ଭୁବନେଶ୍ୱର : ଦିନସାରା ଚାଲିଥିଲା ଛାଇ ଆଲୁଅର ଖେଳ। ଲଘୁଚାପ ପ୍ରଭାବରେ ୪ ଅସରା ବର୍ଷା ବି ହୋଇଥିଲା। ହେଲେ ମା’ଙ୍କ ମହାଷ୍ଟମୀ ପର୍ବ ଟିକେ ବି ଫିକା ପଡ଼ି ନଥିଲା। ୧୭୨ ପୂଜା ମଣ୍ଡପରେ ଚାଲିଥିଲା ପୂଜାର୍ଚନା। ମା’ଙ୍କ ସମେତ ପାର୍ଶ୍ୱ ଦେବଦେବୀଙ୍କୁ ଦର୍ଶନ କରି ଆଶିଷ ପାଇବା ପାଇଁ ପୂଜା ମଣ୍ଡପ ସାମ୍ନାରେ ଲାଗିଥିଲା ଲମ୍ବା ଲାଇନ୍। ଚାକଚକ୍ୟ ଆଲୁଅରେ ଝଲମଲ କରୁଥିବା ବିଶାଳ ତୋରଣ ଦେଖିବା ସହ ମହାଷ୍ଟମୀରେ ମା’ଙ୍କୁ ଦର୍ଶନ କରିବା ପାଇଁ ସମବେତ ଶ୍ରଦ୍ଧାଳୁଙ୍କ ଯୋଗୁ ଜମିଥିଲା ଅସମ୍ଭାଳ ଭିଡ଼। ଜାତୀୟ ରାଜପଥ ଥିଲା ପୂରା ଜାମ୍। ମହା ଅଷ୍ଟମୀ ଅବସରରେ ସକାଳ ୭ଟାରୁ ପୂଜା ପାଠ ଆରମ୍ଭ ହୋଇଯାଇଥିଲା। ଚଣ୍ଡୀପାଠ, ଦେବୀଙ୍କ ଷୋଡ଼ଶ ଉପଚାର ପୂଜା, ଚଣ୍ଡୀଚାମୁଣ୍ଡା ପୂଜା, ସନ୍ଧି ପୂଜା, ବଳି ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା। ସ୍କୁଲ୍, କଲେଜ୍, ଅଫିସ୍ ସବୁ ଛୁଟି ଥିବାରୁ ପାଠ ପଢ଼ାର ଟେନ୍ସନ୍ ନଥିଲା କି ଅଫିସ୍ ଫାଇଲ୍ର ଝିନ୍ଝଟ୍ ନଥିଲା। ତେଣୁ ଶାରଦୀୟ ପାର୍ବଣର ମହାଅଷ୍ଟମୀ ଯାତ୍ରା ସହ ମୀନାବଜାରକୁ ଖୁବ୍ ଉପଭୋଗ କରିଛନ୍ତି ଶ୍ରଦ୍ଧାଳୁ। ଅନେକ ପାର୍ଶ୍ୱ ଦେବଦେବୀଙ୍କୁ ଦେଖିବାକୁ ବି ବିଭିନ୍ନ ପୂଜା ମଣ୍ଡପରେ ଭିଡ଼ ଲାଗିଥିଲା। କେଉଁଠି ହରପାର୍ବତୀ ତ ପୁଣି କେଉଁଠି ମହାବୀର। ବିଭିନ୍ନ ପୂଜା କମିଟି ଆନୁକୂଲ୍ୟରେ ଆୟୋଜିତ ପୂଜାର ଏହି ଚାକଚକ୍ୟ ପରିବେଶ ଆଜି ସହରବାସୀଙ୍କୁ ଆଚ୍ଛନ୍ନ କରି ରଖିଥିଲା। ଘରୁ ଗୋଡ଼ କାଢ଼ି ସପରିବାରେ ଭିଡ଼ ଜମେଇଥିଲେ ପୂଜା ମଣ୍ଡପରେ।
Sambad is now on WhatsApp
Join and get latest news updates delivered to you via WhatsApp
ଭସାଣିରେ ସାହି ମୁରବିଙ୍କୁ ସମ୍ମାନ
ପୁରୁଣା ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଦଶହରା ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ସଂପନ୍ନ କରିବା ପାଇଁ ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରତି ପୂଜା କମିଟି ପକ୍ଷରୁ ୧୦ରୁ ୨୦ଜଣ ସେଚ୍ଛାସେବୀ ରହି ଶୃଙ୍ଖଳା ରକ୍ଷା କରିବେ। ଏଥିସହିତ ପୁଲିସ ବିଭିନ୍ନ ମଣ୍ଡପରେ ସଜାଗ ରହିବ। ଚଳିତ ବର୍ଷ ପୁରୁଣା ଭୁବନେଶ୍ୱରରେ ୩୦ଟି