ଦାମ ବିଜେପିରେ ମିଶିବା ନେଇ ସସ୍‌ପେନ୍ସ ବଢ଼ୁଛି

ଭୁବନେଶ୍ବର : କିଛି ଦିନ ତଳେ ବିଜେପି ନେତା ‌କେ.ଭି ସିଂହଦେଓଙ୍କ ସହ ନୂଆଦିଲ୍ଲୀ ଯାଇଥିଲେ ପାରାଦୀପ ବିଧାୟକ ଦାମୋଦର ରାଉତ। ସେଠାରେ ବିଜେପିର ରାଷ୍ଟ୍ରୀୟ ନେତାଙ୍କ ସହ ସାକ୍ଷାତ କରିଥିଲେ। ଫେରିବା ପରେ ଗଣମାଧ୍ୟମକୁ କହିଥିଲେ ଲୁଣି ପାଣିରେ ବି ସେ ପଦ୍ମ ଫୁଟାଇପାରିବେ। ଏହାପରେ ଦାମ ଖୁବ୍‌ ଶୀଘ୍ର ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହୋଇଥିଲା। ଏପରିକି ଦାମ ଦିଲ୍ଲୀ ଯାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିରେ ମିଶିବେ ବୋଲି କୁହାଯାଉଥିଲା। କିନ୍ତୁ ଦାମ ଦିଲ୍ଲୀ ଗଲେନି କି ବିଜେପିରେ ମିଶିଲେନି।

ଦାମ ବିଜେପିରେ ମିଶିବେ କି ନାହିଁ ଏନେଇ ନା ଦାମ କିଛି କହୁଛନ୍ତି ନା ଓଡ଼ିଶାର ବିଜେପି ନେତା। କେହି ସ୍ପଷ୍ଟ ଭାବେ କିଛି କହୁନଥିବାରୁ ଦାମ ବିଜେପିରେ ମିଶିବା ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି।

ବିଜେଡିରୁ ନିଲମ୍ବିତ ହେବା ପରେ ଦାମ ବିଜେପି କିମ୍ବା କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଦାମ ବିଜେପି କି କଂଗ୍ରେସ୍‌ରେ ମିଶିଲେ ପୂରା ଜଗତସିଂହପୁର ଜିଲ୍ଲାରେ ବିଜେଡି ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ବିଜେଡି ଦାମଙ୍କ ପୁଅ ଓ ଝିଅକୁ ମୋହରା କରିଥିବା ଏବେ କୁହାଯାଉଛି।

ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ପାରାଦୀପ ବିଧାୟକ ଟିକେଟ୍‌ ଏବଂ ଝିଅ ପ୍ରୀତିନନ୍ଦା ରାଉତରାୟଙ୍କୁ ଭୁବନେଶ୍ବର ମେୟର ପଦବି ଦେବାକୁ ଆଶ୍ବାସନା ଦେଇଥିବା କୁହାଯାଉଛି। ହେଲେ ଦାମ ନିର୍ବାଚନ ନଲଢିଲେ ପୁଅ ଓ ଝିଅଙ୍କ ରାଜ‌େନୖତିକ ଭାଗ୍ୟ ଫିଟିବ। ତେଣୁ ଏବେ ଦାମ ପୁଅ ଓ ଝିଅଙ୍କ ରାଜନୈତିକ କ୍ୟାରିୟର ଗଢ଼ିବା ପାଇଁ ସହାୟତା କରିବେ ନା’ ନବୀନଙ୍କ ବିରୋଧରେ ଯେଉଁ ରଣହୁଙ୍କାର ଦେଇଛନ୍ତି, ସେଥିରେ ଆଗକୁ ବଢ଼ିବେ ଏହି ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି। ଅପେକ୍ଷା ବିଜେପି ଓ କଂଗ୍ରେସର ପାରାଦୀପ ବିଧାୟକ ପ୍ରାର୍ଥୀ ଘୋଷଣାକୁ।

ସମ୍ବନ୍ଧିତ ଖବର