୪ ଲୁଟେରା ଗିରଫ, ୬ ମୋବାଇଲ୍‌ ଜବତ

ଭୁବନେଶ୍ବର : ରାଜଧାନୀରେ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଉଥିବା ୪ଜଣ ଲୁଟେରାଙ୍କୁ ସହିଦ ନଗର ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ବାୟାବାବା ବସ୍ତି ଅଞ୍ଚଳର କାଳନ୍ଦୀ ନାଏକ(୧୯), ବସନ୍ତ ଜେନା(୨୨), ସତ୍ୟନଗର ଅଞ୍ଚଳର ବିକି ନାଏକ(୧୯) ଏବଂ ପଳାଶୁଣୀ ଅଞ୍ଚଳର ସତ୍ୟେନ୍ଦ୍ର ସିଂହ ଓରଫ ସତ୍ୟ(୨୧)। ପୁଲିସ ସେମାନଙ୍କଠାରୁ ୬ଟି ମୋବାଇଲ୍‌ ଜବତ କରିଛି।

ପୁଲିସ ସୂଚନା ମୁତାବକ, ଗତ ୩ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ରାଜଲକ୍ଷ୍ମୀ ଜେନା ନାମକ ଜଣେ ଯୁବତୀ ଆଚାର୍ଯ୍ୟ ବିହାର ଆର୍‌ଟିଓ ଅଫିସ୍‌ ନିକଟରେ ଯାଉଥିବା ସମୟରେ ସତ୍ୟ ତାଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିଲା। ଏନେଇ ରାଜଲକ୍ଷ୍ମୀ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ମୋବାଇଲ୍‌ ଟ୍ରାକିଂ କରି ପୁଲିସ ସତ୍ୟର ଠିକଣା ଠାବ କରିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ ପଳାଶୁଣୀସ୍ଥିତ ତା’ ଘରେ ଚଢ଼ଉ କର ତାକୁ ଗିରଫ କରିବା ସହ ମୋବାଇଲ୍‌ ଜବତ କରିଥିଲା। ସେହିପରି ଶନିବାର ଦିନ ପ୍ରାୟ ୧୧ଟାରେ ଏସ୍‌ଆଇ ପ୍ରମୋଦ ଲେଙ୍କା ପାଟ୍ରୋଲିଂ କରୁଥିବା ବେଳେ କାଳନ୍ଦୀ, ବସନ୍ତ ଓ ବିକି ଆଇଡିବିଆଇ ଛକ ନିକଟରେ ଲୁଟ୍‌ପାଟ୍‌ ପାଇଁ ଉଦ୍ୟମ କରୁଥିଲେ। ପୁଲିସକୁ ଦେଖି ସେମାନେ ଅସହଜ ହୋଇଯାଇଥିଲେ। ସନ୍ଦେହ ହେବାରୁ ପୁଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ସେମାନଙ୍କ ନିକଟରୁ ୫ଟି ମୋବାଇଲ୍‌ ଜବତ ହୋଇଥିଲା।

୪ ଜୁଆଡ଼ି ଗିରଫ

ଖଣ୍ଡଗିରି : ଶୁକ୍ରବାର ବିଳମ୍ବିତ ରାତିରେ ଡୁମୁଡୁମା ରଘୁନାଥନଗରରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ପୁଲିସ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ, ଅଶୋକ ରାଉତ, ଗଣପତି ଦାସ, ସୁମନ ପୃଷ୍ଟି ଓ ଜଗନ୍ନାଥ ପାତ୍ର। ଚଢ଼ଉ ପୂର୍ବରୁ ଅଭିଯୁକ୍ତମାନେ ଟଙ୍କା ଲୁଚାଇବାରେ ସଫଳ ହେବାରୁ ପୁଲିସ ଘଟଣାସ୍ଥଳରୁ ମାତ୍ର ହଜାରେ ଟଙ୍କା ଓ ତାସ ପାଲି ଜବତ କରିଥିଲା। ତେବେ ଚଢ଼ଉ ପୂର୍ବରୁ ଏଠାରେ ଜୁଆ ଖେଳୁଥିବା ମୁଖ୍ୟ ଜୁଆଡ଼ି ଖେଳ ଶେଷ କରି ଚାଲି ଯାଇଥିଲେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର