ଭୁବନେଶ୍ୱର : ମହାଦେବଙ୍କୁ ଅପମାନିତ କରିବା ପାଇଁ ଦକ୍ଷ ପ୍ରଜାପତି ଶିବହୀନ ଯଜ୍ଞର ଆୟୋଜନ କରିଥିଲେ। ଏହି ସମ୍ବାଦ ପାଇ ମା’ ସତୀ ଶିବଙ୍କ ବାରଣ ସତ୍ତ୍ୱେ ପିତ୍ରାଳୟ ଗମନ କଲେ। କିନ୍ତୁ ସେଠାରେ ନିଜର ତଥା ସ୍ୱାମୀଙ୍କ ଅପମାନ ସହ୍ୟ ନ କରିପାରି ଯଜ୍ଞ କୁଣ୍ଡରେ ଆତ୍ମ ବିସର୍ଜନ ଦେଇଥିଲେ। ଏହା ଶୁଣି ମହାଦେବ କ୍ରୋଧ ଜର୍ଜରିତ ହୋଇ ଦକ୍ଷର ଶୀରଛେଦ କରିଥିଲେ। ଏଭଳି ଏକ ପୌରାଣିକ କଥାବସ୍ତୁ ଜୀବନ୍ତ ରୂପ ନେଇଥିଲା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ। କୌଣସି ନାଟକ କିମ୍ବା ବୃତ୍ତଚିତ୍ର ମାଧ୍ୟମରେ ନୁହେଁ ଲୁକ୍କାୟିତ ହୋଇ ଯାଉଥିବା ଗୀତିନାଟ୍ୟ ମାଧ୍ୟମରେ ଏହି କଥାବସ୍ତୁ ‘ଦକ୍ଷ ଯଜ୍ଞ’ ଆଜି ପରିବେଷିତ ହୋଇଥିଲା। ଭୁବନେଶ୍ୱରସ୍ଥିତ ଲାବଣ୍ୟ ଥିଏଟର ପକ୍ଷରୁ ପରିବେଷିତ ଏହି ଗୀତିନାଟ୍ୟର କାହାଣୀ ଗଣକବି ବୈଷ୍ଣବ ପାଣି ରଚନା କରିଥିବା ବେଳେ ନୀଳାଦ୍ରି ବିହାରୀ ମହାପାତ୍ର ନିର୍ଦ୍ଦେଶନା ଦେଇଥିଲେ। ଏହା ପରେ ପରେ ବାଣାସୁର ଓ ଶ୍ରୀକୃଷ୍ଣଙ୍କ ଯୁଦ୍ଧକୁ ନେଇ ‘ବାଣା ପରାଜୟ’ ଗୀତିନାଟ୍ୟ ପ୍ରଦର୍ଶିତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଆଜି ‘ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ’ ଉଦ୍ଘାଟିତ ହୋଇଥିଲା। ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଧୀରେ ଧୀରେ ଲୁପ୍ତ ହୋଇଯାଉଥିବା ଗୀତିନାଟ୍ୟର ପ୍ରଚାର ପ୍ରସାର କରିବା ତଥା ଏହାର ପୁରୁଣା ଦର୍ଶକଙ୍କୁ ସାଉଁଟିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଧୀରେ ଧୀରେ ଦର୍ଶକଙ୍କ ପ୍ରତିକ୍ରିୟାକୁ ଦେଖି ଆଗାମୀ ଦିନରେ ଏହାକୁ ଅଧିକ କରିବାକୁ ଉଦ୍ୟମ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କରିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସଂସ୍କୃତି ନିର୍ଦ୍ଦେଶକ ଅମରେନ୍ଦ୍ର ପଟ୍ଟନାୟକ, ସଙ୍ଗୀତ ନାଟକ ଏକାଡେମିର ସଭାପତି ତୃପ୍ତି ଦାସ, ଉପସଭାପତି ରାମହରି ଦାସ, ସଚିବ ପ୍ରଦୀପ କୁୂମାର ମିଶ୍ର ଓ କୁଳପତି କମଳାକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଯୋଜନା କରିଥିଲେ। ଆସନ୍ତା କାଲି ଏହି ମଞ୍ଚରେ ‘କର୍ଣ୍ଣ ବଧ’ ଓ ‘କୀର୍ତ୍ତବୀର୍ଯ୍ୟ ସଂହାର’ ଦୁଇଟି ଗୀତିନାଟ୍ୟ ପରିବେଷିତ ହେବ।