ଭୁବନେଶ୍ୱର : କମିସନରେଟ୍ ପୁଲିସରେ ଇନ୍ସପେକ୍ଟର ଓ ଏସ୍ପି ର୍ୟାଙ୍କର ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ ହେବାର ସମ୍ଭାବନା ରହିଛି। ଏଥିପାଇଁ କମିସନରେଟ୍ କାର୍ଯ୍ୟାଳୟରେ ଆସନ୍ତାକାଲି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ, ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଓ କଟକ ଡିସିପି ଅଖିଳେଶ ସିଂହଙ୍କୁ ନେଇ ଏକ ବୈଠକ ହେବ। ବୈଠକ ପରେ ଏ ନେଇ କମିସନରେଟ୍ ପୁଲିସ ଏକ ବିଜ୍ଞପ୍ତି ପ୍ରକାଶ ପାଇବ।
ପୁଲିସ ମହଲରେ ହେଉଥିବା ଚର୍ଚା ଅନୁଯାୟୀ, କ୍ୟାପିଟାଲ ଥାନା ଇନ୍ସପେକ୍ଟର ଭାବେ ଗିରିଜା ଚକ୍ରବର୍ତୀ ଯୋଗ ଦେଉଥିବା ବେଳେ ଖାରବେଳନଗର ଥାନାରେ ଉମାକାନ୍ତ ମହାନ୍ତି ଯୋଗ ଦେବେ। ସେହିପରି ନୂଆପଲ୍ଲୀ ଥାନାରେ ଯୋଗ ଦେବେ ଇନ୍ସପେକ୍ଟର ପଦ୍ମନାଭ ପ୍ରଧାନ। ଇନ୍ସପେକ୍ଟର ଆକାଶ ରଣାଙ୍କୁ ଏୟାରଫିଲ୍ଡ ଦାୟିତ୍ୱ ମିଳିପାରେ। ତମାଣ୍ଡୋ ଥାନା ଇନ୍ସପେକ୍ଟର ମନୋଜ ସ୍ୱାଇଁଙ୍କ ନାଁ ଚର୍ଚାରେ ଥିବା ବେଳେ ଟ୍ରାଫିକ୍ ଇନ୍ସପେକ୍ଟର ସୁରେନ୍ଦ୍ର ବଳଙ୍କୁ ଲିଙ୍ଗରାଜ ଇନ୍ସପେକ୍ଟର ଭାବେ ବଦଳି କରାଯିବା ସମ୍ଭାବନା ରହିଛି। ଇନ୍ସପେକ୍ଟରରୁ ଏସିପି ର୍ୟାଙ୍କକୁ ପଦୋନ୍ନତି ପାଇଥିବା ଅନୁପ କାନୁନ୍ଗୋଙ୍କୁ ଜୋନ୍-୬ ଦାୟିତ୍ୱ ମିଳିବା ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ତାଙ୍କୁ ଟ୍ରାଫିକ୍ ଏସିପି ଦାୟିତ୍ୱ ଦିଆଯିବା ନେଇ ଶୁଣିବାକୁ ମିଳୁଛି। ଜୋନ୍-୬ ଏସିପି ଭାବେ ଏସିପି ସଂଜୀବ ଶତପଥୀଙ୍କୁ ଦାୟିତ୍ୱ ମିଳିପାରେ। ସେହିପରି ଏସିପି ଯତୀନ ପଣ୍ଡା ଓ ସେକ୍ ସରିଫିଦ୍ଦୁନ୍ଙ୍କ ମଧ୍ୟ ବଦଳି ଅନ୍ୟ ଜୋନ୍କୁ ହେବାର ଚର୍ଚା ହେଉଛି। ତେବେ କିଏ କେଉଁ ଥାନାରେ ଇନ୍ସପେକ୍ଟର ହେବେ କିଏ ଏସିପି ଦାୟିତ୍ୱରେ ରହିବେ ତାହା ଆସନ୍ତାକାଲି ବୈଠକ ପରେ ସ୍ପଷ୍ଟ ହେବ। ସେହିପରି ଅନ୍ୟ ଜିଲ୍ଲାରୁ ଯେଉଁ ଇନ୍ସପେକ୍ଟରମାନଙ୍କର ବଦଳି କମିସନରେଟ ପୁଲିସକୁ ହୋଇଛି, ତୁରନ୍ତ ସେମାନଙ୍କୁ ରିଲିଭ୍ କରିବାକୁ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଜିଲ୍ଲା ଏସ୍ପିମାନଙ୍କୁ ସ୍ୱତନ୍ତ୍ର ଭାବେ ଚିଠି ଲେଖିଛନ୍ତି।