ଶ୍ରୀରାମନଗରରେ ବୋମାମାଡ଼

ଖୋର୍ଦ୍ଧା: ଖୋର୍ଦ୍ଧା ସହର ଓ ଏହାର ଆଖାପଖ ଅଞ୍ଚଳରେ ଗତ କିଛି ମାସ ଧରି ବୋମା ମାଡ଼ ଘଟଣା ବଢ଼ିବାରେ ଲାଗିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଟାଉନ୍ ଥାନା ଇଲାକାରେ ପୁଣି ବୋମାମାଡ଼ ହୋଇଛି। ଏଥିରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ଗୋଟିଏ କାର୍‌ ଆଂଶିକ ନଷ୍ଟ ହୋଇଛି। ଗତକାଲି ପ୍ରାୟ ସାଢେ଼ ୨ଟାରେ ଶ୍ରୀରାମନଗରରେ ରହୁଥିବା ଜଣେ ବ୍ୟବସାୟୀ ମଧୁସୂଦନ ପାଲଟା ସିଂହଙ୍କ ଘର ଉପରକୁ ଦୁଇଜଣ ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି। ବୋମା ମାଡ଼ରେ ଘର ବାହାରେ ଥିବା ପାଲଟାସିଂହଙ୍କ କାର୍‌ କ୍ଷତିଗ୍ରସ୍ତ ହୋଇଥିବାବେଳେ କେହି ମୃତାହତ ହୋଇନାହାନ୍ତି। ଏ ନେଇ ପାଲଟାସିଂହ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି। ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ସିଂହ କହିଛନ୍ତି ଏନେଇ ୭୬|୨୦୧୯ରେ ଏକ ମାମଲା ରୁଜୁ ହୋଇଛି। ସିସିଟିଭି ଫୁଟେଜ୍‌ ଯାଂଚ ହୋଇଛି। ଏଥିରେ ଦୁଇଜଣ ବୋମା ମାଡ଼ କରୁଥିବା ଦେଖା ଯାଉଥିଲେ ମଧ୍ୟ ସେମାନଙ୍କ ମୁହଁ ଠିକ୍ ଭାବେ ଜଣାପଡ଼ୁନାହିଁ। ସେମାନଙ୍କୁ ମଧ୍ୟ ଅଭିଯୋଗକାରୀ ଚିହ୍ନି ପାରୁନାହାନ୍ତି କି ଆକ୍ରମଣର ସଠିକ୍ କାରଣ କହିପାରୁନାହାନ୍ତି। ତେବେ ଏନେଇ ତଦନ୍ତ ଜାରି ରହିଛି। ଗତ ଦୁଇ ମାସ ମଧ୍ୟରେ ଖୋର୍ଦ୍ଧା ଓ ଆଖପାଖ ଇଲାକାରେ ୬ରୁ ଅଧିକ ବୋମା ମାଡ଼ ଘଟଣା ଘଟିଛି। ଚଳିତ ମାସ ୭ ତାରିଖରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆରେ ପୁଲିସ୍‌ ଉପସ୍ଥିତିରେ କେତେକ ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କ ଘରକୁ ବୋମା ମାଡ଼ କରିଥିଲେ। ଏହି ଘଟଣାରେ ଉଭୟ ପକ୍ଷ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି, କିନ୍ତୁ ବୋମା ମାଡ଼ କରିଥିବା ଅପରାଧି ଏଯାଏଁ ପୁଲିସ୍‌ କବଜାକୁ ଆସି ପାରିନାହିଁ। ସେହିଭଳି ଡିସେମ୍ବର ୩୦ ତାରିଖରେ ଗୁରୁଜଙ୍ଗ–ନୂଆଗାଁ ରାସ୍ତାରେ ବିଜେଡି ବ୍ଲକ ସଭାପତିଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିଲା। ଜାନୁଆରି ୩୧ରେ ଜମାଦେଈରେ ରହୁଥିବା ଜଣେ ଓକିଲଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିଲା। ଏହାକୁ ନେଇ କ୍ରମାଗତ ୧୫ ଦିନ ଧରି ଖୋର୍ଦ୍ଧା ବାର୍ ସଂଘ ପକ୍ଷରୁ ଧାରଣା ଓ କୋର୍ଟ ବର୍ଜନ ଚାଲିଥିଲା। ସେହିଭଳି ଜାନୁଆରି ୨୪ ତାରିଖରେ ଜଣେ କ୍ରସର୍‌ ମାଲିକଙ୍କ ଗାଡ଼ି ଉପରକୁ ବୋମା ମାଡ଼ ପରେ କ୍ରସର ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ସୁରକ୍ଷା ପାଇଁ ଦାବି କରାଯାଇଥିଲା।

ସମ୍ବନ୍ଧିତ ଖବର