କାର୍‌ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ପରକୀୟା ପ୍ରୀତିରୁ ହତ୍ୟା

ସଂଗ୍ରାମ ଓ ତାଙ୍କ ବାନ୍ଧବୀ ଗିରଫ, ଟାଟା ସଫାରି, ଖଣ୍ଡା, ଗୁପ୍ତି, ୨ ମୋବାଇଲ୍ ଫୋନ୍ ଜବତ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଥାନା ଅଧୀନ ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରୁ ତନୁଜା ଆଇଚ ନାମକ ଜ‌େଣ ମହିଳାଙ୍କ ମୃତଦେହ ସଫାରି କାର ଭିତରୁ ମିଳିବା ଘଟଣାର ରହସ୍ୟ ଉନ୍ମୋଚନ ହୋଇଛି। ତନୁଜାଙ୍କ ମୃତ୍ୟୁ ଦୁର୍ଘଟଣା ଯୋଗୁ ନୁହେଁ ବରଂ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ହତ୍ୟାକାରୀ ହେଉଛନ୍ତି ତନୁଜାଙ୍କ ପତି ସଂଗ୍ରାମ ଆଇଚ ଓ ସଂଗ୍ରାମଙ୍କ ବାନ୍ଧବୀ ସ୍ନିଗ୍ଧା ଦାଶ(୨୧)।  ପୁଲିସ ଦୁହିଁଙ୍କ ନିକଟରୁ ରକ୍ତଭିଜା କପଡ଼ା, ଦୁଇଟି ମୋବାଇଲ୍ ଫୋନ୍,ଖଣ୍ଡା, ଗୁପ୍ତି ଓ ସଫାରି କାର୍ ଜବତ କରିଛି। ଆଜି ଦୁହିଁଙ୍କୁ କୋର୍ଟ  ଚାଲାଣ କରାଯାଇଛି। ତେବେ ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ତଦନ୍ତବେଳେ ଜାଣିବାକୁ ପାଇଛି।

ଏ ନେଇ ପୁଲିସ କମିସନର ସତ୍ୟଜିତ ମହାନ୍ତି ଏକ ସା‌ମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କି, ଗତ ମାସ ୩୦ ତାରିଖ ରାତି ପ୍ରାୟ ୧୦ଟାବେଳେ ସଂଗ୍ରାମ ନୂଆଗାଁ ଆନନ୍ଦବିହାରରେ ରହୁଥିବା ତନୁଜାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଦୁହିଁଙ୍କ ମଧ୍ୟରେ ସଂଗ୍ରାମଙ୍କ ପରକୀୟା ପ୍ରୀତିକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏତିକିବେଳେ ସଂଗ୍ରାମ ଉତକ୍ଷିପ୍ତ ହୋଇ ତନୁଜାଙ୍କ ମୁହଁକୁ ଚାପି ଧରି ଶିଡ଼ି ପାହାଚରେ ବାଡ଼େଇ ଚାଲିଥିଲେ। ତୁନୁଜା ଶ୍ବାସରୁଦ୍ଧ ହୋଇ ଅଚେତ ହୋଇ ଯିବା ପରେ ମଧ୍ୟ ତାଙ୍କ ମୁଣ୍ଡକୁ ବାଡ଼େଇ ଚାଲିଥିଲେ। ଏହି କାରଣରୁ  ତନୁଜାଙ୍କର ମୃତ୍ୟୁ ଘଟିଥିଲା। ତନୁଜାଙ୍କ ମୃତ୍ୟୁ ‌େହବା ପରେ ସଂଗ୍ରାମ ବାନ୍ଧବୀ ସ୍ନିଗ୍ଧାଙ୍କୁ ନୂଆଗାଁ ଡକାଇଥିଲେ। ସ୍ନିଗ୍ଧା ନୂଆଗାଁରେ ପହଞ୍ଚିବା ପରେ ଘର ଭିତରେ ପଡ଼ିଥିବା ରକ୍ତକୁ ଭଲ ଭାବେ ପୋଛି ପକାଇଥିଲେ। ଘରକୁ ଏକଦମ୍ ପରିଷ୍କାର କରି ଦେଇଥିଲେ। ଏହା ପରେ ଦୁହେଁ ତନୁଜାଙ୍କୁ ନେଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଯାଇଥି‌େଲ। ସେଠାରେ କହିଥିଲେ, ତନୁଜା ଶଡ଼ିରୁ ପଡ଼ି ଯାଇଛନ୍ତି। ଟିକେ ଦେଖନ୍ତୁ। ଡାକ୍ତର ସଫାରି ନିକଟକୁ ଆସି ତନୁଜାଙ୍କୁ ଦେଖିଥିଲେ। କହିଥି‌େଲ ତୁରନ୍ତ କଟକ ବଡ଼ ମେଡିକାଲ୍‌ ନେଇ ଯାଆନ୍ତୁ ଅବସ୍ଥା ସଙ୍କଟାପନ୍ନ ରହିଛି। ସଂଗ୍ରାମ ଓ ସ୍ନିଗ୍ଧା  ଦୁହେଁ ତନୁଜାଙ୍କୁ ଧରି କଟକର ସିଡିଏରେ ଥିବା ଅଶ୍ବିନୀ ହସ୍ପିଟାଲ ଯାଇଥିଲେ। ସେଠାରେ ଡାକ୍ତରଙ୍କୁ ବାହାରକୁ ଡାକି ତନୁଜାଙ୍କୁ ଦେଖାଇଥିଲେ। ଅଶ୍ବିନୀ ହସ୍ପିଟାଲ ଡାକ୍ତର ତନୁଜାଙ୍କର ମୃତ୍ୟୁ ଘଟିଛି ବୋଲି କହିଥିଲେ। ଏହା ପରେ ଦୁହେଁ  ରାତି ପ୍ରାୟ ୧ଟାବେଳେ ଭୁବନେଶ୍ବର ଫେରି ଆସିଥିଲେ। ସଂଗ୍ରାମ ତାଙ୍କ ବାନ୍ଧବୀ ସ୍ନିଗ୍ଧାଙ୍କୁ ହ‌େଷ୍ଟଲ୍‌ରେ ଛାଡ଼ି ନୂଆଗାଁ ଫେରୁଥିବାବେ‌େଳ ହାଇୱା ସହିତ ଦୁର୍ଘଟଣା ଘଟିଥିଲା। ଦୁଘର୍ଟଣା ପରେପରେ  ସଂଗ୍ରାମ ପୁଣି ଥରେ ସ୍ନିଗ୍ଧାଙ୍କୁ ଫୋନ୍ କରିଥିଲେ। ସ୍ନିଗ୍ଧା ମନା କରିବାରୁ ପୁଣି ଥରେ ହଷ୍ଟେଲକୁ ଯାଇଥିଲେ। ସେଠାରେ ଦୁହେଁ କିଛି ସମୟ କଥା ହେବା ପରେ ଗାଡ଼ି କିଛି ହାତ ଦୂରରେ ଲକ୍ କରି ପୁଅକୁ ସାଙ୍ଗରେ ଧରି କୋଲକାତା ପଳାଇଥିଲେ। ସ୍ପେସାଲ ସ୍କ୍ବାଡ୍ ପୁଲିସ କୋଲକାତାରେ ଚଢ଼ଉ କରି ସଂଗ୍ରାମଙ୍କୁ ଗିରଫ କରିବା ସହିତ ତାଙ୍କ ପୁଅକୁ ଉଦ୍ଧାର କରିଥିଲା।

କେବଳ ବାନ୍ଧବୀଙ୍କ ପାଇଁ…

ବାନ୍ଧବୀ ସ୍ନିଗ୍ଧାଙ୍କ ପାଇଁ ଘଟିଥିଲା ଏହି ହତ୍ୟାକାଣ୍ଡ। ଢେଙ୍କନାଳ ଟାଉନ୍‌ ଥାନା ଅଧୀନ ଚନ୍ଦନବଜାରର ସ୍ନିଗ୍ଧା ଭୁବନେଶ୍ବରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଡିଗ୍ରି କରିବା ପରେ ଚାକିରି ଅନ୍ବେଷଣରେ ଥିଲେ। ବାନ୍ଧବୀ ଜଣକ ମହାବୀରନଗରର ଗୁରୁକୃପା ହଷ୍ଟେଲ୍‌ରେ ରହୁଥିଲେ। ସଂଗ୍ରାମ ମଧ୍ୟ ଏକ ହଷ୍ଟେଲ୍‌ ଚଳାଉଥିଲେ। ଏହି କାରଣରୁ ସଂଗ୍ରାମଙ୍କର ସ୍ନିଗ୍ଧାଙ୍କ ସହିତ ପରିଚୟ ହୋଇଥିଲା। ପରେ ଏହା ସମ୍ପର୍କରେ ବଦଳି ଯାଇଥିଲା। ଏହି କାରଣରୁ ବିଭିନ୍ନ ସମୟରେ ତନୁଜାଙ୍କ ସହିତ  ସଂଗ୍ରାମଙ୍କର ପାଟିତୁଣ୍ଡ ହେଉଥିଲା। ଘଟଣା ରାତିରେ ମଧ୍ୟ ସ୍ନିଗ୍ଧାଙ୍କ ପାଇଁ ଝଗଡ଼ା ହୋଇଥିଲା। ସ୍ନିଗ୍ଧା ମଧ୍ୟ ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିଥିଲେ। ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

ଦୁଷ୍କର୍ମ ମାମଲାରେ ଫେରାର ଥିଲା ସଂଗ୍ରାମ

ସଂଗ୍ରାମ ଚଳାଉଥିବା ଏକ ହଷ୍ଟେଲର ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ। ଏ ନେଇ ଛାତ୍ରୀ ଜଣକ ମହିଳା ଥାନାରେ ଏତଲା‌ ଦେବା ପରେ ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିଥିଲା। କିନ୍ତୁ  ମହିଳା ଥାନା ପୁଲିସ ସଂଗ୍ରାମଙ୍କୁ ଗିରଫ କରିବାକୁ ସକ୍ଷମ ହୋଇ ପାରି ନ ଥିଲା। ଏହା ଛଡ଼ା ସଂଗ୍ରାମଙ୍କ ବିରୋଧରେ ଏକ ମାରପିଟ୍ ମାମଲା ମଧ୍ୟ ରହିଛି।

ଅଶ୍ବିନୀ ହସ୍ପିଟାଲ କର୍ତୃପକ୍ଷଙ୍କୁ ହେବ ନୋଟିସ୍

ତନୁଜାଙ୍କୁ ଧରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକର ସିଡିଏରେ ଥିବା ଅଶ୍ବିନୀ ହସ୍ପିଟାଲ ଯାଇଥିଲେ। ସେଠାରେ ଡାକ୍ତରଙ୍କୁ ବାହାରକୁ ଡାକି ତନୁଜାଙ୍କୁ ଦେଖାଇଥିଲେ। ଅଶ୍ବିନୀ ହସ୍ପିଟାଲ ଡାକ୍ତର ତନୁଜାଙ୍କର ମୃତ୍ୟୁ ଘଟିଛି ବୋଲି କହିଥିଲେ। ନିୟମ ଅନୁଯାୟୀ ଅଶ୍ବିନୀ ହସ୍ପିଟାଲ ପକ୍ଷରୁ ସ୍ଥାନୀୟ ଥାନାକୁ ଖବର ଦିଆଯିବା କଥା। କିନ୍ତୁ ଏହା ସେମାନେ କରି ନ ଥିବାରୁ କମିସନରେଟ ପୁଲିସ ପକ୍ଷରୁ ହସ୍ପିଟାଲକୁ ନୋଟିସ୍ ହେବ। ସଂପୃକ୍ତ ଡାକ୍ତର ପୁଲିସ ନିକଟରେ ହାଜର ହୋଇ ନିଜ ମତ ରଖିବେ। ଆବଶ୍ୟକ ହେଲେ ସଂପୃକ୍ତ ହସ୍ପିଟାଲ ଓ ଡାକ୍ତରଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର