ପ୍ରତିବର୍ଷ ରୋଜଗାର ଅପେକ୍ଷାରେ ୪ ଲକ୍ଷ ଯୁବା

‘ଥ୍ର୍ରିସି ମଡେଲ ଅଫ୍‌ ଡେଭଲପମେଣ୍ଟ’ କନ୍‌କ୍ଲେଭ୍‌ ଉଦ୍‌ଘାଟିତ

ଭୁବନେଶ୍ୱର : ଦେଶର ୧୩୦ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୫୦ କୋଟିଙ୍କ ବୟସ ୧୫ରୁ ୫୯ ବର୍ଷ ମଧ୍ୟରେ। ଯେଉଁମାନେ କି ଏବେ ରୋଜଗାରକ୍ଷମ। ସେହି ଦୃଷ୍ଟିରୁ ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୧.୮ କୋଟି କାର୍ଯ୍ୟ କରିବା ବୟସରେ ରହିଛନ୍ତି। ବର୍ଷକୁ ରାଜ୍ୟର ୪ରୁ ୫ ଲକ୍ଷ ଯୁବକ ଯୁବତୀ ରୋଜଗାର ଅପେକ୍ଷାରେ ରହୁଛନ୍ତି। ସେମାନଙ୍କୁ ରୋଜଗାର ଯୋଗାଇବାରେ ସରକାରଙ୍କର ସୀମିତ ଭୂମିକା ରହିଛି। ହେଲେ ସରକାରୀ ପ୍ରୋତ୍ସାହନରେ ଉତ୍ତମ ବାତାବରଣ ସୃଷ୍ଟି କରି ସେମାନଙ୍କ ଲାଗି କର୍ମ ସଂସ୍ଥାନ ଯୋଗାଇବା ବଡ଼ କଥା ନୁହେଁ ବୋଲି ସାମାଜିକ ସଙ୍ଗଠନ ‘ୟେସ୍‌ ଉଇ କ୍ୟାନ୍‌’ ପକ୍ଷରୁ ଆଜି ହୋଟେଲ ସ୍ୱସ୍ତି ପ୍ରିମିୟମ୍‌ଠାରେ ଆୟୋଜିତ ‘ଥ୍ର୍ରିସି ମଡେଲ ଅଫ୍‌ ଡେଭଲପମେଣ୍ଟ’ ସମ୍ମିଳନୀକୁ ଉଦ୍‌ଘାଟନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

‘ୟେସ୍‌ ଉଇ କ୍ୟାନ୍‌’ ପ୍ରଚେଷ୍ଟା ଏକ ଜନ ଆନ୍ଦୋଳନର ରୂପ ନେଇ ୫୦ ହଜାର ଗାଁରେ ପହଞ୍ଚି ଲୋକଙ୍କ ପାଇଁ ଏକ ସକାରାତ୍ମକ ପରିବର୍ତନର ବାର୍ତ୍ତା ପ୍ରଚାର କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ।

ଝାରସୁଗୁଡାସ୍ଥିତ ବେଦାନ୍ତର ସିଇଓ ଅଭିଜିତ ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମାଜିକ ଦାୟିତ୍ୱବୋଧ ପରିବର୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି କହିଥିଲେ। ରିଲାଏନ୍ସ ଇଣ୍ଡଷ୍ଟ୍ରିର ସଭାପତି-ମାନବ ସମ୍ବଳ ବିଜୟ ସାହୁ ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରି ବିଜ୍ଞାନ, ସେବା ଓ ଅଧ୍ୟାତ୍ମିକତା ପରିବର୍ତନର ଆଧାର ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ପ୍ରଫେସର ସୂର୍ଯ୍ୟ ମିଶ୍ର ଯୋଗଦେଇ ଥ୍ରିସି (କମ୍ୟୁନିଟି, କର୍ପୋରେଟ୍‌, ଚେଞ୍ଜ) ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ‘ଆରସିଏମ୍‌ ଭଲ୍ୟୁମ-୧’ ଉନ୍ମୋଚିତ ହୋଇଥିଲା।

ପ୍ରାରମ୍ଭରେ‘ୟେସ ଉଇ କ୍ୟାନ୍‌’ର ପ୍ରତିଷ୍ଠାତା ଶିଶିର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି ୩୧୪ ବ୍ଲକର ୧୦ ହଜାର ଯୁବକ ଯୁବତୀଙ୍କୁ ନେଇ ଖୁବ୍‌ଶୀଘ୍ର୍ର ସଂକଳ୍ପ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର