‘ନୃତ୍ୟାର୍ଚ୍ଚନା’ର ଗୁରୁ ଦେବପ୍ରସାଦ ଦାସ ସମ୍ମାନ ଉତ୍ସବ

ଭୁବନେଶ୍ୱର: ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟାର୍ଚ୍ଚନା’ ପକ୍ଷରୁ ଦ୍ୱିତୀୟ ବାର୍ଷିକ ଗୁରୁ ଦେବପ୍ରସାଦ ଦାସ ସମ୍ମାନ ଉତ୍ସବ ଆଜି ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି। ବିଶିଷ୍ଟ ଗୀତିକବି ରାଧାଶ୍ୟାମ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେୟର ଅନନ୍ତ ନାରାୟଣ ଜେନା, ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁରେଶ କୁମାର ପଣ୍ଡା, ପଦ୍ମା ହସ୍ପିଟାଲ ପରିଚାଳକ ବିଶ୍ୱନାଥ ପଣ୍ଡା ଓ ଶିଶୁପାଳଗଡ଼ର ସରପଞ୍ଚ ଇତିଶ୍ରୀ ଚମ୍ପତ୍ତିରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସୁଧାକର ସାହୁଙ୍କୁ ‘ଗୁରୁ ଦେବ ପ୍ରସାଦ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା ଓ ନୁତ୍ୟଗୁରୁ ବିଚିତ୍ରା ନନ୍ଦ ସ୍ୱାଇଁ, ଓଡ଼ିଶୀ ନୃତ୍ୟଶିଳ୍ପୀ ଦୀପ୍ତି ମିଶ୍ର, ନୃତ୍ୟଶିଳ୍ପୀ ସୁଶ୍ରୀ ଶତାବ୍ଦୀ ମଲ୍ଲିକଙ୍କୁ ‘ନୃତ୍ୟାର୍ଚ୍ଚନା’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାସହ ଅନେ୍ଵଷା ଦାସ, ପ୍ରିୟଙ୍କା ସ୍ୱାଇଁ ଓ ଗୀତିକା ପାତ୍ରଙ୍କୁ ଏକକ ନୃତ୍ୟ ଲାଗି ସମ୍ମାନିତ କରାଯାଇଥିଲା। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦୀପ୍ତି ମିଶ୍ରଙ୍କ ଦ୍ୱାରା ଏକକ ନୃତ୍ୟ ‘ଗୀତ ଗୋବିନ୍ଦ’, ନୃତ୍ୟାର୍ଚ୍ଚନା ଛାତ୍ରଛାତ୍ରୀଙ୍କ ଦ୍ୱାରା କସ୍ତୁରୀ ତିଳକ, ମଙ୍ଗଳା ଚରଣ, ସୁଶ୍ରୀ ଶତାବ୍ଦୀ ମଲ୍ଲିକଙ୍କ ଏକକ ନୃତ୍ୟ ସଖୀ ହେ, ‘ତ୍ରିଧାରା’ ପକ୍ଷରୁ ଦୁର୍ଗାସ୍ତୁତି, ‘ରୁଦ୍ରାକ୍ଷ’ ପକ୍ଷରୁ ପଲ୍ଲବୀ ନୃତ୍ୟ ପରିବେଷିତ ହୋଇଥିଲା। ସୁରେଶ ଖୁଣ୍ଟିଆ ଓ ସାଗର ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିତାରାଣୀ ଦାସ ସଭାରେ ଉପସ୍ଥିତ ଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର