ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ୪ ଗିରଫ, ମାରଣାସ୍ତ୍ର-ମୋବାଇଲ ସହ ୩ ବାଇକ ଜବତ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରଚିଥିଲେ ଷଡ଼ଯନ୍ତ୍ର ମୁଖ୍ୟ ଅଭିଯୁକ୍ତ ସେକ୍‌ ଇସାକ ଏବଂ ସିଦ୍ଧାର୍ଥ ବାଗ୍‌

ବାଲେଶ୍ୱର: ରେମୁଣାସ୍ଥିତ ବାଲେଶ୍ୱର ସରକାରୀ ମେଡିକାଲ କଲେଜ ଛକରେ ଜଣେ ଯୁବକଙ୍କୁ ଗୁଳିମାଡ଼ ଘଟଣାର ପର୍ଦାଫାଶ କରିଛି ପୁଲିସ। ଶିଳ୍ପାଞ୍ଚଳ ଥାନା ପୁଲିସ ଏହି ଘଟଣାରେ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଚାନ୍ଦିପୁର ଥାନା ଅଧୀନ ନୂଆନଈ ଗ୍ରାମର ସେଖ୍‌ ଇସାକ୍‌ ଅଲ୍ଲି, ରଣସାହି ଗ୍ରାମର ସଂଗ୍ରାମ ଓରଫ୍‌ ସର୍ବେଶ୍ୱର ମଲ୍ଲିକ, ଟାଉନ୍‌ ଥାନା ଅଧୀନ ଗୋପାଳଗାଁର ବାଘ ଓରଫ୍‌ ସିଦ୍ଧାର୍ଥ ଶଙ୍କର ବାଗ ଓ ଶିଳ୍ପାଞ୍ଚଳ ଥାନା ଅଧୀନ ନୂଆଗାଁର ରାଜୁ ଓରଫ୍‌ ରାଜେନ୍ଦ୍ର ପ୍ରଧାନ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପୁଲିସ ଜାଣିବାକୁ ପାଇଛି। ଗିରଫ ବେଳେ ସେମାନଙ୍କ ଠାରୁ ଗୋଟିଏ ଦେଶୀବନ୍ଧୁକ, ୫ଟି ଜୀବନ୍ତଗୁଳି, ଗୋଟିଏ ଖଣ୍ଡା, ୫ଟି ମୋବାଇଲ ସମେତ ୩ଟି ବାଇକ୍‌(ପଲସର-ଓଡି-୦୧ଏବି-୯୦୮୭, ହିରୋହୋଣ୍ଡା ସିଡି ଡିଲକ୍ସ (ଓଡି-୦୧-୭୩୧୭) ଓ ୟାମ୍‌ହା ଏଫଜେଡ୍‌ଆର (ଓଡି-୦୧ଡବ୍ଲୁ-୬୧୧୧) ଜବତ କରାଯାଇଥିବା ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଲ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୪ ତାରିଖ ସଂଧ୍ୟାରେ ରେମୁଣା ଥାନା ଅଧୀନ ଜଗନ୍ନାଥପୁର ଗ୍ରାମର ବାଦଲ ଓରଫ୍‌ ସମ୍ଭବ କୁମାର ସାହୁ ଓ ତାଙ୍କର କିଛି ବନ୍ଧୁ ବାଲେଶ୍ୱର ସରକାରୀ ମେଡିକାଲ କଲେଜ ଛକସ୍ଥିତ ଏକ ହୋଟେଲରେ ବସିଥିଲେ। ହଠାତ୍‌ ଏହି ସମୟରେ ସେଠାରେ କିଛି ଯୁବକ ୩ଟି ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ। ଏହା ପରେ ସେମାନେ ସିଧା ସମ୍ଭବଙ୍କ ଉପରକୁ ଗୁଳିମାଡ଼ କରିବା ସହ ତାଙ୍କ ସାଙ୍ଗମାନଙ୍କୁ ଖଣ୍ଡାରେ ଆକ୍ରମଣ ପାଇଁ ଗୋଡ଼ାଇଥିଲେ। ପ୍ରାଣଭୟରେ ସେମାନେ ଦୌଡ଼ି ପଳାଇଯାଇଥିବା ବେଳେ ଆକ୍ରମଣକାରୀମାନେ ସେଠାରୁ ଛୁ ମାରିଥିଲେ। ତେବେ ସମ୍ଭବଙ୍କ ଡାହାଣ ହାତର କହୁଣି ପାଖରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ସେହିଦିନ ସମ୍ଭବଙ୍କ ବାପା ରଘୁନାଥ ସାହୁ ଶିଳ୍ପାଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର