ମୁମ୍ବାଇ : ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ମାନବିକତାର ଏକ ବିରଳ ଉଦାହରଣ । ନିଜ ଜୀବନକୁ ବାଜି ଲଗାଇ ଆହାତ ଯୁବକଙ୍କୁ ବଞ୍ଚାଇଛନ୍ତି ଜଣେ ଏମ୍ବିଏ ଛାତ୍ର । ରେଳ ଧାରଣା ଉପରେ ଠିଆ ହୋଇ ସାହାସିକତାର ସହ ଟ୍ରେନକୁ ରୋକିବା ପାଇଁ ହାତ ହଲାଇବା ସହ ଆହତ ହୋଇଥିବା ଯୁବକଙ୍କୁ ଧାରଣାରୁ ବାହାରକୁ ଆଣିଥିବା ଜଣା ପଡ଼ିଛି । ଏହା ପରେ ସେ ଆହାତଙ୍କୁ ହସ୍ପିଟାଲ ନେଇ ଚିକିତ୍ସା ମଧ୍ୟ କରାଇଛନ୍ତି। ଏବେ ଆହତ ଜଣଙ୍କ ଅବସ୍ଥା ସୁଧୁରୁଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଦିନ ୧୦.୩୦ରେ ଶ୍ରବଣ ପ୍ରେମ ତିଓ୍ଵାରୀ ଚାର୍ନି ରୋଡ଼୍ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ । ଟ୍ରେନ ଆସିଲା କି ନାହିଁ ଦେଖିବା ପାଇଁ ତଳକୁ ନଇଁଥିବା ବେଳେ ରେଳ ଧାରଣାରେ କିଏ ଜଣେ ଶୋଇଥିବା ଭଳି ତାଙ୍କୁ ଲାଗିଥିଲା । ପାଖକୁ ଯାଇ ଦେଖିବା ପରେ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ଧାରଣା ଉପରେ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ । ତେବେ, ଯୁବକ ଜଣକ ମରି ଯାଇଥିବା ସନ୍ଦେହ କରି ସେ ଆହତ ଯୁବକଙ୍କ ନାକ ପାଖକୁ ହାତ ନେବା ପରେ ତାଙ୍କର ନିଶ୍ୱାସ ଚାଲୁଥିବାର ସେ ଅନୁଭବ କରିଥିଲେ । କିନ୍ତୁ ସେହି ସମୟରେ ଷ୍ଟେସନ ଆଡ଼କୁ ଟ୍ରେନଟି ଆସୁଥିବା ସେ ଦେଖିବାକୁ ପାଇଥିଲେ। ଏ ପରିସ୍ଥିତିରେ କ’ଣ କରିବେ କିଛି ଠିକ୍ କରି ନପାରି ସେ ଧାରଣା ଉପରେ ଠିଆ ହୋଇ ଜୋରରେ ହାତ ହଲାଇବାକୁ ଲାଗିଥିଲେ । ଟ୍ରେନଟି କିଛି ବାଟ ଆଗକୁ ଆସିବା ପରେ ଟ୍ରେନ୍ର ପାଇଲଟ ଜଣଙ୍କ ଶ୍ରବଣ ହାତ ହଲାଉଥିବାର ଦେଖିଥିଲେ । ଏହା ପରେ ଚାଳକ ଜଣଙ୍କ ଗାଡ଼ି ରଖିବା ସହ ଜଣେ ଯାତ୍ରୀ ଶ୍ରବଣଙ୍କ ପାଟି ଶୁଣି ତାଙ୍କୁ ସାହାଯ୍ୟ କରିବା ପାଇଁ ଦୌଡ଼ି ଆସିଥିଲେ । ଏହା ପରେ ଦୁଇ ଜଣ ମିଶି ଆହତ ଯୁବକଙ୍କୁ ଧାରଣାରୁ ବାହାର ଆଣିିଥିଲେ ।
ଶ୍ରବଣଙ୍କ କହିବା ଅନୁଯାୟୀ, ସେହି ସମୟରେ ପୋଲିସ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ଆମକୁ ସାହାଯ୍ୟ କରିବାର ବିଳମ୍ବ କରିଥିଲେ । ଏହାପରେ ଆମେ ଆହତ ଯୁବକ ଯାହାଙ୍କ ନାମ ଅଶ୍ୱିନ ସାଓ୍ଵନ୍ତ ବୋଲି ଜଣା ପଡ଼ିଛି, ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲୁ । ଏହା ପରେ ତାଙ୍କ ପରିବାର ଲୋକଙ୍କୁ ଏହି ଦୁର୍ଘଟଣା ବିଷୟରେ ମୁଁ ଫୋନ କରି ଜଣାଇଥିଲି । ଏବେ ଅଶ୍ୱିନଙ୍କ ଅବସ୍ଥା ସୁଧୁରୁଛି ବୋଲି ଡ଼ାକ୍ତର ଜଣାଇଥିବା ବେଳେ ଅଶ୍ୱିନ କିପରି ରେଳ ଧାରଣା ଉପରକୁ ଆସିଲେ ସେ ନେଇ ଏବେ ତଦନ୍ତ ଆରମ୍ଭ ହୋଇଥିବା ଜଣା ପଡ଼ିଛି ।