ମଣ୍ଡପରେ ପୂଜା ହେଉଥିବା ବେଳେ ଭସାଣି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡିଜେ ସାଉଣ୍ଡକୁ ୬୫ଡିସିବିଲ୍ ମଧ୍ୟରେ ରଖିବାକୁ ଦିର୍ଦେଶ ଦିଆଯାଇଛି। ସେହିପରି ଭସାଣରେ ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କ ଛକଠାରେ ପୂର୍ବ ବର୍ଷ ପରି ସବୁ ସାହି ମୁରବିଙ୍କୁ ସମ୍ବର୍ଧିତ କରାଯିବ। ସ୍ଥାନୀୟ ମୁରବି ଅଭିମନ୍ୟୁ(ବନ୍ଧୁ) ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହେବ। ଏନେଇ ଆଜି ପୁରୁଣା ଭୁବନେଶ୍ୱର ଭସାଣ ଉତ୍ସବ ସମିତି ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମଦନ ମୋହନ ପ୍ରଧାନ, ଶେଷ ଶେଖର ଗରାବଡ଼ୁ, ଶିବ ପ୍ରସାଦ ବେହେରା, ଅନିକେତ ବଟୁ, ଓ ବହୁ ସଭ୍ୟ ଉପସ୍ଥିତ ଥିଲେ।
କାଦୁଅ ପଚପଚ
ଅସରାଏ ଅସରାଏ ବର୍ଷା ଯୋଗୁ କେତେକ ପୂଜା ମଣ୍ଡପ ସମ୍ମୁଖ କାଦୁଅମୟ ହୋଇଯାଇଥିଲା। ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଥିଲା ମୀନାବଜାର ପଡ଼ିଆ। ପଡ଼ିଆ ସାରା କାଦୁଅ ପଚପଚ ରାସ୍ତା ଯୋଗୁ ଚାଲିଚାଲି ବଜାରରୁ କିଣାବିକା କରିବା ସମ୍ଭବ ହେଉ ନଥିଲା। ରସୁଲଗଡ଼ରୁ ବରମୁଣ୍ଡା ଓଭରବ୍ରିଜ୍ ପର୍ଯ୍ୟନ୍ତ ଠାଏ ଠାଏ ପ୍ରବଳ ପାଣି ଜମି ରହିବାରୁ ଯାତାୟାତରେ ସମସ୍ୟା ଦେଖା ଦେଇଥିଲା।
ପିତୁଳାରେ ଚମକ
ପିତୁଳା ତଥା ବଡ଼ କଣ୍ଢେଇ ଜରିଆରେ ପୂଜା ମଣ୍ଡପକୁ ଆହୁରି ଆକର୍ଷଣୀୟ କରି ଗଢ଼ି ତୋଳିଛନ୍ତି ଅନେକ ପୂଜା ମଣ୍ଡପ। କିଛି ପୂଜା ମଣ୍ଡପ ହାତୀ, ସିଂହ, ମୟୂର ଭଳି ଏଲ୍ଇଡି ଖଚିତ ପିତୁଳା ଜରିଆରେ ନିଆରା ମନୋରଂଜନ ବାଣ୍ଟୁଛନ୍ତି।
ଅଷ୍ଟମୀ ଭୋଗ ପାଇଁ ଠେଲାପେଲା
ଅଷ୍ଟମୀ ଭୋଗ ଥିଲା ଆଜିର ଅନ୍ୟତମ ଆକର୍ଷଣ। ମୁଖ୍ୟତଃ ଆଜିର ମା’ଙ୍କ ଶଙ୍ଖୁଡ଼ି ଭୋଗ ତଥା ଖେଚୁଡ଼ି ଭୋଗ ପାଇବା ପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ଯୋଗାଇ ଦେବା ପାଇଁ କେତେକ ପୂଜା ମଣ୍ଡପ ମାଗଣାରେ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ।
ଦେବୀ’ଙ୍କ ନିକଟରେ ସମାଜସେବୀଙ୍କ ପାଇଁ ନିରବ ପ୍ରାର୍ଥନା
ସମାଜସେବୀ ବାଳକୃଷ୍ଣ ସ୍ୱାଇଁଙ୍କୁ ତାଙ୍କର ଏକାଦଶାହରେ ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିବା ପାଇଁ ବରମୁଣ୍ଡା ଦୁର୍ଗାପୂଜା କମିଟି ପକ୍ଷରୁ ଆଜି ଏକ ଅଭିନବ ପଦକ୍ଷେପ ନିଆଯାଇଥିଲା। ଦେବୀ ମା’ଙ୍କ ନିକଟରେ ସ୍ୱର୍ଗତ ସ୍ୱାଇଁଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯିବା ସହ ଦୀପ ଜାଳି ତାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ। ଏଥିରେ ବରମୁଣ୍ଡା ଦୁର୍ଗାପୂଜା କମିଟିର ସଭାପତି ଓ ସମ୍ପାଦକଙ୍କ ସମେତ ସମସ୍ତ ସଭ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିଥିଲେ।
ଅଟକି ଗଲା ଚକ୍ରି ଦୋଳି
ଖଣ୍ଡଗିରି : ବରମୁଣ୍ଡା ଦୁର୍ଗାପୂଜା ପଡ଼ିଆରେ ଲାଗିଥିବା ଚକ୍ରିଦୋଳି ଆଜି ସନ୍ଧ୍ୟାରେ ଅଧାରେ ଅଟିକି ଯିବାରୁ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ଦୋଳିର ତଳେ ଥିବା ଲୋକ ଓହ୍ଲାଇପଡ଼ିବାରେ ସକ୍ଷମ ହୋଇଥିବା ବେଳେ ଉପରେ ଥିବା ପ୍ରାୟ ୬ ଜଣ ଲୋକ ଓହ୍ଲାଇ ପାରି ନଥିଲେ। ପରେ ବରମୁଣ୍ଡା ଦମକଳ କେନ୍ଦ୍ରରୁ ହାଡ୍ରୋଲିକ୍ ଲିଫ୍ଟ ଅଣାଯାଇ ସମସ୍ତଙ୍କୁ ସୁରକ୍ଷିତ ଭାବେ ଓହ୍ଲାଯାଇଥିଲା।
ମା’ ଦୁର୍ଗାଙ୍କ ଲାଖବିନ୍ଧା
ପୁରୁଣା ଭୁବନେଶ୍ୱର : ଦଶହରାରେ ମା’ ଶ୍ରୀଲିଙ୍ଗରାଜ ମନ୍ଦିରରୁ ବାହାରି ଗ୍ୟାରେଜ୍ ଛକ ନିକଟ ଲାଖବିନ୍ଧା ପଡ଼ିଆକୁ ଯାଇ ଲାଖବିନ୍ଧ କରିବେ। ଯେଉଁ ଦିଗକୁ ଲକ୍ଷ୍ୟ କରିବେ ସେହି ଦିଗରୁ ଆସନ୍ତା ରୁକୁଣା ରଥଯାତ୍ରାରେ କାଠ ଅଣାଯିବା ପରମ୍ପରା ରହିଛି। ଏନେଇ ମା’ ସେଠାକୁ ଯାତ୍ରା କରି ସେଠାରେ ଏକ ମାଛ ଆଖିକୁ ଲାଖବିନ୍ଧ କରିବେ। ତାଙ୍କ ସହ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳ ଗୋବିନ୍ଦ, ମା’ ପାର୍ବତୀ ଓ ବାସୁଦେବ ଏହି ଯାତ୍ରା କରିବେ। ମନ୍ଦିରରେ ଦ୍ଵିପ୍ରହର ଧୂପ ପରେ ଏହି ଯାତ୍ରା ହେବ।
ଅଷ୍ଟମୀରେ ପାଣିକଖାରୁ ବଳି
ବାଲିଅନ୍ତା : ଷୋଳପୂଜା ଅବସରରେ ବାଳକାଟି ଅଞ୍ଚଳର ଆରାଧ୍ୟ ଦେବୀ ମା’ ଦୁଲ୍ଲା ଦେବୀଙ୍କ ପୀଠ ପରିସର ଉତ୍ସବମୁଖର ହୋଇ ଉଠିଥିଲା। ଏନେଇ ମନ୍ଦିରରେ ସ୍ୱତନ୍ତ୍ର ପୂଜାନୀତି ସଂପନ୍ନ ହେବା ସହ ଅଷ୍ଟମୀରେ ମା’ଙ୍କ ନିକଟରେ ପାଣିକଖାରୁ ବଳି ଦିଆଯାଇଥିଲା। ମନ୍ଦିର ପରିଚାଳନା କମିଟିର ବେଣୁଧର ଭୋଇ, ବସନ୍ତ ଦାଶ, କାହ୍ନ ଦାଶ, ସୋମନାଥ ବେହେରା, ସୁର ଶତପଥୀ ପ୍ରମୁଖଙ୍କ ସମେତ ଅନ୍ୟ କର୍ମକର୍ତା ପୂଜା କାର୍ଯ୍ୟ ପରିଚାଳନା କରିଥିଲେ।