ଆରଜେଡିରେ ବିଭାଜନ ଆସନ୍ନ ! ‘ଲାଲୁ-ରାବଡ଼ି ମୋର୍ଚ୍ଚା’ ଗଢିଲେ ତେଜପ୍ରତାପ

ପାଟନା : ଲାଲୁ ଯାଦବଙ୍କ ପରିବାରରେ ବିବାଦ ଦିନକୁ ଦିନ ବଢିଚାଲିଛି । ବିଶେଷକରି ଲାଲୁଙ୍କ ଦୁଇପୁଅ ତେଜପ୍ରତାପ ଓ ତେଜସ୍ୱୀଙ୍କ ମଧ୍ୟରେ ମନୋମାଳିନ୍ୟ ଚରମ ସୀମାରେ ପହଞ୍ଚିଲାଣି । କିଛିଦିନ ତଳେ ତେଜପ୍ରତାପ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଛାତ୍ର ସଂଗଠନର ମୁଖ୍ୟ ପଦ ଛାଡିବା ପରେ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି । ସେ ଲାଲୁ ରାବଡ଼ି ମୋର୍ଚ୍ଚା ନାମକ ଏକ ନୂଆ ରାଜନୈତିକ ସଂଗଠନ ଗଢିଛନ୍ତି । ଏହା ଆରଜେଡିର ବିଭାଜନର ସଂକେତ ଦେଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଏହି ସଂଗଠନ ବିହାରର ଶିଓହର ଓ ଜାହାନାବାଦ ଆସନରେ ନିଜର ପ୍ରାର୍ଥୀ ଦେବ । ଏହି ସବୁ ଆସନରେ ଆରଜେଡିର ଘୋଷିତ ପ୍ରାର୍ଥୀଙ୍କ ବିରୋଧରେ ଛିଡା ହୋଇଥିବା ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛି ।  ଅନ୍ୟପକ୍ଷରେ ସେ ବିହାରର ସରନ ଆସନରୁ ଲଢିବାର ସଂକେତ ଦେଇଛନ୍ତି ।  କିନ୍ତୁ ମଜାକଥା ହେଉଛି ଯେ ଏହି ଆସନରୁ ତାଙ୍କ ଶ୍ୱଶୂର ଚନ୍ଦ୍ରିକା ରାୟ ଛିଡା ହେବେ ବୋଲି ତେଜସ୍ୱୀ ପୂର୍ବରୁ ଘୋଷଣା କରିସାରିଛନ୍ତି । ଏହି କାରଣରୁ ତେଜପ୍ରତାପ ଅସନ୍ତୁଷ୍ଟ ଅଛନ୍ତି । ଏହି ଆସନଟି ଲାଲୁ ପ୍ରସାଦ ଯାଦବଙ୍କ ଆସନ । ସେ ଏଠାରୁ ୪ ଥର ଜିତିଥିଲେ ।  ଏହି ଆସନକୁ ଅନ୍ୟକୁ ଦେଇଦେବା ତାଙ୍କ ପିତାଙ୍କ ଅପମାନ ବୋଲି ସେ ମନେ କରୁଛନ୍ତି ।

ସମ୍ବନ୍ଧିତ ଖବର