ଭୁବନେଶ୍ୱରରେ ଲକ୍ଷେ ଶ୍ୱାସରୋଗୀ

ଭୁବନେଶ୍ୱର : ଭୁବନେଶ୍ୱରରେ ଲକ୍ଷେରୁ ଅଧିକ ଶ୍ୱାସରୋଗୀ ରହିଛନ୍ତି। ଯାନବାହନ ସଂଖ୍ୟାରେ ଦ୍ରୁତ ବୃଦ୍ଧି। ବିକାଶ ନାମରେ ବ୍ୟାପକ ବୃକ୍ଷ ଛେଦନ କରାଯାଉଛି। ଧୂଳି, ଥଣ୍ଡା, ନାକରୁ ପାଣି ବୋହିବା, ପରାଗ ରେଣୁ ଓ ଗୃହପାଳିତ ପଶୁର କେଶ କିମ୍ବା ବାୟୁ ପ୍ରଦୂଷଣ ଯୋଗୁଁ ଶ୍ୱାସରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ପଲ୍‌ମୋନାରି ମେଡିସିନ୍‌ର ବିଶେଷଜ୍ଞ ଡକ୍ଟର ମନୋରଞ୍ଜନ ଦାଶ କହିଛନ୍ତି। ଶ୍ୱାସରୋଗକୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, ହୃଦରୋଗ ଭଳି ଆଜ୍‌ମା (ଶ୍ୱାସରୋଗ) ମଧ୍ୟ ଏକ ଗମ୍ଭୀର ସମସ୍ୟା। ଏହି ରୋଗ ସହରରେ ଦ୍ରୁତ ଗତିରେ ବ୍ୟାପୁଛି। ଏହି ଅବସରରେ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ଶୁଶ୍ରୁତ ଦାସ କହିଛନ୍ତି ଯେ, ବୟସ୍କ ଲୋକଙ୍କ ସଂଖ୍ୟାର ୧୦-୧୫ ପ୍ରତିଶତ ଓ ଶିଶୁମାନଙ୍କ ମଧ୍ୟରୁ ୫-୧୦ ପ୍ରତିଶତ ଶ୍ୱାସରୋଗରେ ପୀଡ଼ିତ। ଅଧିକାଂଶ ଲୋକ ଶ୍ୱାସରୋଗରେ ପୀଡ଼ିତ ଥିଲେ ମଧ୍ୟ ସେ ବିଷୟରେ ଜାଣିପାରନ୍ତି ନାହିଁ ବୋଲି ସେ କହିଛନ୍ତି। ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେମାନେ କହିଛନ୍ତି। ଶ୍ୱାସରୋଗ ପାଇଁ ଇନ୍‌ହେଲର୍‌ ବ୍ୟବହାର କରିବା ସବୁଠୁ ଶ୍ରେଷ୍ଠ ଚିକିତ୍ସା ଉପାୟ ବୋଲି ସେମାନେ କହିଛନ୍ତି। ଭାରତରେ ଇନ୍‌ହେଲର୍‌ ବ୍ୟବହାରକୁ ୬୦ ବର୍ଷ ହୋଇଗଲାଣି।

ସମ୍ବନ୍ଧିତ ଖବର