ରାଜଧାନୀରେ ଜଳ ଯନ୍ତ୍ରଣା: ମୁଣ୍ଡଫଟା ଖରାରେ ରାସ୍ତାରେ ବସିଲେ

ଚନ୍ଦ୍ରଶେଖରପୁର: ରାସ୍ତାରେ ଧାଡ଼ି ବାନ୍ଧି ରଖା ଯାଇଥିଲା ଗରା, ମାଠିଆ ବାଲ୍‌ଟି। ପଛକୁ ବସିଥିଲେ ମହିଳା, ପୁରୁଷ ଓ ଛୋଟଛୋଟ ପିଲା। ଉପରେ ମୁଣ୍ଡଫଟା ଖରା ଓ ଗରମ। ଏଥିରୁ ସ୍ପଷ୍ଟ ଜଣା ପଡ଼ୁଥିଲା, ମୁଣ୍ଡଫଟା ଖରା କଷ୍ଟକୁ ବଳି ପଡ଼ୁଥିଲା ଜଳକଷ୍ଟ। ତାହା ପୁଣି ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଖୋଦ୍‌ ରାଜଧାନୀରେ। ଯେଉଁଠି ଲୋକଙ୍କ ବିଭିନ୍ନ ଆବଶ୍ୟକତା ପାଇଁ ରାଶି ରାଶି ଯୋଜନା ପ୍ରସ୍ତୁତ ହୁଏ। ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ନୀଳାଦ୍ରିବିହାର ଏଟିଏମ୍‌ ଛକ ମୁଖ୍ୟ ରାସ୍ତାରେ। ସେଠାରେ ରାସ୍ତା ଅବରୋଧ କରିଥିଲେ ୱାର୍ଡ ନଂ-୧୪ ଅନ୍ତର୍ଗତ ମା’ ମଙ୍ଗଳା ବସ୍ତି, ଓମ୍‌ଫେଡ୍‌ ବସ୍ତି ଓ ହରେକୃଷ୍ଣ ନଗର ବସ୍ତିର ଶତାଧିକ ମହିଳା ଓ ପୁରୁଷ। ପ୍ରଚଣ୍ଡ ଖରାରେ ଗରା, ବାଲ୍‌ଟି ଧରି ସ୍ମାର୍ଟ ସିଟିରେ ପାଣି ପାଇଁ ମହିଳାଙ୍କ ଏପରି ରାସ୍ତା ଅବରୋଧ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ମଙ୍ଗଳା ବସ୍ତିକୁ ପାଣି ନ ଆସିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଜିଦ୍‌ ଧରି ବସିଥିଲେ। ଅଭିଯୋଗ ଅନୁଯାୟୀ, ପ୍ରାୟ ତିନି ମାସ ହେବ ଅମୃତ ଯୋଜନା କାର୍ଯ୍ୟକାରୀ ନାଁରେ ମଙ୍ଗଳା ବସ୍ତିରେ ପିଏଚ୍‌ଡି ବିଭାଗ ପକ୍ଷରୁ ପାଣି ପାଇପ୍‌ ସଂଯୋଗକୁ କାଟି ଦିଆଯାଇଛି। ଅମୃତ ଯୋଜନାରେ ବିଛା ଯାଇଥିବା ପାଣିକୁ ଏଯାବତ୍‌ କାର୍ଯ୍ୟକାରୀ କରିନଥିବା ଅଭିଯୋଗ କରିଛନ୍ତି ମା’ ମଙ୍ଗଳା ବସ୍ତିର ବାସିନ୍ଦା। ଏନେଇ ବାରମ୍ବାର ବିଭାଗୀୟ ଅଧିିକାରୀ, ମେୟର ଓ ସ୍ଥାନୀୟ କର୍ପୋରେଟର୍‌ଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇ ନଥିଲା। ବାଧ୍ୟ ହୋଇ ରାସ୍ତାରୋକ ଭଳି ପନ୍ଥା ଅବଲମ୍ବନ କରାଯାଇଥିବା ବସ୍ତିବାସିନ୍ଦାଙ୍କ ପକ୍ଷରୁ କୁହାଯାଇଛି। ରାସ୍ତାରୋକ କାରଣରୁ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଯାତାୟାତ ଠପ୍‌ ହୋଇଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପିଏଚଡିି ଏସ୍‌ଡିଓ ବିରଞ୍ଚି ପ୍ରଧାନ, ଚନ୍ଦ୍ରଶେଖରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଶେଷରେ ଅମୃତ ଯୋଜନାରେ ମା’ ମଙ୍ଗଳା ବସ୍ତିରେ ବିଛା ଯାଇଥିବା ପାଇପ୍‌ ପାଣି ଯୋଗାଣକୁ କାର୍ଯ୍ୟକାରୀ କରିଥିଲେ। ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ମା’ ମଙ୍ଗଳା ବସ୍ତିବାସିନ୍ଦାଙ୍କ ସହିତ ଜଳକଷ୍ଟ ନେଇ ଓମ୍‌ଫେଡ୍‌ ବସ୍ତି ଓ ହରେକୃଷ୍ଣ ନଗର ବସ୍ତିର ବାସିନ୍ଦା ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ।

ପାଣି ସମସ୍ୟାର ସମାଧାନ କରାଯାଇଛି
ମଙ୍ଗଳା ବସ୍ତିକୁ ଦୈନିକ ପାଣି ଆସିଥାଏ। ଅମୃତ ଯୋଜନାରେ ପାଣି ପାଇଁ ସବୁ କାର୍ଯ୍ୟ ସମାପ୍ତ ହୋଇଛି। ଟେଷ୍ଟିଂ ଚାଲିଥିବାରୁ ପାଣି ଯୋଗାଣ ଆରମ୍ଭ ହୋଇପାରି ନଥିଲା। ତେବେ ବସ୍ତିବାସିନ୍ଦାଙ୍କ ଦାବି କାରଣରୁ ଆଜିଠୁଁ ପାଣି ଯୋଗାଣ ଆରମ୍ଭ ହୋଇଛି।
ବିରଞ୍ଚି ପ୍ରଧାନ, ପିଏଚ୍‌ଡି ଏସ୍‌ଡିଓ

ସମ୍ବନ୍ଧିତ ଖବର