ଶୀତଦିନେ ଶରୀର ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ ହୋଇଥାଏ; ଜାଣନ୍ତୁ ପ୍ରାକୃତିକ ଉପାୟରେ କେମିତି ବଢ଼ାଇବେ ରୋଗ ପ୍ରତିରୋଧକ ଶକ୍ତି

ଶୀତଦିନ ଆରମ୍ଭ ହୋଇଗଲାଣି। ଏହି ଋତୁରେ ପ୍ରଦୂଷଣ ଆହୁରି ବଢ଼ିଯାଏ। ପ୍ରଦୂଷଣ କିମ୍ବା ଥଣ୍ଡାର ପ୍ରଭାବକୁ ଆମେ ବନ୍ଦ କରିପାରିବା ନାହିଁ। ତେବେ ଶୀତ ସହ ଲଢ଼ିବା ଲାଗି ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବା ଜରୁରୀ। ଏହା ଫଳରେ ରୋଗ ସଂକ୍ରମଣରୁ ରକ୍ଷା ପାଇପାରିବା। କେତେକ ପ୍ରାକୃତିକ ପଦ୍ଧତି ଆପଣାଇ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ଥଣ୍ଡାଜନିତ ରୋଗରୁ ଦୂରେଇ ରହିହେବ। ଡାଏଟ୍‌ ଓ େଓ୍ଵଲ୍‌ନେସ୍‌ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ସବୁ ପଦ୍ଧତି ସହଜରେ ଆପଣାଇ ହେବ।

 

 

 

ସକାଳ ସୂର୍ଯ୍ୟକିରଣରେ ବସନ୍ତୁ: ସକାଳ ସୂର୍ଯ୍ୟକିରଣରେ ବସିବା ଦ୍ୱାରା ଶରୀରକୁ ଭିଟାମିନ୍‌-ଡି ମିଳିଥାଏ, ଯାହା ରୋଗ ସହ ଲଢ଼ିବା ପାଇଁ ଅତି ଦରକାରୀ। ଏମିତି ପ୍ରତ୍ୟେକ ଦିନ ୧୫-୨୦ ମିନିଟ୍‌ ସକାଳ ସୂର୍ଯ୍ୟକିରଣରେ ବସନ୍ତୁ।

 

ପର୍ଯ୍ୟାପ୍ତ ଶୁଅନ୍ତୁ: ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଅତି କମ୍‌ରେ ୭ଘଣ୍ଟା ଶୁଅନ୍ତୁ। ନିଦ ଅଭାବ ଯୋଗୁଁ ଷ୍ଟ୍ରେସ୍‌ ବା ମାନସିକ ଚାପ ବଢ଼ିଥାଏ, ଯାହା ଦ୍ୱାରା ଶରୀରରେ କାର୍ଟିସୋଲ୍‌ ହର୍ମୋନ୍‌ ବଢ଼ିଥାଏ। ଏହି ହର୍ମୋନ୍‌ ରୋଗପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦିଏ।

 

ତୁଳସୀ, ରସୁଣ କିମ୍ବା ଅଦା ଖାଆନ୍ତୁ: ତୁଳସୀ, ରସୁଣ, ଅଶ୍ୱଗନ୍ଧା, ଅଦା ଭଳି ଦ୍ରବ୍ୟ ଆମ ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ ଯାହା ସଂକ୍ରମଣ ସହ ଲଢ଼ିବାର କ୍ଷମତା ଯୋଗାଇଥାଏ । ଏମାନଙ୍କ ମଧ୍ୟରୁ ଯେକୌଣସି ଗୋଟିଏ ବି ଜିନିଷର ନିୟମିତ ସେବନ କଲେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ଅନେକ କମିଯାଏ।

 

ନିୟମିତ ବ୍ୟାୟାମ କିମ୍ବା ଯୋଗାସନ କରନ୍ତୁ: ନିୟମିତ ବ୍ୟାୟାମ କିମ୍ବା ଯୋଗାସନ କରିବା ଦ୍ୱାରା ଆମର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଏହା ସହ ଆମେ ଯେଉଁ ପୋଷକତତ୍ତ୍ୱ ଗ୍ରହଣ କରିଥାଉ ତା’କୁ ଆମ ଶରୀରର ସମସ୍ତ କୋଷଗୁଡ଼ିକୁ ପହଞ୍ଚାଇଥାଏ। ଏହା ଦ୍ୱାରା କାର୍ବନ ଅକ୍ସାଇଡ୍‌ ରୂପରେ ଆମ ଶରୀରରେ ଥିବା ବିଷାକ୍ତ ଦ୍ରବ୍ୟ ମଧ୍ୟ ବାହାରିଯାଏ। ସେମିତି ଯୋଗାସନ ଦ୍ୱାରା ଠିକ୍‌ ଭାବେ ଅମ୍ଳଜାନ ଶରୀରକୁ ପହଞ୍ଚଥାଏ, ଫୁସ୍‌ଫୁସ୍‌ ସଫା ହୋଇଥାଏ ଓ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ।

ସମ୍ବନ୍ଧିତ ଖବର