ସହଜରେ ବୁଝି ହେଉଥିବା କବିତା ଭଲ କବିତା ଟାଇମ୍‌ପାସ୍‌ର ‘ପୁସ୍ତକ ପର୍ବ’

0

ଭୁବନେଶ୍ବର: ସାଧାରଣତଃ ଅନେକଙ୍କ ଧାରଣା ଥାଏ, ଯେଉଁ କବିତା ସହଜରେ ବୁଝି ହୁଏ ତାହା ଭଲ କବିତା ନୁହେଁ। କିନ୍ତୁ ବାସ୍ତବତା ହେଲା, ଯଦି ପାଠକ କବିତାକୁ ସହଜରେ ବୁଝିପାରେ ତେବେ କବି ଓ କବିତା ଉଭୟ ସାର୍ଥକ ହୁଏ ବୋଲି କହିଛନ୍ତି ବିଶିଷ୍ଟ କବି ରମାକାନ୍ତ ରଥ। ଜାତୀୟ ଅଭିଲେଖାଗାରରେ ଟାଇମ୍‌ପାସ୍‌ ପ୍ରକାଶନୀ ପକ୍ଷରୁ ଆୟୋଜିତ ‘ପୁସ୍ତକ ପର୍ବ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ରଥ କହିଲେ, କବିତା ଲେଖାଯାଏ ନାହିଁ। କବିତା ପାଖକୁ ଆସେ। ତେଣୁ କୌଣସି କବି ‘ଏହା ମୋ କବିତା’ କହି ଗର୍ବ କରିବା ଉଚିତ ନୁହେଁ। ବରଂ ସେ କୃତଜ୍ଞତା ଜଣାଇବା କଥା ଯେ, କବିତା ଯାଉ ଯାଉ ତା’ ପାଖରେ ଅଟକିଗଲା ଏବଂ ତାକୁ ଲେଖିବାକୁ କବି ସମର୍ଥ ହେଲେ। କବି ସଂଗ୍ରାମ ଜେନାଙ୍କ କବିତା ସଂକଳନ ଚିତ୍ରାକ୍ଷର (ଓଡ଼ିଆ), ସାଞ୍ଜ୍‌ବେଲାର ସମୁଦ୍ର (ବଙ୍ଗଳା) ଏବଂ ଲୁକିଂ ଫର୍‌ ଥିଙ୍ଗ୍‌ସ୍‌ (ଇଂରାଜୀ) ଏହି ଅବସରରେ ଲୋକାର୍ପିତ ହୋଇଛି। କବି ଶ୍ରୀ ଜେନାଙ୍କ ମୂଳ ପୁସ୍ତକରୁ ‘ସାଞ୍ଜ୍‌ବେଲାର ସମୁଦ୍ର’କୁ ବଙ୍ଗଳାରେ ଅନୁବାଦ କରିଛନ୍ତି ଅଜିତ୍‌ ପାତ୍ର। ‘ଲୁକିଂ ଫର୍‌ ଥିଙ୍ଗ୍‌ସ୍‌’କୁ ଇଂରାଜୀ ଅନୁବାଦ କରିଛନ୍ତି କବି ବିଭୁ ପାଢ଼ୀ ଓ ଅନୁବାଦକ ଅରବିନ୍ଦ ବେହେରା। ‘କବିତାର ସାମଗ୍ରିକ ଦିଗ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କଥାକାର ଗୌରହରି ଦାସ କହିଲେ, ଗପ, ଉପନ୍ୟାସ ଓ କବିତା ମଧ୍ୟରୁ କବିତା ଲେଖିବା ସବୁଠାରୁ ବେଶି କଷ୍ଟ। ଉପନ୍ୟାସ ଲେଖିବା ସମୟରେ ଗୋଟିଏ ଦୁଇ ପୃଷ୍ଠା ଏପଟ ସେପଟ ଲେଖିଦେଲେ ଚଳିବ। ଗପ ଲେଖିବା ବେଳେ ଟିକେ ଅଧିକ ସତର୍କ ହେବାକୁ ପଡ଼େ, ତଥାପି ୨/୩ ପାରା ୟାଡ଼ୁସାଡୁ ଲେଖି ପୁଣି ବିଷୟ ଉପରକୁ ପାଠକଙ୍କୁ ଟାଣି ହେବ। କିନ୍ତୁ କବିତା ହେଉଛି ସୁନା ବା ରୁପାର ତାରକସି କାମ ଭଳି। ଗୋଟିଏ ବି ଶବ୍ଦ କମ୍‌ କି ବେଶି ହେଲେ କବିତା ତା’ର ସୌନ୍ଦର୍ଯ୍ୟ ହରାଇ ବସେ। ସେ ଏକଥା ବି କହିଲେ, କବିତା ଲେଖିବାର ଆଗ୍ରହ ସମୁଦ୍ର ଲହଡ଼ି ଭଳି। କାରଣ ଲହଡ଼ି ପଡ଼ିବା ପାଇଁ ଉଠେ ନାହିଁ, ଉଠିବା ପାଇଁ ପଡ଼େ। ଯେଉଁ ଘଟଣା ଦେଇ ଆମେ କେବେ ଗତି କରି ନଥାଉ, ସାର୍ଥକ କବିତା ଆମକୁ ସେହି ପ୍ରକାର ଅଭିଜ୍ଞତା ଦିଏ। ସମାଲୋଚକ ବସନ୍ତ କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇ, ବିଭିନ୍ନ ସମୟରେ କବିତାର ପରିବର୍ତ୍ତିତ ଧାରା ଉପରେ ଆଲୋକପାତ କରିଥିଲେ। କବି ସଂଗ୍ରାମ ଜେନା କହିଲେ, କବିତା ଲେଖିବା ପୂର୍ବରୁ କବି ମନରେ ଦୃ୍ଶ୍ୟଟିଏ ଆସେ। ନିର୍ଜନତା ଭିତରେ ସେଇ ଦୃଶ୍ୟ ସବୁ ଅକ୍ଷର ଭିତରକୁ ଓହ୍ଲାଇ ଆସେ। ଏହି ଅବସରରେ ୩ ଅନୁବାଦକ ଓ କବି କବିତା ଆବୃତ୍ତି କରିଥିଲେ। ଟାଇମ୍‌ପାସ୍‌ ପ୍ରକାଶନୀର ପ୍ରକାଶକ ସରୋଜ ବଳ ସ୍ବାଗତ ଭା‌ଷଣ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.