ହୋମିଓପ୍ୟାଥିକ ଡାକ୍ତରଙ୍କ ରାଜଧାନୀ ମୋହ ଛାଡ଼ୁନି

ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ

ଭୁବନେଶ୍ୱର (କ୍ଷିତୀଶ ରାୟ): ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ମଧ୍ୟ କ୍ୟାପିଟାଲ ହସ୍ପିଟାଲ ଭଳି ସମାନ ଅବସ୍ଥା। ଏଠାରେ ଏକାଧିକ ଡାକ୍ତର ଓ ଅଧ୍ୟାପକ ବର୍ଷ ବର୍ଷ ଧରି ରାଜଧାନୀ ଛାଡ଼ୁ ନାହାନ୍ତି। ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ଏକପ୍ରକାର ଚାକିରି ଜୀବନ ଆରମ୍ଭ ହୋଇ ଶେଷ ହୋଇଯାଇଛି। ବଦଳି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ ନ ଥିବାରୁ ଏଭଳି ସୁଯୋଗ ମିଳୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅବସର ପରେ ମଧ୍ୟ ଠିକା ନିଯୁକ୍ତି ଜରିଆରେ କଲେଜରେ ପାଠ ପଢ଼ାଇବାର ସୁଯୋଗ ମିଳିଯାଉଛି। ଫଳରେ ରାଜ୍ୟର ଅନ୍ୟ ୩ଟି କଲେଜରେ ଥିବା ଡାକ୍ତର କିମ୍ବା ଅଧ୍ୟାପକଙ୍କୁ ଡା.ଅଭିନ ଚନ୍ଦ୍ରକୁ ଆସିବାର ସୁଯୋଗ ମିଳୁନାହିଁ। ଏହା ସହ ମେଡିକାଲ କଲେଜରେ ପାର୍ଟ ଟାଇମ ଶିକ୍ଷକ ନିଯୁକ୍ତିରେ ବ୍ୟାପକ କେଳେଙ୍କାରୀ ହେଉଛି। ମନଇଛା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ସହିତ କେଉଁମାନେ ପାଠ ପଢ଼ାଉଛନ୍ତି କି ନାହିଁ, ତାହାର ମଧ୍ୟ ଯାଞ୍ଚ ହେଉନାହିଁ। ଫଳରେ କଲେଜରେ ପାଠପଢ଼ା ମନମୁଖୀ ପାଲଟି ଯାଇଛି।

ଚାକିରି, ଅବସର ଓ ଠିକା ନିଯୁକ୍ତି
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲର ଅଧ୍ୟକ୍ଷ ତଥା ଅଧୀକ୍ଷକଙ୍କୁ ମିଶାଇ ସମୁଦାୟ ୩୧ଜଣ ପ୍ରଫେସର, ରିଡର, ଅଧ୍ୟାପକ ଓ ହୋମିଓପ୍ୟାଥିକ ମେଡିକାଲ ଅଫିସର ବା ଏଚ୍‌ଏମ୍‌ଓ ରହିଛନ୍ତି। ଏଥିରୁ୧୦ରୁ ଅଧିକ ମେଡିକାଲ ଅଫିସର ଓ ଜଣେ ଅଧ୍ୟାପକ ୧୦ବର୍ଷରୁ ଅଧିକ ସମୟ ଧରି ରହିଛନ୍ତି। ହୋମିଓପ୍ୟାଥିକ ମେଡିକାଲ ଅଫିସର ଡା. ଆର. ପ୍ରଧାନ ସର୍ବାଧିକ ୩୦ବର୍ଷ ଧରି କଲେଜରେ ରହିଛନ୍ତି। ତାଙ୍କ ପଛକୁ ଡା. ଏସ୍‌. ଆର ବେହେରା ଓ ଡା. କେ. ଆର ପ୍ରହରାଜ ୨୧ବର୍ଷ ଧରି ଅଛନ୍ତି। ମିନି ଫାର୍ମାସିରେ ଥିବା ଡା. ବି. ନାୟକ ୨୦ବର୍ଷ, ଡା. ଏସ୍‌. ପଣ୍ଡା ୧୫ବର୍ଷ, ଡା. ବି ଏସ୍‌ କେ ସୁବୁଦ୍ଧି ୧୪ବର୍ଷ, ଡା. କେ.ଏନ୍‌ ନାୟକ ୧୩ବର୍ଷ, ଡା.ଜେ.ନନ୍ଦ, ଡା.ଏମ୍‌.କର ଓ ଡା.ପି.ଏସ୍‌ ପାଣି ୧୧ବର୍ଷ ଲେଖାଏଁ, ଡା.ପି.ବି ପ୍ରଧାନ ୧୦ବର୍ଷ, ଡା.ଏସ୍‌.କେ ମହାପାତ୍ର ଓ ଡା.ପି.କେ ରଥ ୮ବର୍ଷ ଧରି ରହିଛନ୍ତି।

ପାର୍ଟ ଟାଇମ ଶିକ୍ଷକ ନିଯୁକ୍ତିରେ କେଳେଙ୍କାରୀ
ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ପାର୍ଟ ଟାଇମ୍‌ ଶିକ୍ଷକ ନିଯୁକ୍ତି ନାଁରେ ମଧ୍ୟ କେଳେଙ୍କାରୀ ହୋଇଛି। କଲେଜରେ କେତେ ସଂଖ୍ୟକ ପାର୍ଟ ଟାଇମ ଶିକ୍ଷକ ନିଯୁକ୍ତି ହୋଇପାରିବେ ଓ ସେମାନଙ୍କୁ ଗତ ୫ବର୍ଷ ମଧ୍ୟ କେତେ ଟଙ୍କା ଦରମା ଦିଆଯାଇଛି, ତାହାର ଏକ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ମଗା ଯାଇଥିଲା। କଲେଜ କର୍ତୃପକ୍ଷ ୨୦୦୮ ମସିହାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ଏକ ଚିଠିର ନକଲ ପ୍ରଦାନ କରିଛନ୍ତି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି, ଡା. ଅଭିନ ଚନ୍ଦ୍ର ମେଡିକାଲ କଲେଜରେ ସର୍ବାଧିକ ୨୨ଜଣ ଓ ରାଉରକେଲାସ୍ଥିତ ହୋମିଓପ୍ୟାଥିକ ମେଡିକାଲ କଲେଜରେ ସର୍ବାଧିକ ୧୯ଜଣ ପାର୍ଟ ଟାଇମ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇପାରିବ। ପ୍ରତ୍ୟେକ ପାର୍ଟ ଟାଇମ ଶିକ୍ଷକଙ୍କୁ ୧ଘଣ୍ଟା କ୍ଲାସ୍‌ ପିଛା ୧୨୦-୧୫୦ ଟଙ୍କା ପ୍ରଦାନ କରାଯିବା ସହିତ ଜଣେ ଗୋଟିଏ ମାସରେ ସେମାନେ ସର୍ବାଧିକ ୧୦ଟି କ୍ଲାସ୍‌ କରିପାରିବେ। ତେବେ ୨୦୧୭/୧୮ବର୍ଷରେ କଲେଜରେ ୧୧ଜଣ ପାର୍ଟ ଟାଇମ ଶିକ୍ଷକ ନିଯୁକ୍ତ ହୋଇଥିବା କର୍ତୃପକ୍ଷ କହିଛନ୍ତି। ଯଦି ୧୧ଜଣ ପାର୍ଟ ଟାଇମ୍‌ ଶିକ୍ଷକଙ୍କୁ ସର୍ବାଧିକ ୧୫୦ଟଙ୍କା ଆକାରରେ ୧୦ଟି କ୍ଲାସ୍‌ ପାଇଁ ମାସିକ ୧୫ଶହ ଟଙ୍କା ଦିଆଯାଏ ତେବେ ବର୍ଷକୁ ତାଙ୍କୁ ସମୁଦାୟ ୧୮ହଜାର ଟଙ୍କା ମିଳିବ। ସେହିପରି ୧୧ଜଣ ପାର୍ଟ ଟାଇମ୍‌ ଶିକ୍ଷକଙ୍କ ପାଇଁ ବାର୍ଷିକ ୧ଲକ୍ଷ ୯୮ହଜାର ଟଙ୍କା ଖର୍ଚ ହେବ। ମାତ୍ର ୨୦୧୭/୧୮ବର୍ଷରେ ପାର୍ଟ ଟାଇମ ଶିକ୍ଷକଙ୍କ ପାଇଁ କଲେଜ କର୍ତୃପକ୍ଷ ୨ଲକ୍ଷ ୯୩ହଜାର ୬୫୦ଟଙ୍କା ଖର୍ଚ କରିଛନ୍ତି। ଫଳରେ ପ୍ରାୟ ୧ଲକ୍ଷ ଟଙ୍କା କାହା ପିଛା ଖର୍ଚ ହୋଇଛି, ତାହାର ହିସାବ ମିଳୁନାହିଁ। ସେହିପରି ୨୦୧୩/୧୪ବର୍ଷରେ କଲେଜ କର୍ତୃପକ୍ଷ ପାର୍ଟ ଟାଇମ୍‌ ଶିକ୍ଷକଙ୍କ ପିଛା ୫ଲକ୍ଷ ୨୭ହଜାର ୪ଶହ ଟଙ୍କା ଖର୍ଚ କରିଛନ୍ତି। ମାତ୍ର କେତେ ଜଣ ପାର୍ଟ ଟାଇମ ଶିକ୍ଷକ ନିଯୁକ୍ତ ହୋଇଛନ୍ତି, ତାହା ଦର୍ଶାଇ ନାହାନ୍ତି। ଯଦି କଲେଜରେ ସର୍ବାଧିକ ୨୨ଜଣ ପାର୍ଟ ଟାଇମ୍‌ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଏ ଓ ସ୍ୱାସ୍ଥ୍ୟ ବିଭାଗର ନିୟମ ଅନୁଯାୟୀ ଟଙ୍କା ଦିଆଯାଏ ତାହାଲେ ସେମାନଙ୍କ ପିଛା ୩ଲକ୍ଷ ୯୬ହଜାର ଟଙ୍କା ଖର୍ଚ ହେବ। କିନ୍ତୁ ଅତିରିକ୍ତ ୧ଲକ୍ଷ ୩୧ହଜାର ୪ଶହ ଟଙ୍କା କାହା ପିଛା ଖର୍ଚ ହେଲା ତାହାର ହିସାବ ନାହିଁ। ସେହିପରି ୨୦୧୪/୧୫ରେ ପାର୍ଟ ଟାଇମ ଶିକ୍ଷକଙ୍କ ଦରମା ବୃଦ୍ଧି ପାଇ ବାର୍ଷିକ ୫ଲକ୍ଷ ୩୫ହଜାର ୪୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୦୧୫/୧୬ରେ ୩ଲକ୍ଷ ୫୧ହଜାର ଓ ୨୦୧୬/୧୭ରେ ୩ଲକ୍ଷ ୨୦ହଜାର ୨୫୦ ଟଙ୍କା ଖର୍ଚ ହୋଇଛି। ଏହିସବୁ ବର୍ଷଗୁଡ଼ିକରେ କେତେ ସଂଖ୍ୟକ ପାର୍ଟ ଟାଇମ ଶିକ୍ଷକ ନିଯୁକ୍ତ ହୋଇଛନ୍ତି ତାହାର ତଥ୍ୟ ଦେଇ ନାହାନ୍ତି କଲେଜ କର୍ତୃପକ୍ଷ।

ଏସବୁର ତଦନ୍ତ କରାଯିବ: ଆୟୁଷ ନିର୍ଦେଶକ
ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜ ଏଣ୍ଡ ହସ୍ପିଟାଲରେ ବର୍ଷ ବର୍ଷ ଧରି ଏଚ୍‌ଏମ୍‌ଓ ଓ ଅଧ୍ୟାପକ ରହିବା ନେଇ ରାଜ୍ୟ ଆୟୁଷ ନିର୍ଦେଶକ ଅଶ୍ୱିନୀ ମିଶ୍ର କହିଛନ୍ତି, ୩ବର୍ଷ କିମ୍ବା ୬ବର୍ଷରେ ବଦଳି ହେବାର ନିୟମ ରହିଛି। ମାତ୍ର କେଉଁ ପରିସ୍ଥିତିରେ ସେମାନେ ଏତେ ବର୍ଷ ଧରି ରହିଛନ୍ତି, ତାହାର ଯାଞ୍ଚ ହେବ। ଏହା ସହ ପାର୍ଟ ଟାଇମ ଶିକ୍ଷକ ନିଯୁକ୍ତିରେ ଯେଉଁ କେଳେଙ୍କାରୀ ଅଭିଯୋଗ ଆସୁଛି, ତାହାର ତଦନ୍ତ କରାଯିବ। ଡା. ଅଭିନ ଚନ୍ଦ୍ର ହେଉଛି ଦେଶର ଦ୍ୱିତୀୟ ସର୍ବ ପୁରାତନ ହୋମିଓପ୍ୟାଥିକ କଲେଜ। କଲେଜର କିଭଳି ସର୍ବାଙ୍ଗୀନ ଉନ୍ନତି ହେବ, ସେଥିପାଇଁ ଉଦ୍ୟମ କରାଯାଉଛି। ମିନି ଫାର୍ମାସି କିଭଳି ଚାଲୁ ହେବ ଓ ଆବଶ୍ୟକ ଔଷଧ ମିଳିପାରିବ, ସେଥିପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର