ଏକାମ୍ର ଭୁବନେଶ୍ୱରରେ ବିଜେପିକୁ ଝଟ୍‌କା

ବିଜେଡିରେ ଯୋଗଦେଲେ ସଂଗ୍ରାମ ପାଇକରାୟ

ଭୁବନେଶ୍ୱର: ୨୦୧୯ରେ ସାଧାରଣ ନିର୍ବାଚନ। ଏହାପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନ। ହାତରେ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ରାଜଧାନୀ ରାଜନୀତିରେ ଏକ ବଡ଼ଧରଣର ଓଲଟପାଲଟ ହୋଇଛି। ବିଜେପି ଛାଡ଼ିବାର ୪୮ ଘଣ୍ଟା ନ ପୂରୁଣୁ ଏକାମ୍ର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଅନ୍ୟତମ ସଙ୍ଗଠକ ସଂଗ୍ରାମ କେଶରୀ ପାଇକରାୟ ଆଜି ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଶ୍ରୀ ପାଇକରାୟ ଓ ତାଙ୍କ ସମର୍ଥକଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂଗ୍ରାମ ଜଣେ ଭଲ ସଙ୍ଗଠକ। ସେ ବିଜେଡିରେ ଯୋଗଦେବା ଫଳରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେଡି ଆହୁରି ଶକ୍ତିଶାଳୀ ହୋଇପାରିବ। ବିଜେଡିରେ ଯୋଗଦେବା ପରେ ଶ୍ରୀ ପାଇକରାୟ କହିଛନ୍ତି ଯେ, ଯେଉଁ ବିକାଶ ଓ ତଳସ୍ତରର ଲୋକଙ୍କ ହିତ ଉଦ୍ଦେଶ୍ୟ ନେଇ ବିଜେପିରେ ଯୋଗ ଦେଇଥିଲି, ତାହା ସମ୍ଭବ ହେଲା ନାହିଁ। ବିଜେପି ଶାସିତ ରାଜ୍ୟ ଛତିଶଗଡ଼ ମହାନଦୀ ଉପରେ ଏକାଧିକ ବ୍ୟାରେଜ୍‌ ନିର୍ମାଣ କରି ଓଡ଼ିଶାର ପ୍ରାପ୍ୟ ମହାନଦୀ ଜଳକୁ ଅଟକ ରଖିବା ପ୍ରସଙ୍ଗରେ ରାଜ୍ୟ ବିଜେପି ଟାଳଟୁଳ ନୀତି ଅବଲମ୍ବନ କରୁଛି। ଏଭଳି ନୀତିକୁ ପସନ୍ଦ କରୁ ନାହିଁ। ସେଥିପାଇଁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛି। ଶ୍ରୀ ପାଇକରାୟଙ୍କ ସମେତ ଏକାମ୍ର-ଗ୍ରାମୀଣ ମଣ୍ଡଳ ସଭାପତି ରବୀନ୍ଦ୍ର କୁମାର ପାତ୍ର, ରାଜାରାଣୀ ମଣ୍ଡଳ ସଭାପତି ସମରେଶ ବେଉରା, ଟିକରାପଡ଼ା ସମିତି ସଭ୍ୟ ବିଭୂତି ଭୂଷଣ ପ୍ରଧାନ, ଶିଶୁପାଳଗଡ଼ ସମିତି ସଭ୍ୟା ରଶ୍ମିତା ଶ୍ରୀଚନ୍ଦନ, ବିକ୍ରମ କୁମାର ସୁନ୍ଦରାୟ, ବିଜୟ କୁମାର ସାମନ୍ତରାୟ, ସୁବ୍ରତ କୁମାର ପାଇକରାୟ, ସୁଧାଂଶୁ ଶେଖର ସୁବୁଦ୍ଧି, ରଶ୍ମି ରଞ୍ଜନ ଶ୍ରୀଚନ୍ଦନ, ଜ୍ୟୋତିରଞ୍ଜନ ମହାନ୍ତି, ସନ୍ତୋଷ କୁମାର ବେହେରା, ବିଶ୍ୱରଞ୍ଜନ ଛୁଆଳସିଂ, ଭକ୍ତ ଭୂଷଣ ବାରିକ, ଶିଶୁପାଳଗଡ଼ର ନାଏବ ସରପଞ୍ଚ ବ୍ରହ୍ମାନନ୍ଦ ପାତ୍ରଙ୍କ ସମେତ ୨୫୦୦ରୁ ଅଧିକ ବିଜେପି ସମର୍ଥକ ବିଜେଡିରେ ଯୋଗଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଯୋଗଦାନ ଉତ୍ସବରେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ସାମନ୍ତରାୟ, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସମ୍ପାଦକ ବିଜୟ ନାୟକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଭୁବନେଶ୍ୱର ଜୋନ୍‌ ଛାତ୍ର ବିଜେଡି ସଭାପତି ଅଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର