ବର୍ଷା ହେଲେ ବୁଡ଼ିବ ଐତିହ୍ୟ

ପୁରୁଣା ଭୁବନେଶ୍ୱର: ଯେଉଁ ମନ୍ଦିରଗୁଡ଼ିକ ପାଇଁ ଭୁବନେଶ୍ୱର ମନ୍ଦିର ମାଳିନୀ ସହରର ମାନ୍ୟତା ପାଇଛି, ଏବେ ସେଇ ପୁରାତନ ଐତିହ୍ୟଗୁଡ଼ିକ ବିପର୍ଯ୍ୟୟ ହେବାକୁ ବସିଛି। ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ମନ୍ଦିରରୁ ପାଣି ଗଳୁଥିବା ବେଳେ କେତେକେ ମନ୍ଦିର ପାଣିଘେରରେ ରହୁଛି। ମନ୍ଦିରରେ ପୂଜା ପାଉଥିବା ଠାକୁର ବର୍ଷା ଦିନେ ଅଧିକାଂଶ ସମୟ ପାଣିରେ ବୁଡ଼ି ରହୁଛନ୍ତି। ଏପରିକି ଏଥିରୁ ବାଦ୍‌ ପଡ଼ୁ ନାହାନ୍ତି ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ଓ ତାଙ୍କ ମନ୍ଦିର। ଗତ ୩ବର୍ଷ ହେଲା ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମନ୍ଦିରର ଭୋଗ ମଣ୍ଡପ ଓ ଜଗମୋହନରୁ ପାଣି ଗଳୁଥିବା ଦେଖିବାକୁ ମିଳିଥିଲା। ମନ୍ଦିର ପରିସରର ଛୋଟ ବଡ଼ ୫ଟି ମନ୍ଦିର ଯଥା ଜଗମୋହନ, ଭୋଗ ମଣ୍ଡପ, ମା’ ପାର୍ବତୀ ମନ୍ଦିରର ଜଗମୋହନ, ବଡ଼ ଗଣେଶ, ମହାପ୍ରସାଦ ଯିବା ଆସିବା ସ୍ଥାନ, ଜଗନ୍ନାଥ ମନ୍ଦିର ପଛ, ବୈଦନାଥ ମନ୍ଦିରରେ ପାଣି ଗଳୁଥିବା ସମସ୍ୟା ଦେଖା ଦେଇଛି। ସେହିପରି ଟଙ୍କପାଣି ରୋଡ୍‌ରେ ଥିବା ଶ୍ରୀମେଘେଶ୍ୱର ମନ୍ଦିରରେ ମହାଦେବ, କେଦାରଗୌରୀର କେଦାରେଶ୍ୱର ମହାଦେବ, ଗୋସାଗରେଶ୍ୱର ମନ୍ଦିର ପରିସରରେ ଥିବା ପଦାରେଶ୍ୱର ଓ ଐଶାନେଶ୍ୱର ମହାଦେବ, ରଥ ଦାଣ୍ଡରେ ଥିବା ବୈଇତାଳ ମନ୍ଦିର ଓ ଶିଶିରେଶ୍ୱର ମନ୍ଦିର ଠାକୁର ବର୍ଷା ହେଲେ ପାଣିରେ ବୁଡ଼ି ରୁହନ୍ତିି। ବିଭିନ୍ନ ମନ୍ଦିରରେ ମହାଦେବ ମୂର୍ତ୍ତିି ପାଣିରେ ବୁଡ଼ି ରହିବା ଓ ନିୟମିତ ପାଣି ଗଳୁଥିବାରୁ ମନ୍ଦିରଗୁଡ଼ିକ ଦିନକୁ ଦିନ ଦୁର୍ବଳ ହେଉଥିବା ଐତିହାସିକମାନେ ମତ ଦେଇଛନ୍ତି। ଏଏସ୍‌ଆଇ ପକ୍ଷରୁ ଅନୁଧ୍ୟାନ କରାଯାଇ ବେଳ ଥାଉ ଥାଉ ପ୍ରତିକାର କରାନଗଲେ ଏହିସବୁ କୀର୍ତ୍ତିରାଜିଗୁଡ଼ିକ ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି। ଏନେଇ ଐତିହ୍ୟ ସଂରକ୍ଷକ ଅରୁଣ କୁମାର ନାୟକ କୁହନ୍ତି ପାଣି ବହୁ ଦିନ ଜମି ରହିଲେ କୀର୍ତିରାଜି ନଷ୍ଟ ହେବାର ସମ୍ଭାବନା ରହିଛି। ଏଥି ପାଇଁ ପୂର୍ବରୁ ପ୍ରତିକାର ଆବଶ୍ୟକ ରହିଛି। ଏନେଇ ଏଏସ୍‌ଆଇର ଅଧିକାରୀ କୁହନ୍ତି ଐତିହ୍ୟସ୍ଥଳୀରେ ପାଣି ଜମିବା ଓ ପାଣି ଗଳିବା ନେଇ ଅନୁଧ୍ୟାନ ଚାଲିଛି। ପ୍ରତିକାର ପାଇଁ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର