ଇଲେକ୍ସନ ଆଇକନ ‌ଲୋମା: ପିଲାଟି ବେଳୁ ଶୁଣିପାରନ୍ତିନି, କିନ୍ତୁ ବନିଲେ କରାଟେ ଟପ୍ଫର

ପିଲାଟି ବେଳୁ ସେ ଶୁଣିପାରନ୍ତିନି। ବଡ଼ ହେବା ପରେ କଥା ମଧ୍ୟ କହିପାରିଲେନି। ବୟସ ସହ ତାଙ୍କର ଏହି ଅକ୍ଷମତା ବଢ଼ି ବଢ଼ି ଚାଲିଥିଲା। ହେଲେ ସେ ହାରି ଯାଇନଥିଲେ। ବିଳମ୍ବରେ ହେଉ ପଛେ ଆରମ୍ଭ କରିଥିଲେ ପାଠପଢ଼ା। ଏହା ସହ ନେଇଥିଲେ ଆତ୍ମରକ୍ଷା ପ୍ରଶିକ୍ଷଣ। ଏକଦା ଆତ୍ମରକ୍ଷା ପାଇଁ ନେଇଥିବା କରା‌ଟେ ପ୍ରଶିକ୍ଷଣ ତାଙ୍କୁ ଦେଇଥିଲା ସ୍ବତନ୍ତ୍ର ପରିଚୟ। ୩ଟି ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ତାଙ୍କୁ ମିଳିଥିଲା ତିନୋଟି ସ୍ବର୍ଣ୍ଣ ପଦକ। ତାଙ୍କର ଏଭଳି ଦକ୍ଷତା ପାଇଁ ଏବେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଇଲେକ୍ସନ ଆଇକନ୍‌ କରିଛି। ଜିଲ୍ଲା ପ୍ରଶାସନର ଭୋଟର୍‌ ସଚେତନତା ପୋଷ୍ଟର୍‌ରେ ରହିଛି ତାଙ୍କର ଫଟୋ।

ଜଗତସିଂହପୁର ଭୁତମୁ‌ଣ୍ଡେଇ ଗ୍ରାମର ‌ଲୋମା ସ୍ବାଇଁ ଏଭଳି ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ସତ୍ୟଭାମାଦେବୀ କଲେଜ୍‌ ଫର ହିୟରିଂ ଇମ୍ପାର୍ଡରେ ଯୁକ୍ତ ତିନି ପଢ଼ନ୍ତି। ବାପା ସରକାରୀ କର୍ମଚାରୀ, ମା’ ରାଜନେତ୍ରୀ। ଜୟଦେବ ବିହାରରେ ରହି ସେ ପାଠ ପଢ଼ିବା ସହ କରାଟେ ଶିକ୍ଷା ଗ୍ରହଣ କରନ୍ତି। ଦିବ୍ୟାଙ୍ଗ ବୋଲି ମନରେ ତିଳେ ହେଲେ ଦ୍ବିଧା ନାହିଁ, ବରଂ ପ୍ରତ୍ୟେକ ଦିବ୍ୟାଙ୍ଗଙ୍କ ପାଇଁ ସେ ଉଦାହରଣ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ୨୦୧୬ରେ ଏସିଆନ୍‌ ଆଣ୍ଡ ଇଣ୍ଟରନ୍ୟାସ୍‌ନାଲ ଡବ୍ଲୁଏଫ୍‌ଏସ୍‌କେଓ କପ୍‌, ଟେର୍‌ସିକପ୍‌, ନାସନାଲ ଡିଫ୍‌ ସିନିୟର ଚାମ୍ପିଅନସିପ୍‌ ୨୦୧୯ ପ୍ରତିଯୋଗିତାରେ ତାଙ୍କୁ ସ୍ବର୍ଣ୍ଣପଦକ ମିଳିଥିବା ବେଳେ ଏପ୍ରିଲ ୩ ତାରିଖରେ ସେ ଆଉ ଏକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆସାମ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଅନେକ ଜାଗାରେ ମୁଖ୍ୟସ୍ରୋତରେ ଆଗକୁ ବଢ଼ିବା ବେଳେ ତାଙ୍କୁ କଷ୍ଟ ହେଉଥିଲେ ମଧ୍ୟ ଆତ୍ମବିଶ୍ବାସ ତାଙ୍କୁ ଆଗକୁ ବଢ଼ିବାରେ ସାହସ ଯୋଗାଇଛି।

ସ୍ବପ୍ନ ଦେଖିବା ଆଉ ତାକୁ ବାସ୍ତବତାର ରୂପ ଦେବା ଭିତରେ ଅନେକ ଦୂରତା ରହିଛି। କେବଳ ଇଚ୍ଛାଶକ୍ତି ହିଁ ଏହି ଦୂରତାକୁ କମାଇ ପାରିବ ବୋଲି କହିଛନ୍ତି ଲୋମା।

ସମ୍ବନ୍ଧିତ ଖବର