୨୩ ଥର ଗିରଫ ହେଲାଣି ମକରା, ଏତେ କୋହଳ କାହିଁକି?

ଖଣ୍ଡଗିରି : ଦୁଇ ଡଜ‌ନ ଆପରାଧିକ ମାମଲା ମୁଣ୍ଡାଇଛି ମକରା ମହାରଣା(୩୦)। ସୁପାରି ନେଇ ହତ୍ୟାକାଣ୍ଡ ଭିଆଇବା, ଦାଦାବଟି ପାଇଁ ବୋମାମାଡ଼ କରିବା, ଲୁଟ୍‌, ଡକାୟତି ଓ ଛିନ୍‌ତାଇ ଭଳି ସଂଗିନ୍ ଅପରାଧରେ ଜଡ଼ିତ ରହିଛି ମକରା। ୨୦୦୮ ମସିହାରୁ ଦୀର୍ଘ ୧୧ବର୍ଷ ଧରି ସେ ରାଜଧାନୀ ସମେତ ଜଗତସିଂହପୁର ଓ ବାଲେଶ୍ବର ଜିଲ୍ଲାରେ ଘଟାଇ ଚାଲିଛି ଗୋଟିଏ ପରେ ଗୋଟିଏ ଅପରାଧ। ୨୩ଥର ଗିରଫ ହେଲାଣି ଏହି ଅନ୍ତଃରାଜ୍ୟ ଅପରାଧୀ। ଭୟଙ୍କର ଆପରାଧିକ ମାମଲାରେ ଗିରଫ ହେଉଥିବା ସତ୍ତ୍ବେ ସହଜରେ ଜାମିନ୍ ପାଇ ଯାଉଥିବାରୁ ତା’ ପ୍ରତି ପୁଲିସର କୋହଳ ମନଭାବକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

ଚନ୍ଦକା ଥାନା କଣ୍ଟାବାଡ଼ ଗାଁର ମକରା ୟୁନିଟ୍‌-୮ ଅଞ୍ଚଳରେ ରହୁଥିବା ସମୟରୁ ଅପରାଧ ଦୁନିଆରେ ପାଦ ଦେଇଛି। ୨୦୦୮ ମସିହାରେ ଶିରିପୁର ଅଞ୍ଚଳରେ ଦାଦାବଟି ପାଇଁ ଦୁଇ ଥର ବୋମାମାଡ଼ କରି ସେ ଖଣ୍ଡଗିରି ଥାନା ପୁଲିସ ହାତରେ ଗିରଫ ହୋଇଥିଲା। ବନ୍ଧୁକ ଓ ବୋମା ଭଳି ଆଗ୍ନେୟାସ୍ତ୍ର ଓ ବିସ୍ଫୋରକ ପଦାର୍ଥ ବେଆଇନ ଭାବେ ରଖିବା ଅଭିଯୋଗରେ ତାକୁ ପୁଲିସ ଗିରଫ କରିଥିଲା। ପରେ ୨୦୦୯ ମସିହାରେ ଗଙ୍ଗନଗର ଅଞ୍ଚଳରେ ଘଟିଥିବା ଏକ ହତ୍ୟାକାଣ୍ଡରେ ଅଭିଯୁକ୍ତ ହୋଇ କ୍ୟାପିଟାଲ ଥାନା ପୁଲିସ ଦ୍ବାରା ଗିରଫ ହେବା ପରେ ମକରା ଏକ ସୁପାରି କିଲର ଭାବେ ଗଣା ହେଲା। ୨୦୧୧ମସିହାରେ ଜଗତସିଂହପୁର ରଘୁନାଥପୁର ଅଞ୍ଚଳରେ ଏକ ହତ୍ୟା ଉଦ୍ୟମ ଓ ୨୦୧୨ ମସିହାରେ ବାଲେଶ୍ବର ରେମୁଣା ଅଞ୍ଚଳରେ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା। ବାରମ୍ବାର ଅପରାଧ ଘଟାଇବାରୁ ୨୦୧୬ ମସିହାରେ କ୍ୟାପିଟାଲ ଥାନା ପୁଲିସ ତାକୁ ଅଭ୍ୟାସଗତ ଅପରାଧୀ ବୋଲି ଦର୍ଶାଇ ୧୧୦ ଧାରାରେ ଜେଲ୍‌ ହାଜତକୁ ପଠାଇଥିଲା। ତେବେ ଜାମିନ୍‌ରେ ଆସିବା ପରେ ଅପରାଧକୁ ଏକ ବୃତ୍ତି ବୋଲି ଧରିନେଇଥିବା ମକରା ପୁଣି ଗୋଟିଏ ପରେ ଗୋଟିଏ କାଣ୍ଡ କରି ଚାଲିଲା ଓ ଏହି ଧାରା ଆଜି ପର୍ଯ୍ୟନ୍ତ ଜାରି ରହିଛି। ଏବେ ଛିନ୍‌ତାଇରେ ମାତିଥିବା ମକରାକୁ ଗତ ଜୁନ୍‌ ୩୦ରେ ଖାରବେଳ ନଗର ଥାନା ପୁଲିସ ଗିରଫ କରିଥିଲା। ଦିନ ଦିପ୍ରହରରେ ଜନଗହଳିପୂର୍ଣ୍ଣ ଶ୍ରୀୟା ଟକିଜ୍ ଛକରୁ ଜଣେ ମହିଳାଙ୍କ ବେକରୁ ଚେନ୍‌ ଲୁଟ୍ କରି ଖସି ପଳାଉଥିବା ବେଳେ ଲୋକଙ୍କ ହାତରେ ଧରାପଡ଼ିଥିଲା। ମାତ୍ର ଦିନ କେଇଟା ପରେ ସେ ଜେଲ୍‌ରୁ ବାହାରିଗଲା ଓ ଗତ ୧୪ ତାରିଖରେ ପୁଣି ଘଟାଇଲା ଏକ ଛିନ୍‌ତାଇ। ରସୁଲଗଡ଼ ଭଗବତ ସନ୍ଧାନ ନିକଟରେ ଅଟୋରେ ଯାଉଥିବା ଜଣେ ମହିଳାଙ୍କ ବେକରୁ ଚେନ୍ ଟାଣି ନେଇ ପଳାଉଥିବା ବେଳେ ଲୋକଙ୍କ ହାତରେ ଧରା ପଡ଼ିଥିଲା ଓ ମଞ୍ଚେଶ୍ବର ଥାନା ପୁଲିସ ତାକୁ କୋର୍ଟ ଚାଲାଣ କରିଛି। ମାତ୍ର ପୁଲିସ ତାକୁ ଗତାନୁଗତିକ ଧାରାରେ କୋର୍ଟ ଚାଲାଣ କରିଛି। ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିଲେ ବି ତା’ ବିରୋଧରେ ପୁଣି ୧୧୦ ଭଳି ଅନ୍ୟ କୌଣସି ସଂଗିନ୍ ଦଫା ଲାଗୁ କରାଯାଉନାହିଁ। କିନ୍ତୁ ଏ ନେଇ ପୁଲିସ କମିସନର୍‌ ସତ୍ୟଜିତ୍ ମହାନ୍ତିଙ୍କ କହିବା କଥା, ମକରା କଥା ବିଚାରାଧୀନ ରହିଛି ଓ ଖୁବ୍‌ ଶୀଘ୍ର ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର