ବସ୍‌କୁ ପିଟିଲା ଟ୍ରକ୍‌, ୬ ଗୁରୁତର

ଭୁବନେଶ୍ୱର: ଶନିବାର ଅପରାହ୍‌ଣରେ ପଳାଶୁଣୀ ଛକରେ ଏକ ଯାତ୍ରୀବାହୀ ବସ୍‌କୁ ଏକ ଟ୍ରକ୍‌ ପଛରୁ ଧକ୍କା ଦେବାରୁ ୬ଜଣ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ କ୍ୟପିଟାଲ୍‌ ହସ୍ପିଟାଲ ପଠାଇଥିଲା। ଜଣେ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡ଼ିଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଟ୍ରକ୍‌ ଓ ବସ୍‌କୁ ଜବତ କରିଛି। ଶନିବାର ଅପରାହ୍‌ଣ ପ୍ରାୟ ସାଢ଼େ ୩ଟା ସମୟରେ ‘ରିୟୁ’ ନାମକ ଏକ ଘରୋଇ ବସ୍‌ ବରମୁଣ୍ଡାରୁ ଯାତ୍ରୀଙ୍କୁ ନେଇ କଟକ ଯାଉଥିଲା। ପଳାଶୁଣୀ ଛକ ନିକଟରେ ଯାତ୍ରୀ ଉଠାଇବା ପାଇଁ ବସ୍‌ ଚାଳକ ହଠାତ୍‌ ବ୍ରେକ୍‌ ଲଗାଇଥଇଲେ। ଏହି ସମୟରେ ରସୁଲଗଡ଼ ଓଭର୍‌ବ୍ରିଜ୍‌ରୁ ତଳକୁ ଖସୁଥିବା ଏକ ଟ୍ରକ୍‌ ଭାରସାମ୍ୟ ହରାଇ ବସ୍‌କୁ ଧକ୍କା ଦେଇଥିଲା। ଫଳରେ ବସ୍‌ ପଛରେ ଥିବା ୬ଜଣ ଯାତ୍ରୀ ଆହତ ହୋଇଥିଲେ। ବସ୍‌ ପଛ କାଚ ଭାଙ୍ଗି ଯାତ୍ରୀଙ୍କ ଉପରେ ପଡ଼ିଥିଲା। ଏଥିରେ ଜଣଙ୍କର ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଟ୍ରକ୍‌ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଯୋଗୁଁ ସେଠାରେ ଅଧଘଣ୍ଟା ପର୍ଯ୍ୟନ୍ତ ଯାତାୟାତ ଠପ୍‌ ହୋଇଯାଇଥିଲା। ମଞ୍ଚେଶ୍ୱର ଥାନ ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବସ୍‌କୁ ଜବତ କରି ଥାନାକୁ ନେବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର