ସୁସ୍ୱାସ୍ଥ୍ୟ ଲାଗି ଏସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ !

କୁହାଯାଏଯେ ନିଜର ସ୍ୱାସ୍ଥ୍ୟ ନିଜ ହାତରେ । ସୁସ୍ୱାସ୍ଥ୍ୟ ସହିତ ନିଜକୁ ଫିଟ୍‌ ରଖିବା ପାଇଁ କେତେକ ସ୍ୱତନ୍ତ୍ର ଅଭ୍ୟାସ ପ୍ରତି ଧ୍ୟାନ ଦେବାକୁ ପଡିବ । ଏସବୁ ଦିଗ ପ୍ରତି ଉପଯୁକ୍ତ ଧ୍ୟାନ ଦିଆଗଲେ, ଆପଣ ନିଜକୁ ଫିଟ୍‌ ରଖିପାରିବେ ଓ ସୁଖମୟ ଜୀବନଶୈଳୀକୁ ଆପଣାଇ ପାରିବେ ।

ସଂପୂର୍ଣ୍ଣ ନିଦ୍ରା ନେବାକୁ ଭୁଲନ୍ତୁ ନାହିଁ – ଶରୀର ଉପରେ ନିଦ୍ରାର ଯଥେଷ୍ଟ ପ୍ରଭାବ ରହିଛି । ନିଦ ସଂପୂର୍ଣ୍ଣ ନ ହେଲେ ବା ଆବଶ୍ୟକତାଠୁଁ କମ୍‌ ଶୋଇଲେ ଏହାର ପ୍ରଭାବ ମେଟାବଲିଜିମ୍‌, ମୁଡ୍‌, ଏକାଗ୍ରତା ଓ ସ୍ମରଣ ଶକ୍ତି ଉପରେ ପଡ଼ିଥାଏ । ସଂପୂର୍ଣ୍ଣ ମାତ୍ରାରେ ନିଦ୍ରା ଗଲେ, ଆପଣଙ୍କ ଶରୀରରେ ନୂତନ ଶକ୍ତିର ସଞ୍ଚାର ହୋଇ ଥାଏ । ଏଣୁ ପ୍ରତ୍ୟହ ସୁନିଦ୍ରା ଯାଆନ୍ତୁ ।

ବ୍ୟାୟାମ କରନ୍ତୁ – ମନେ ରଖନ୍ତୁ ଫିଟ୍‌ ଓ ସୁସ୍ଥ ରହିବା ଲାଗି ବ୍ୟାୟାମର ପ୍ରମୁଖ ଭୂମିକା ରହିଛି । ଏଣୁ ପ୍ରତିଦିନ ଅତିକମ୍‌ରେ ୨୦ ମିନିଟ୍‌ର ବ୍ୟାୟାମ ଅଭ୍ୟାସ କରନ୍ତୁ । ତା’ନହେଲେ ୨୦ ମିନିଟ୍‌ ଚାଲନ୍ତୁ । ଏହା ଦ୍ୱାରା ଶରୀର ଫିଟ୍‌ ରହିବ । ଏପରି କଲେ ମନ ସ୍ଫୁର୍ତ୍ତି ରହିବ ।
ପେଟପୁରା ଖାଆନ୍ତୁ ନାହିଁ – ଅନେକ ଲୋକ ପେଟପୁରା ଖାଇବାରେ ଅଭ୍ୟସ୍ତ । କାରଣ ସେମାନେ ଭାବନ୍ତି ଯେଏପରି ଖାଇଲେ ଦେହ ଭଲ ରହିବ । କିନ୍ତୁ ପ୍ରକୃତରେ ତାହା ଠିକ୍‌ ନୁହେଁ । ମନେ ରଖନ୍ତୁ କେବେ ବି ପେଟଭର୍ତ୍ତି କରି ଖାଆନ୍ତୁ ନାହିଁ । ପେଟରେ ସବୁବେଳେ କିଛି ଖାଲି ଜାଗା ରଖନ୍ତୁ ।

ସକାଳ ଜଳଖିଆ ଜରୁରୀ – ସକାଳ ଜଳଖିଆ ଖାଇବାକୁ କେବେ ବି ଭୁଲନ୍ତୁ ନାହିଁ । ଯଦି ଟୋଷ୍ଟ,ପରଟା ବା ରୁଟି ଖାଇବାକୁ ଚାହୁଁଛନ୍ତି ଭଲ, କିନ୍ତୁ ଫଳରସ ବା ଗାଜର, ଟମାଟୋ ଜୁସ୍‌ ସେବନ କରନ୍ତୁ । ତେବେ ବ୍ରେକ୍‌ଫାଷ୍ଟ ନ ନେବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଏକଥା ମନେରଖନ୍ତୁ । ଏଣୁ ସକାଳ ଜଳଖିଆ ଜରୁରୀ ବୋଲି ଧରିବାକୁ ପଡିବ ।
ଚିନ୍ତିତ ରହନ୍ତୁ ନାହିଁ- ଜୀବନରେ ଯିଏ ବିନା ଚିନ୍ତାରେ ସମୟ ବିତାଇଛି ତାଠୁ ଆଉ ସୁସ୍ଥ ବା କିଏ ଅଛି। କଥାରେ ଅଛି ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି। ଏଣୁ ଚେଷ୍ଟା କରନ୍ତୁ ସର୍ବଦା ଶାନ୍ତ ରହନ୍ତୁ ଏବଂ କୌଣସି ଛୋଟ କଥାକୁ ବ୍ୟସ୍ତ ହୁଅନ୍ତୁ ନାହିଁ।

ଠିକ୍‌ ପରିମାଣର ପାଣି ପିଅନ୍ତୁ- ଅନେକ ଲୋକ ଦିନରେ ଏତେ ବ୍ୟସ୍ତ ରହନ୍ତି ଯେ ସେମାନେ ପାଣି ପିଇବାକୁ ଭୁଲିଯାନ୍ତି। ଆଉ କେତେକଙ୍କର ଅଭ୍ୟାସ ରହିଛି ଯେ ଖାଇବାପରେ ତତକ୍ଷଣାତ୍‌ ପାଣି ପିଅନ୍ତି। ଆଉ କେତେକ ଲୋକ କେତେ ପରିମାଣର ପାଣି ପିଇବା ଉଚିତ ତାହା ଜାଣି ନଥିବା ହେତୁ ଅନେକ ସମୟରେ କମ୍‌ ପାଣି ପିଇଥାନ୍ତି ତ ପୁଣି ଦିନେ ଦିନେ ବେଶୀ ମାତ୍ରାରେ ଜଳ ପିଅନ୍ତି। ଏହା ମଧ୍ୟ ଅସୁସ୍ଥତାର କାରଣ ହୋଇପାରେ।

ସମ୍ବନ୍ଧିତ ଖବର