ରାତି ପାହିଲେ ହୋଲି : ସହର ଉତ୍ସବମୁଖର

ଭୁବନେଶ୍ୱର : କୁହୁତାନରେ କୋଇଲି କେବେଠୁ ଦେଇ ସାରିଲାଣି ବସନ୍ତର ବାର୍ତା। ତନୁମନକୁ ରୋମାଞ୍ଚିତ କଲାଣି ମଳୟର ମୃଦୁ ମୃଦୁ ପରଶ। ଗାଁ ଗାଁ ବୁଲିଲାଣି ଦୋଳ ବିମାନ। ଫଗୁ ଲାଗି ହେବା ସହ ଭୋଗ ଖାଇଲେଣି ରାଧାବିନୋଦ। ହୋଲି ପାଇଁ ପ୍ରସ୍ତୁତ ହୋଇଗଲେଣି ସମସ୍ତେ। ସେଥିରୁ ରାଜଧାନୀ ବା ବାଦ୍‌ ପଡ଼ନ୍ତା କେମିତି। ଏବେଠୁ ଉତ୍ସବମୁଖର ହୋଇ ଉଠିଲାଣି ସାରା ସହର। ସହରର ବିଭିନ୍ନ ମନ୍ଦିରରେ ଦୋଳ ପୂର୍ଣ୍ଣମା ପାଇଁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି।

ଅନ୍ୟପକ୍ଷରେ ହୋଲିର ଦୁଇ ଦିନ ପୂର୍ବରୁ ଆଜିଠାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛୁଟି ପଡ଼ି ଯାଉଥିବାରୁ ଧୁମ୍‌ଧାମ୍‌ରେ ହୋଇସାରିଲାଣି ହୋଲି ସେଲିବ୍ରେସନ। ‘ବୁରା ନା ମାନୋ ହୋଲି ହୈ’ ଶବ୍ଦରେ ଫାଟି ପଡ଼ୁଥିଲା ଗଗନ ପବନ। ଛାତ୍ରଛାତ୍ରୀମାନେ ପରସ୍ପରକୁ ଅବିର ବୋଳି ହୋଲିକୁ ଆଗୁଆ ସ୍ୱାଗତ କରୁଥିଲେ। ଗୁରୁବାର ମଧ୍ୟ କିଛି ସ୍ଥାନରେ ରଙ୍ଗ ଖେଳ ହେବ। ତେବେ ଅସଲ ହୋଲି ଜମିବ ଶୁକ୍ରବାର।

ଆକାଶରେ ହେବ ରଙ୍ଗର ହୋଲି

ପୁରୁଣା ଭୁବନେଶ୍ୱର : କପିଳେଶ୍ୱର ମନ୍ଦିର ନିକଟ ମଣିକର୍ଣ୍ଣିକା ପୁଷ୍କରିଣୀ ନିକଟରେ ବିଭିନ୍ନ ଆତସବାଜିରେ ଦୋଳ ପୂର୍ଣ୍ଣିମା ରାତିରେ ଆକାଶ ରଙ୍ଗିନ ହେବ। ଏହି ଅବସରରେ ସେଠାରେ ରାତ୍ରି ୧୧ଟାରୁ ୩ଟା ପର୍ଯ୍ୟନ୍ତ ଗ୍ରାମର ୫ଟି ସାହି ମଧ୍ୟରେ ବିଭିନ୍ନ ଆତସବାଜୀ ପ୍ରଦର୍ଶନ କରାଯିବ। ଆସମାନ ରକେଟ୍‌, ରକେଟ୍‌, ଆସମାନ ଗୁଳା, କାରଗିଲ ରକେଟ୍‌, ପାଣିକୁଆ, ପାଣି ଫୋଟକା, ଆସମାନ ଦୀପ, ଚନ୍ଦ୍ରଦୀପ, ଗଛ, ଚେଙ୍ଗା ଭଳି ୫୦କିସମର ବାଣ ଆକାଶରେ ଝଲିସିବ। ଉକ୍ତଦିନ ମହାପ୍ରଭୁ ଶ୍ରୀ କପିଳନାଥଙ୍କୁ ଶହ ଶହ ଭକ୍ତଙ୍କ ଦ୍ଵାରା ଦୋଳ ଭୋଗ ଲାଗି କରାଯିବ।

ଦୋଳ ପୂର୍ଣ୍ଣିିମାରେ କମ୍ପିବ ଏକାମ୍ର କ୍ଷେତ୍ର

ଦୋଳ ପୂର୍ଣ୍ଣିିମା ତିଥିରେ ରଥଖଳାଠାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା’ପାର୍ବତୀ ସର୍ବସାଧାରଣ ଭକ୍ତଙ୍କ ଭୋଗ ଖାଇବେ। ମନ୍ଦିରରେ ଭୋଗ ମଣ୍ଡପ ନୀତି ବେଳେ ପାଲିଙ୍କି ଓ ବିମାନରେ ଦେବାଦେବୀ ମହାଖଳାକୁ ଯାତ୍ରା କରିବେ। ରାସ୍ତାର ଗୋଟିଏ ପାର୍ଶ୍ୱ ଝୁଲଣରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମା ପାର୍ବତୀ, ମା ରୁକି୍ମଣୀ ଦୋଳି ଖେଳିବା ବେଳେ ଅନ୍ୟ ପାର୍ଶ୍ୱରେ ଶ୍ରୀବାସୁଦେବ ଦୋଳି ଖେଳିବେ। ମହାପ୍ରଭୁ ଦୋଳିରେ ଝୁଲୁଥିବା ବେଳେ ସାଧାରଣ ଭକ୍ତମାନେ ଫଗୁ ଲାଗି କରିବେ। ଏହି ଅପୂର୍ବ ଦୃଶ୍ୟ ଦେଖିବା ସହ ଭୋଗ ଲାଗି ପାଇଁ ବହୁ ଭକ୍ତ ସାମିଲ ହୋବ। ଏହି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଭଜନ ପରିବେଷଣ କରାଯିବ।

ଭଙ୍ଗା ହେବ ଦହି ହାଣ୍ଡି

ହୋଲି ଦିନ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଦହି ହାଣ୍ଡି ଭଙ୍ଗା ହେବ। ରାମାୟଣୀ ଯୁବ ପରିଷଦ ପକ୍ଷରୁ ହୋଲି ମିଳନ ଉତ୍ସବରେ ବିଭିନ୍ନ ଯୁବ ଗୋଷ୍ଠୀ ମଧ୍ୟରେ ପ୍ରତିଯୋଗିତା ହେବ। ଏଥି ସହ ମେଲୋଡି ଓ ଆଧୁନିକ ନୃତ୍ୟ ପରିବେଷଣ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସେହିପରି ଭାରତୀ ମଠ ସାହି, ପାଟଣା ସାହି, ଡାକ ବଙ୍ଗଳା ଛକରେ ଦହି ହାଣ୍ଡି ଭଙ୍ଗାଯିବ।

ରାମକୃଷ୍ଣ ମଠରେ ନାମ ସଂକୀର୍ତନ

ପ୍ରବିତ୍ର ଦୋଳ ପୂର୍ଣ୍ଣିିମା ଉପଲକ୍ଷେ ରାମକୃଷ୍ଣ ମିଶନ ପକ୍ଷରୁ ରାମକୃଷ୍ଣ ମଠ ପରିସରରେ ସଂକୀର୍ତନ କରାଯିବ। ଏଥି ସହ ରାମକୃଷ୍ଣ ଛାତ୍ରାବାସର ପିଲାମାନେ ଅଭିରରେ ରଙ୍ଗ ଖେଳି ଦୋଳ ପର୍ବ ପାଳନ କରାଯିବ।

ପାର୍କରେ ହୋଲି ପାଳିବେ ମୁରବି

ହୋଲି ଦିନ ଫରେଷ୍ଟ୍‌ ପାର୍କରେ ବିଭିନ୍ନ ମୁରବିଙ୍କ ଦ୍ଵାରା ହୋଲି ପର୍ବ ପାଳନ ହେବ। ବିଭିନ୍ନ ହର୍ବାଲ ରଙ୍ଗ ଓ ଫଗୁରେ ରଙ୍ଗ ଖେଳ ହେବ ବୋଲି ନିୟୁ ଫରେଷ୍ଟ ପାର୍କ ମର୍ଣ୍ଣିିଂୱାକ୍‌ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି।

ଶ୍ରୀ ଲିଙ୍ଗରାଜଙ୍କ ଅଗ୍ନି ଉତ୍ସବ ସମ୍ପନ୍ନ

ପୁରୁଣା ଭୁବନେଶ୍ୱର :ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଅଗ୍ନି ଉତ୍ସବ ଆଜି ରାତିରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଶ୍ରୀ ଲିଙ୍ଗରାଜ, ମା ପାର୍ବତୀ, ମା ରୁକ୍ମିଣୀ, ଶ୍ରୀ ବସୁଦେବ ଆଜି ରାତି ପ୍ରାୟ ସାଢ଼େ ୮ଟାରେ ଜମଶ୍ୱେର ମନ୍ଦିର ନିକଟରେ ଭାରତୀ ମଠକୁ ଭୋଗ ଖାଇବାକୁ ଆସିଥିଲେ। ସେଠାରେ ଶତାଧିକ ଶ୍ରଦ୍ଧାଳୁ ଭୋଗ ଲାଗି କରାଯିବା ସହ ଠାକୁରଙ୍କୁ ଅବିର ଲାଗି କରିଥିଲେ। ଏହାପରେ ଜମେଶ୍ୱର ପାଟଣା ସାହି ମଧ୍ୟ ଦେଇ ପରକରଣ ସାହିକୁ ଭୋଗ ଖାଇବାକୁ ଯାଇଥିଲେ। ସେହିପରି ଠାକୁର ରାତିରେ ବାଟ କୂଅମୁହଁ ବଡ଼ୁ ସାହିଠାରେ ଭୋଗ ଖାଇଥିଲେ। ସେଠାରୁ ଫେରିବା ପରେ ଅଗ୍ନି ଉତ୍ସବ ସମ୍ପନ୍ନ ହୋଇଛି। ସ୍ଥାନୀୟ ରଥଗଡ଼ା ଛକ ମହାଖଳାଠାରେ ପ୍ରଥମେ ଖଟୁଲିରେ ବସିବା ପରେ ନୀତି ପୂଜା, ହୋମ କରାଯାଇଥିଲା। ମହାପ୍ରଭୁ ସେଠାରେ ୭ଥର ପରିକ୍ରମା କରିବା ପରେ ଆଳତି କରାଯାଇ ଅଗ୍ନି ସଂଯୋଗ ହୋଇ ଏହି ଉତ୍ସବ ପାଳନ ହୋଇଥିଲା। ମହାଖଳାଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥବା ନଡ଼ା ଓ କାଠର ଗଦାରେ ଆଳତି ଦ୍ଵାରା ଅଗ୍ନି ସଂଯୋଗ ହୋଇଥିଲା। ବିଭିନ୍ନ ଭକ୍ତମାନେ ଶ୍ରୀଫଳ, ବିଭିନ୍ନ ଫଳ ଓ ପରିବା ଅର୍ପଣ କରିଥିଲେ।

କପିଳନାଥଙ୍କ ଗଡ଼ ଯାତ୍ରା

ମହାପ୍ରଭୁ ଶ୍ରୀ କପିଳନାଥ ଓ ଦୋଳ ଗୋବିନ୍ଦଙ୍କ ଗଡ଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ରାତି ପ୍ରାୟ ୧୨ଟାରେ ସେବାୟତମାନେ ଠାକୁରଙ୍କୁ ସୁସଜ୍ଜିତ କରି ବିମାନରେ ସୁନ୍ଦରପଦା ଓ କପିଳେଶ୍ୱର ଗ୍ରାମକୁ ନେଇଥିଲେ। ସେଠାରେ ଠାକୁରଙ୍କୁ ବିଭିନ୍ନ ସାହିରେ ଭୋଗ ଲାଗି କରଯାଇଥିଲା। ଏନେଇ କପିଳେଶ୍ୱର ଓ ସୁନ୍ଦରପଦା ଅଞ୍ଚଳ ଉତ୍ସବ ମୁଖରିତ ହୋଇ ଉଠିଥିଲା। ଠାକୁରଙ୍କ ବିଜେ ପାଇଁ ଘର ଆଗରେ ପାଞ୍ଚ ରଙ୍ଗର ମୁରୁଜ ପକାଇ ସ୍ୱାଗତ କରିଥିଲେ। ଏହି ଅବସରରେ ନାମ ସଂକୀର୍ତନ ଓ ଆତସବାଜୀ କରାଯାଇଥିଲା। ରାତି ତମାମ ଠାକୁର ଭୋଗ ଖାଇ କପିଳେଶ୍ୱର ମନ୍ଦିର ସମ୍ମୁଖରେ ଥିବା ଦୋଳ ବେଦୀକୁ ପ୍ରତ୍ୟାବର୍ତନ କରିଥିଲେ। ସେଠାରେ ହୋମ ପୂଜା ହୋଇ ଦୋଳ ବେଦୀ ଚାରିପଟେ ଠାକୁର ୩ଘେରା ବୁଲିବା ପରେ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ।

ସମ୍ବନ୍ଧିତ ଖବର