ମହିଳାଙ୍କୁ ତିନ୍‌ ତଲାକ୍ ଘଟଣା : ସ୍ବାମୀ ଦେଉଛନ୍ତି ଧମକ

ଅଭିଯୋଗ ପରେ ବି ହାତବାନ୍ଧି ବସିଛି ପୁଲିସ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ, ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହିଳା

ସୋର : ବହୁ ଚର୍ଚ୍ଚା ଓ ତର୍କ ବିତର୍କ ପରେ କେନ୍ଦ୍ର ସରକାର ମୁସଲିମ୍‌ ସମ୍ପ୍ରଦାୟର ତିନି ତଲାକ୍‌ ବ୍ୟବସ୍ଥାକୁ ବେଆଇନ ଘୋଷଣା କରିବା ସହ ନୂଆ ଆଇନ୍‌ ପ୍ରଣୟନ କ‌ଲେ। ମୁସଲିମ୍‌ ମହିଳାଙ୍କ ସାମାଜିକ ସୁରକ୍ଷା ପାଇଁ ଏହି ଆଇନ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବିବେଚିତ ହେଲା। କିନ୍ତୁ ସବୁ ପରେ ବି ବ୍ୟବସ୍ଥା ବଦଳି ପାରିନି। ଯାହାର ପ୍ରମାଣ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ। ଏଠିକାର ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ତିନି ତଲାକ ଦେଇଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି। ଯାହାଫଳରେ ସ୍ବାମୀ ନିର୍ଯାତନା ଦେଉଥିବା ବେଳେ ତାଙ୍କ ସାମାଜିକ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।

ସୋର ଏନ୍‌ଏସି ଅଧୀନ ପଠାଣମହଲା ବସ୍ତିର ଶହିମ ଖାନ ଆଗରପଡ଼‌ା ଅଂଚଳର ରେସୋ ଖାତୁନଙ୍କୁ ଗତବର୍ଷ ମେ ମାସରେ ବିବାହ କରିଥିଲେ। ତେବେ ସେହି ବର୍ଷ ଡିସେମ୍ବର ୨୨ ତାରିଖରଠାରୁ ଚଳିତ ବର୍ଷ ଫେବ୍ରୁଆରି ୨୨ ତାରିଖ ମଧ୍ୟରେ ରେସୋଙ୍କୁ ୩ ଥର ତଲାକ୍ ଦେଇଥିଲେ ଶହିମ। ଏନେଇ ମହିଳା ଜଣକ ଗତ ୧୩ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ। ତେବେ ନୂଆ ଆଇନ ପ୍ରଣୟନ ପରେ ଏହା ହାତଗଣତି କିଛି ତିନି ତଲାକ୍‌ ମାମଲା ମଧ୍ୟରୁ ଏକ ହୋଇଥିବାରୁ ଏନେଇ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହେଲା। ତଲାକ୍‌ ଦେବା ଘଟଣା ଥାନାକୁ ଯିବା ପରେ ବି ରୋସା ନିଜ ଶ୍ବଶୁର ଘର ଛାଡ଼ିନାହାନ୍ତି। ତେବେ ପୁଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ବେଳେ ସମ୍ପୃକ୍ତ ମହିଳାଙ୍କୁ ତାଙ୍କ ସ୍ବାମୀ ଶହିମ ଏବେ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ସହ ହତ୍ୟା ଧମକ ଦେଉଥିବା ଅଭିଯୋଗ କରିଛନ୍ତି। ଏମିତି କି ସେ ରହୁଥିବା ଘରର ବିଦ୍ୟୁତ୍‌ ସଂଯୋଗ ମଧ୍ୟ କାଟି ଦିଆଯାଇଛି।

ଏପରି ସମୟରେ ରେସୋ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଫଳରେ ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସୋର ତହସିଲଦାର ଦେବୀ ପ୍ରସାଦ ଦାଶ ଏବଂ ଥାନା ଭାରପ୍ରାପ୍ତ ଅଧିକାରୀ କ୍ଷମାସାଗର ପଣ୍ତାଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥିସହ ପୀଡ଼ିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମାନବାଧିକାର କମିସନ, ମୁଖ୍ୟମନ୍ତ୍ରୀ, ରାଜ୍ୟ ପୁଲିସ ଆଇଜିଙ୍କୁ ମଧ୍ୟ ନିଜ ସୁରକ୍ଷା ପାଇଁ ଲିଖିତ ଭାବେ ଜଣାଇଛନ୍ତି।

ତେବେ ଏନେଇ ତହସିଲଦାର ଦେବୀ ପ୍ରସାଦ ଦାଶଙ୍କୁ ପଚାରିବାରୁ ସେ ପୁଲିସ ସହ କଥା ହୋଇ ରୋସାଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କହିଛନ୍ତି। ସେହିପରି ତାଙ୍କର ସାମାଜିକ ସୁରକ୍ଷା ନେଇ ମଧ୍ୟ ସମାଜ ମଙ୍ଗଳ ଅଧିକାରୀଙ୍କୁ ଅବଗତ କରାଇଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର