ବାଲିପାଟଣାରେ ବ୍ୟାପୁଛି ଡେଙ୍ଗୁ, ମାସକ ଭିତରେ ଗୋଟିଏ ଗାଁରେ ୬ ଆକ୍ରାନ୍ତ

ବାଲିପାଟଣା: ବାଲିପାଟଣା ବ୍ଲକ ଅଧୀନ ଭାକରସାହି ପଞ୍ଚାୟତ ଗଡ଼ଚାରିପଡ଼ାରେ ଡେଙ୍ଗୁ ଜ୍ବରକୁ ନେଇ ଏବେ କୋକୁଆ ଭୟ ଦେଖାଦେଇଛି। ମାସକ ଭିତରେ ଗାଁର ପ୍ରାୟ ୬ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇସାରିଲେଣି। ବର୍ତମାନ ଦୁଇ ଜଣ ଚିକିତ୍ସାଧୀନ ଥିବା ବେଳେ ଅନ୍ୟ ୪ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଗାଁରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସ˚ଖ୍ୟା ବଢ଼ୁଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ମିଳିଥିବା ସୂଚନା ମୁତାବକ, ଗ୍ରାମର ତାପସ ପାତ୍ର (୩୫) ଗତ ସୋମବାରଠାରୁ ଭୁବନେଶ୍ବରର କ୍ୟାପିଟାଲ ହସ୍ପପିଟାଲରେ ଭର୍ତି ହୋଇଛନ୍ତି। ମେଡିକାଲରେ ୬ଦିନ ବିତିଥିଲେ ବି ସେ ସ˚ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ସେହିପରି ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଗାଁର ବିଳାସ ପାତ୍ର (୫୫)ଙ୍କୁ ଆଜି କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତି କରାଯାଇଛି। ଏଥିସହ ଗାଁର ପ୍ରକାଶ ପାତ୍ର (୪୫), ସ˚ଜୟ ମହାପାତ୍ର (୪୦), ପ୍ରତିମା ପାତ୍ର (୩୫) ପ୍ରମୁଖ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ବରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଗୋଟିଏ ମାସ ଭିତରେ ଜଣକ ପରେ ଜଣେ ଡେଙ୍ଗୁରେ ଆକ୍ରାନ୍ତ ହେବା ଏବେ ଗ୍ରାମବାସୀଙ୍କ ଚିନ୍ତା ବଢ଼େଇ ଦେଇଛି। ଫଳରେ କାହାକୁ ବି ସାଧାରଣ ଜ୍ବର ହେବା ମାତ୍ରେ ଡାକ୍ତରଖାନା ନିଆଯାଇ ରକ୍ତପରୀକ୍ଷା କରାଇବାକୁ ପଡ଼ୁଛି। କିନ୍ତୁ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ପାଖରେ ଗାଁରେ ଦିନକୁ ଦିନ ଡେଙ୍ଗୁ ବ୍ୟାପୁଥିବା ଖବର ରହିବା ସ‌ତ୍ତ୍ବେ ଜଣେ ବି ବିଭାଗୀୟ କର୍ମଚାରୀ ଗ୍ରାମରେ ପାଦ ପକାଇ ନଥିବା ଅତ୍ୟନ୍ତ ପରିତାପର ବିଷୟ। ଏନେଇ ଗାଁର ନବ ପାତ୍ର, ପ୍ରଦୀପ ପାତ୍ର, ଦୀନେଶ ପାତ୍ର, ମାନସ ପାତ୍ରଙ୍କ ସମେତ ସମସ୍ତ ଗ୍ରାମବାସୀ ପ୍ରଶାସନର ଏଭଳି ଅଣଦେଖା ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର