳ ଟିକେଟରେ ସେ ହିଞ୍ଜିଳି ଆସନରୁ ନିର୍ବାଚନ ଜିତିଲେ। ଏହା ତାଙ୍କର ଅସାଧାରଣ ବ୍ୟକ୍ତିତ୍ବ ଓ ବିପୁଳ ଜନପ୍ରିୟତାର ପ୍ରମାଣ। ୧୯୫୭ରୁ ୧୯୮୪ ପର୍ଯ୍ୟନ୍ତ ଦୀର୍ଘ ୨୭ ବର୍ଷର ବିଧାନସଭା କାର୍ଯ୍ୟକାଳ ଭିତରେ ସେ ବହୁବାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ହିସାବରେ କାର୍ଯ୍ୟ କରିଛନ୍ତି। ଏହାଛଡ଼ା ୧୯୭୮ ଫେବ୍ରୁଆରି ୨୦ରୁ ୧୯୭୯ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ବିଧାନସଭାର ବିରୋଧୀ ଦଳ ନେତା ପଦବୀରେ ମଧ୍ୟ ରହିଛନ୍ତି। ଜନସାଧାରଣଙ୍କ ହୃଦୟରେ ନିଜର ଆସନ ଜମାଇପାରିଲେ ବିଧାନସଭା ଆସନ ଜିଣିବା ଯେ ଆଦୌ କଷ୍ଟକର ନୁହେଁ ବୃନ୍ଦାବନଙ୍କର ରାଜନୈତିକ ଜୀବନ ତାହାର ଜ୍ୱଳନ୍ତ ପ୍ରମାଣ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.