କାଳବୈଶାଖୀ ତାଣ୍ଡବ ରାତିଅଧରେ ଡରେଇଲା

ଅଧଘଣ୍ଟାରେ ୩୦.୭ ମିମି ବର୍ଷା

ଭୁବନେଶ୍ୱର: ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ତାଣ୍ଡବ ରଚିଛି କାଳବୈଶାଖୀ। ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୬୦ରୁ ୭୦ କିମି ବେଗରେ ପବନ ବାଡ଼େଇବା ଦ୍ୱାରା ଜନଜୀବନ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ଗଛ ଡାଳ ଭାଙ୍ଗିପଡ଼ିଥିବା ବେଳେ ସହର ଉପକଣ୍ଠରେ ଚାଳ ଛପର ଘରର ଛପର ଉଡ଼ିଯାଇଛି। ରାତି ଅଧିଆ ବର୍ଷା ହେବା ଦ୍ୱାରା ବସ୍ତି ଓ ତଳିଆ ଅଞ୍ଚଳରେ ଥିବା କେତେକ ଲୋକଙ୍କ ଘରେ ବି ପାଣି ପଶିଯାଇଥିଲା। ଅଳ୍ପ କିଛି ସମୟ ମଧ୍ୟରେ କାଳବୈଶାଖୀର ଏଭଳି ତାଣ୍ଡବକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସହରବାସୀ। ଶନିବାର ଦିନତମାମ ଭୁବନେଶ୍ୱରରେ ତାତି ଜାରି ରହିଥିଲା। ତାପମାତ୍ରା ୩୭.୬ ଡିଗ୍ରି ଛୁଇଁଥିଲା। ମଧ୍ୟାହ୍ନ ସମୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଅପରାହ୍ଣରେ ପାଗ ଟିକିଏ ପରିବର୍ତନ ଆସିଥିଲେ ମଧ୍ୟ କାଳବୈଶାଖୀ ନେଇ କୌଣସି ବି ସୂଚନା ନ ଥିଲା। କିନ୍ତୁ ମଧ୍ୟରାତ୍ରି ବେଳକୁ କିନ୍ତୁ ପାଗ ବଦଳି ଯାଇଥିଲା। ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳା ହାଣ୍ଡିଆ ମେଘ। ତା’ ସାଙ୍ଗକୁ ପବନର ବେଗ ମଧ୍ୟ ବଢ଼ିଥିଲା। ପ୍ରତି ମୁହୂର୍ତ୍ତରେ ଘଡ଼ଘଡ଼ି ଶବ୍ଦରେ ଭୟଭୀତ ହୋଇପଡ଼ିଥିଲେ ଲୋକେ। ରାତି ପ୍ରାୟ ସାଢ଼େ ୩ଟା ବେଳକୁ ଅଶାନ୍ତ ହୋଇ ଉଠିଥିଲା ପରିବେଶ। ପବନ ବାଡ଼େଇବା ସହ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଶନିବାର ରାତିରେ ଭୁବନେଶ୍ୱରରେ ୩୦.୭ ମି.ମି. ବର୍ଷା ହୋଇଛି। ବର୍ଷା ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କି.ମି. ଭିତରେ ରହିଥିଲା। ବର୍ଷା ହେବା ପୂର୍ବରୁ ଘଡ଼ଘଡ଼ି ଓ ବଜ୍ରପାତ ହୋଇଥିଲା। ଏଥିରେ ଲୋକଙ୍କ ଧନଜୀବନ ନଷ୍ଟ ହୋଇଛି। ବଜ୍ରପାତ ଯୋଗୁଁ ଭୁବନେଶ୍ୱର ଉପକଣ୍ଠରେ ଘର ଜଳି ଯାଇଥିବା ସୂଚନା ମିଳିଛି। ୨୦ରୁ ଅଧିକ ଲୋକଙ୍କ ଘରେ ଥିବା ବୈଦ୍ୟୁତିକ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ପ୍ରାରମ୍ଭିକ ଭାବେ ଜଣାପଡ଼ିଛି।

ପବନ ବାଡ଼େଇବା ଦ୍ୱାରା ଚନ୍ଦ୍ରଶେଖରପୁର, ରସୁଲଗଡ଼, ନୟାପଲ୍ଲୀ, ଖଣ୍ଡଗିରି ଅଞ୍ଚଳରେ ଛୋଟ ଛୋଟ ଗଛ ଉପୁଡ଼ି ପଡ଼ିଛି। ବଡ଼ ଗଛ ଡାଳ ଭାଙ୍ଗିଥିବା ମଧ୍ୟ ଦେଖିବାକୁ ମିଳିଛି। ଅଧରାତିର କାଳବୈଶାଖୀର ତାଣ୍ଡବ ଖବର ପାଇ ଦମକଳ ବାହିନୀ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ହୋଇଥିଲା। ନିଆଁ ଲିଭାଯିବା ସହ ଆହତ ଲୋକଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ କାଳବୈଶାଖୀର ଆଶଙ୍କା ରହିଛି। ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା, ପବନ ହୋଇପାରେ। ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ରହିବ।

ସମ୍ବନ୍ଧିତ ଖବର