ଅଭିନୟ ଓ ପାଠରେ ୧ ନମ୍ବର ଓଲିଉଡ୍ ନାୟିକା ଭୂମିକା

କୁନି ବୁଦ୍ଧିଆ ପାସ୍‌

ଓଲିଉଡ୍‌ ଅଭିନେତ୍ରୀ ଭୂମିକା ଦାଶ ସିବିଏସ୍‌ଇ ଦଶମ ପରୀକ୍ଷାରେ ୯୭% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। କେବଳ ଅଭିନୟ ନୁହେଁ ବରଂ ପାଠ ପଢ଼ାରେ ମଧ୍ୟ ଭୂମିକା ଆଗୁଆ ବୋଲି ଆଜି ତାହା ପ୍ରମାଣିତ ହୋଇଛି।  ୟୁନିଟ୍‌-୮ ଡ଼ିଏଭିରେ ପଢ଼ୁଥିବା ଭୂମିକାଙ୍କର ସଫଳତାରେ ପରିବାର ଓ ସ୍କୁଲ୍‌ରେ ଖୁସି ଖେଳିଯାଇଛି। ସବୁ ବିଷୟରେ ସେ ଏ୧ ରଖିଥିବାରୁ ସାଙ୍ଗଙ୍କ ସହ ଖୁସି ମନାଇ ନିଜର ସଫଳତା ଜାହିର କରିଛନ୍ତି। ପାଠ ପଢ଼ାରେ ମା’ ତୃପ୍ତି ଦାଶ ଓ ବାପା ପ୍ରସନ୍ନ କୁମାର ଦାଶଙ୍କ ସହ ସ୍କୁଲ୍‌ର ଶିକ୍ଷକ ଶିକ୍ଷୟିତ୍ରୀ ସାହାଯ୍ୟ କରିଛନ୍ତି।  ଆଗାମୀ ଦିନରେ ବିଜ୍ଞାନ ପଢ଼ିବା ସହିତ ନିଜ ଚଳଚ୍ଚିତ୍ର କ୍ୟାରିୟର୍‌କୁ ମଧ୍ୟ ଆଗକୁ ବଢ଼ାଇବେ ବୋଲି ଭୂମିକା ପ୍ରକାଶ କରିଛନ୍ତି। ଜଣେ ଶିଶୁ କଳାକାର ଭାବେ ଓଲିଉଡ୍‌ରେ ଏଣ୍ଟ୍ରି ମାରିଥିବା ଭୂମିକା  ନବମ ଶ୍ରେଣୀରେ ପାଦ ଥାପୁ ଥାପୁ ଓଲିଉଡ୍‌ ହିରୋଇନ୍‌ ପାଲଟି ଯାଇଥିଲେ। ୨୦୧୩ରେ ‘କିଟ୍‌’ ନହ୍ନିପରୀ’ ବିଜୟିନୀ ଭୂମିକା ଏଯାବତ୍‌ ଦୁଇଟି ସୁପର ହିଟ୍‌ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନେତ୍ରୀଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

କୁନି ବୁଦ୍ଧିଆ ପାସ୍‌

କୁନି ଧାବକ ବୁଦ୍ଧିଆ ସିଂ। ୪ ବର୍ଷ ବୟସରେ ୭ ଘଣ୍ଟାରେ ୬୫ କି.ମି. (ପୁରୀରୁ ଭୁବନେଶ୍ୱର) ଦୌଡ଼ି ଦିନେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଥିଲେ। ଗିନିଜ୍‌ ବୁକ୍‌ ରେକର୍ଡରେ ନିଜକୁ ସାମିଲ କରିବା ସହ ଓଡ଼ିଶା ଲାଗି ସୃଷ୍ଟି କରିଥିଲେ ଅନେକ ସମ୍ଭାବନା। ଭବିଷ୍ୟତରେ ଦେଶ ପାଇଁ ଅଲିମ୍ପିକ୍‌ରେ ଦୌଡ଼ିବେ ବୋଲି କେହି କେହି କହୁଥିଲେ। ସବୁବେଳେ ଚର୍ଚ୍ଚାରେ ରହୁଥିବା ବୁଦ୍ଧିଆ ସିଂ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ମୋଟ ୫୦୦ ମାର୍କ ମଧ୍ୟରୁ ୨୧୮ ନମ୍ବର ରଖିଛନ୍ତି। ଇଂରାଜୀରେ ୬୨ ମାର୍କ ରଖିଥିବା ବେଳେ ଭାଷାରେ ୪୮, ଗଣିତରେ ୩୩, ବିଜ୍ଞାନରେ ୩୩, ସୋସିଆଲ୍‌ ସାଇନ୍ସରେ ୪୨ ମାର୍କ ରଖିଛନ୍ତି। ଚନ୍ଦ୍ରଶେଖରପୁର ଡିଏଭିରେ ପଢ଼ୁଥିବା ବୁଦ୍ଧିଆ ୪୩.୬% ମାର୍କ ରଖିଛନ୍ତି। ସେ କହିଛନ୍ତି ଯେ ପାଠପଢ଼ାରେ ବିଦ୍ୟାଳୟର ଶିକ୍ଷକମାନେ ମୋତେ ବହୁତ ସହଯୋଗ କରିଛନ୍ତି। ଦଶମ ପରୀକ୍ଷା ସମୟରେ କିଛିଦିନ ଲାଗି ଦୌଡ଼ିବା ତାଲିମ ବନ୍ଦ କରିଥିଲି। ଏବେ ପୁଣିଥରେ ଦୌଡ଼ିବା ଆରମ୍ଭ କରିଦେଇଛି। ପାଠପଢ଼ା ଟିକିଏ କମ୍‌ ହୁଏ। ତଥାପି ଶିକ୍ଷକଙ୍କ ସହଯୋଗ ପାଇଁ ଆଜି ଏହି ସଫଳତା ମିଳିପାରିଛି। ଭବିଷ୍ୟତରେ ଜଣେ ମାରାଥନ୍‌ ରେସର୍‌ ହେବାକୁ ଲକ୍ଷ୍ୟ ରଖିଛି। ଜଣେ ଛାତ୍ରଙ୍କ ଲାଗି ଖେଳ ସହ ପାଠ ବି ଦରକାର। ତେଣୁ ପାଠ ପଢ଼ିବା ସହ ଖେଳକୁ ମଧ୍ୟ ଗୁରୁତ୍ୱ ଦେଉଛି। ଭଲ ଖେଳାଳି ହେବା ମୋର ଲକ୍ଷ୍ୟ।

ସମ୍ବନ୍ଧିତ ଖବର