କାର୍ତ୍ତିକରେ ସକାଳୁଆ ସ୍ନାନ କାହିଁକି ଶରୀର ଲାଗି ଉପକାରୀ? କାହିଁକି ନଦୀ, ପୁଷ୍କରିଣୀ ଓ କୂପ ଜଳରେ ଥାଏ ଔଷଧୀୟ ଗୁଣ

କାର୍ତ୍ତିକ ମାସରେ ପାଳନ କରାଯାଉଥିବା ‘କାର୍ତ୍ତିକ ବ୍ରତ’ରେ ପ୍ରାତଃସ୍ନାନର ବିଧାନ ଅଛି। କେବଳ ଏହି ମାସରେ ନୁହେଁ- ଅନ୍ୟ ସବୁ ସମୟରେ ମଧୢ ପ୍ରାତଃସ୍ନାନ ଆମର ଶରୀର ପାଇଁ ଉପଯୋଗୀ। ତେବେ ଏହି ମାସରେ ପ୍ରାତଃସ୍ନାନ ଆମପାଇଁ ଅଧିକ ଉପଯୋଗୀ ହୋଇଥାଏ। ସେଥିପାଇଁ ଏହି ଧର୍ମମାସର ବ୍ରତରେ ପ୍ରାତଃସ୍ନାନକୁ ପ୍ରାଧାନ୍ୟ ଦିଆଯାଇଛି।

ଋତୁଚକ୍ର ଅନୁସାରେ କାର୍ତ୍ତିକ ଓ ମାର୍ଗଶିର- ଏହି ଦୁଇ ମାସ ହେଉଛି ହେମନ୍ତ ଋତୁ। ଆୟୁର୍ବେଦ ଶାସ୍ତ୍ର ଅନୁସାରେ ବର୍ଷର ବିଭିନ୍ନ ଋତୁ ଦୁଇଟି କାଳରେ ବିଭକ୍ତ। ଗୋଟିଏ- ‘ବିସର୍ଗ’ କାଳ ଓ ଅନ୍ୟଟି- ‘ଆଦାନ’ କାଳ। କାର୍ତ୍ତିକ ମାସ ହେମନ୍ତ ଋତୁର ଆରମ୍ଭ ଏବ˚ ଏହା ହେଉଛି ବିସର୍ଗ କାଳ। ଏହି ସମୟରେ ସୂର୍ଯ୍ୟ ଆମଠାରୁ କ୍ରମେ ଦୂରେଇ ଯାଆନ୍ତି ଏବ˚ ଆମ ଶରୀରରେ କ୍ରମେ ଶକ୍ତି ସ˚ଚାରିତ ହୁଏ। ସୂର୍ଯ୍ୟଙ୍କର ପ୍ରଭାବ କମିବା ଓ ଚନ୍ଦ୍ରଙ୍କର ପ୍ରଭାବ ବଢ଼ିବା ଫଳରେ ପୃଥିବୀ ପୃଷ୍ଠରେ ମାଟି, ପାଣି ଓ ଔଷଧୀୟ ବୃକ୍ଷମାନଙ୍କର ବୀର୍ଯ୍ୟଶକ୍ତି ବୃଦ୍ଧିପାଏ।

India Tv

ପ୍ରାତଃକାଳକୁ ଆମର ଶାସ୍ତ୍ର, ଗ୍ରନ୍ଥମାନଙ୍କରେ ‘ବ୍ରାହ୍ମମୁହୂର୍ତ୍ତ’ ବୋଲି କୁହାଯାଇଛି। ଏହି ସମୟରେ ପୃଥିବୀ ପୃଷ୍ଠରେ ଅମୃତର ଉପସ୍ଥିତି ଅଧିକ ଥାଏ ବୋଲି ଆୟୁର୍ବେଦ, ଯୋଗ ଓ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ଅଛି। ଏହି ସମୟରେ ପୁଷ୍କରିଣୀ, କୂପ, ତଡ଼ାଗ ଓ ମୃଦୁ-ବାହିତ ନଦୀ ଆଦିର ସ୍ବଚ୍ଛ ଜଳରେ ପ୍ରାତଃସ୍ନାନ କରିବାର ବିଧାନ ରହିଛି। ଏହାର ବିଜ୍ଞାନସମ୍ମତ କାରଣ ହେଉଛି- ଏହିସବୁ ଜଳାଶୟର ଜଳ ଦିନରେ ସୂର୍ଯ୍ୟଙ୍କ କିରଣରୁ ଉଷ୍ମତା ଓ ରାତିରେ ଚନ୍ଦ୍ରଙ୍କ କିରଣରୁ ଶୀତଳତା ଆହରଣ କରି ଔଷଧୀୟ ଗୁଣ ଧାରଣ କରିଥାଆନ୍ତି। ଏହି ଜଳକୁ ଆୟୁର୍ବେଦ ଶାସ୍ତ୍ରରେ ‘ହ˚ସୋଦକ’ ବୋଲି କୁହାଯାଇଛି। ଏହା ଉଭୟ ଶରୀର ଓ ମନ ପାଇଁ ଉପଯୋଗୀ ହୋଇଥାଏ।

ଏଣୁ ପ୍ରାତଃ କାଳରେ ଶଯ୍ୟାତ୍ୟାଗ କରି, ମଳମୂତ୍ରାଦି ବିସର୍ଜନ ପରେ, ଏଥିରେ ସ୍ନାନ କରିବା ଫଳରେ ଅନ୍ତଃକରଣ ଶୁଦ୍ଧ ଓ ଶରୀରର ଦୁର୍ଗନ୍ଧ ଦୂର ହୋଇଥାଏ। ଏହା ଫଳରେ ଚର୍ମରୋଗଗୁଡ଼ିକର ନିରାକରଣ ମଧ୍ୟ ହୁଏ। ମନ ପ୍ରଫୁଲ୍ଲ ରହିବା ସହିତ ମନରେ ଦୈବୀ ଭାବ ଜାଗ୍ରତ ହୋଇଥାଏ। ଏହା ମଧ୍ୟ ସ୍ମରଣଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ମୁନିଋଷିମାନେ ଏହାକୁ ଅଭ୍ୟାସରେ ପରିଣତ କରି ଦୀର୍ଘାୟୁ ଓ ନିରୋଗ ରହୁଥିଲେ। ଏଣୁ ଏହି ‘ହ˚ସୋଦକ’ ସ୍ନାନକୁ ଆମେ ଆମର ଅଭ୍ୟାସରେ ପରିଣତ କଲେ ଦୀର୍ଘାୟୁ ଓ ନିରୋଗ ରହିପାରିବା।

-ବୈଦ୍ୟ ଗୋପାଳଚନ୍ଦ୍ର ନନ୍ଦ

ସମ୍ବନ୍ଧିତ ଖବର

Comments are closed.