ଆପଣଙ୍କ ଶରୀରରେ ଏହି ସବୁ ପରିବର୍ତ୍ତନ ଦେଖା ଦେଉଛି କି? ହୋଇପାରେ ରକ୍ତ କର୍କଟର ଲକ୍ଷଣ
ଠିକ୍ ସମୟରେ ନ ଖାଇବା ଏବଂ କାର୍ଯ୍ୟବ୍ୟସ୍ତତା ହେତୁ ଲୋକମାନେ ଅନେକ ରୋଗର ଶିକାର ହୋଇଥାନ୍ତି। ଏହା ମଧ୍ୟରୁ ଗୋଟେ ହେଉଛି ରକ୍ତ କର୍କଟ ବା ଲିକ୍ୟୁମିୟା । ଆଜିକାଲି ଦେଶରେ ରକ୍ତ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ପ୍ରତିବର୍ଷ ଅନେକ ଲୋକ ଏହି ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଛନ୍ତି । ଏହି ରୋଗ କୌଣସି ବି ବୟସର ଲୋକମାନଙ୍କୁ ହେଉଥିବା ବେଳେ ୩୦ବର୍ଷ ପରେ ଏହି ରୋଗ ହେବାର ଆଶଙ୍କା ଅଧିକ ହୋଇଥାଏ । ରକ୍ତ କର୍କଟ ରୋଗୀମାନଙ୍କୁ ଆରମ୍ଭରୁ ଏହି ରୋଗ ବିଷୟରେ ଜଣା ପଡ଼ି ନଥାଏ ଯାହା ପରେ ଗମ୍ଭୀର ରୂପ ନେଇଥାଏ । ସେଥିପାଇଁ ସମସ୍ତଙ୍କୁ ଏହି ରୋଗ ଆରମ୍ଭ ହେବାର ଲକ୍ଷଣ ବିଷୟରେ ଜାଣି ରଖିବା ଦରାକାର । ଯାହା ଫଳରେ ସମୟ ପୂର୍ବରୁ ଏହାର ଚିକିତ୍ସା କରିବା ସମ୍ଭବ ହୋଇ ପାରିବ । ତେବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ବିଷୟରେ..
Sambad is now on WhatsApp
Join and get latest news updates delivered to you via WhatsApp
୧.ରକ୍ତ କର୍କଟ ରୋଗ ହେବା ମାତ୍ରେ ଆରମ୍ଭରୁ ଆନେମିୟା ହେବା ଭଳି ସଂକେତ ମିଳିଥାଏ । ସବୁବେଳେ ଥକା ଲାଗିବା ସହ ଦୁର୍ବଳ ଲାଗିବା ବା ଥଣ୍ଡା ହେବା ଏହି ରୋଗର ଲକ୍ଷଣ ହୋଇପାରେ ।
୨.ରକ୍ତ କର୍କଟ ହୋଇଥିଲେ ଆରମ୍ଭ ଦିନମାନଙ୍କରେ ଆପଣଙ୍କ ଗଳା ଏବଂ କାଖ ତଳ ଦରଜ ହେବାକୁ ଲାଗିଥାଏ। ଏହା ସହ ଯଦି ଆପଣଙ୍କ ଗୋଡ଼ ବିନ୍ଧା ଏବଂ ଛାତି ପୋଡ଼ାଜଳା ହେଉଛି ତେବେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।
୩. ଯଦି ଆପଣଙ୍କ ନାକ, ପାଟି ବା ଶୌଚ କରିବା ସମୟରେ ରକ୍ତ ବାହାରୁଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ ଡ଼ାକ୍ତରଖାନା ଯାଇ ରକ୍ତ କର୍କଟ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ ।
୪.ନିମୋନିଆ ହେବା, ମୁହଁରେ ଘା’ ହେବା, ଚର୍ମ ଲାଲ ପଡ଼ିଯିବା,ମୁଣ୍ଡ ବିନ୍ଧା ହେବା ଭଳି ଲକ୍ଷଣ ଦେଖା ଗଲେ ଏହାକୁ ଅଣଦେଖା ଜମା ବି କରନ୍ତୁ ନାହିଁ ।
୫. ହଠାତ୍ ଓଜନ କମିଯିବା ବା ଭୋକ ନ ଲାଗିବା ଭଳି ସମସ୍ୟା ଦେଖାଗଲେ ସତର୍କ ହୋଇଯାଆନ୍ତୁ । ରକ୍ତ କର୍କଟ ହେଲେ ରୋଗୀର ଶରୀର ଅସାଧାରଣ ଭାବରେ କମ ହୋଇ ଯାଇଥାଏ । ଏପରି ହେଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।
୬. ପାଗ ଥଣ୍ଡା ଥାଇ ମଧ୍ୟ ଯଦି ଆପଣଙ୍କ ଶରୀରରୁ ଝାଳ ବାହାରୁଛି ତେବେ ଏହା ରକ୍ତ କର୍କଟର ଲକ୍ଷଣ ବୋଲି ଜାଣି ରଖନ୍ତୁ ।
୭.ରକ୍ତରେ ପ୍ଲେଟ୍ଲେଟ୍ସର ପରିମାଣ କମ ହୋଇଯିବା ମଧ୍ୟ ରକ୍ତ କର୍କଟର ଲକ୍ଷଣ ଅଟେ । ଏହାର ପ୍ରଭାବରେ ଶରୀରରେ ନୀଳ ଏବଂ ବାଇଗଣୀ ରଙ୍ଗର ଚିହ୍ନ ହୋଇ ଯାଇଥାଏ ।