ଏସ୍‌ପ୍ଲାନେଡ୍ ମଲ୍‌ ନିୟମ ମାନୁନି, ଲୋକଙ୍କୁ ନାଲି ଆଖି ଦେଖାଇ ବେଆଇନ୍ ଭାବେ ପାର୍କିଂ ଫି’ ଆଦାୟ କରୁଛି

ଭୁବନେଶ୍ବର : କୌଣସି ସପିଂ ମଲ୍‌ ପାର୍କିଂ ଫି’ ଆଦାୟ କରିପାରିବେନି। ଯିଏ ପାର୍କିଂ ଫି’ ଆଦାୟ କରିବ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହିଭଳି ନିୟମ ତିନି ଦିନ ହେଲା ବିଡିଏ କଲାଣି। ଦୁଇ ଦିନ ବିଭିନ୍ନ ସପିଂ ମଲ୍‌ ନିୟମ ନମାନି ପାର୍କିଂ ଫି’ ଆଦାୟ କରିବାରୁ ବିଡିଏ ନୋଟିସ୍ ପଠାଇଲା, ପିଓଏସ୍ ମେସିନ୍ ଜବତ କଲା। ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଧମକ ଦେଲା। ଫଳରେ କାଲି ଯେଉଁମାନେ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରୁଥିଲେ, ଆଜି ସେମାନେ ଆଦାୟ କଲେନି।

ହେଲେ ରସୁଲଗଡ଼ ଛକ ନିକଟରେ ଥିବା ଏସପ୍ଲାନେଡ୍ ୱାନ୍ ସପିଂ ମଲ୍‌ କର୍ତ୍ତୃପକ୍ଷ ବିଡିଏର ନିୟମ ନମାନିବା ମୁଡ୍‌ରେ। ଏତେ ତନାଘନା ପରେ ବି ଆଜି ଲୋକଙ୍କଠାରୁ ପାର୍କିଂ ଫି’ ଆଦାୟ କରିଛନ୍ତି। ଦିନ ଦ୍ବିପ୍ରହରରେ ଲୋକଙ୍କୁ ଧମକ ଦେଇ ପାର୍କିଂ ଫି’ ଆଦାୟ ହେଉଥିଲେ ହେଁ ଏଠାରେ ବିଏମ୍‌ସି କି ବିଡିଏ ଅଧିକାରୀଙ୍କ ଦେଖା ମିଳିନଥିଲା। ଏପରିକି କମିସନରେଟ୍‌ ପୁଲିସ ପକ୍ଷରୁ ବି କିଛି ପଦକ୍ଷେପ ନିଆଯାଇନଥିଲା।

ଗୋଟିଏ ମଲ୍‌ ଆଗରେ ବିଏମ୍‌ସି, ବିଡିଏ, କମିସନରେଟ୍ ପୁଲିସର କାଢ଼ୁଆପଣ ପୂରା ଫୁସ୍‌କି ‌ଯାଇଛି। ଲୋକଙ୍କୁ ନାଲି ଆଖି ଦେଖାଇ ଗୋଟିଏ ମଲ୍‌ ବେଆଇନ୍ ଭାବେ ପାର୍କିଂ ଫି’ ଆଦାୟ କରୁଛି, ବିଡିଏ, ବିଏମ୍‌ସି ନିୟମକୁ ‌ଖୋଲାଖୋଲି ଉଲ୍ଲଂଘନ କରୁଛି, ଯେଉଁ ମଲ୍‌ ପାଇଁ କଟକ ରୋଡ୍‌ ରସୁଲଗଡ଼ ଶିଳ୍ପାଞ୍ଚଳ ପୂରା ଅସ୍ତବ୍ୟସ୍ତ ହୋଇଗଲାଣି, ସେଭଳି ଗୋଟିଏ ସଂସ୍ଥାକୁ କାହିଁକି ଏତେ ଦରଦ ଦେଖାଯାଉଛି ବୋଲି ପ୍ରଶ୍ନ ଉଠିଲାଣି।

ସରକାରୀ ଅଧିକାରୀଙ୍କ ଏତାଦୃଶ କାର୍ଯ୍ୟ ଦେଖି ଲୋକ କହିଲେଣି ଯେ ମଲ୍‌ କର୍ତ୍ତୃପକ୍ଷଙ୍କ ସହ ବିଡିଏ, ବିଏମ୍‌ସି ଓ କମିସନରେଟ୍‌ ପୁଲିସର ବଡ଼ବାବୁମାନଙ୍କର କିଛି ଭିତିରିଆ ସମ୍ପର୍କ ରହିଛି ବୋଧେ। ଯେଉଁଥିପାଇଁ ସେମାନେ ଏହି ମଲ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛନ୍ତି।

ଅପରପକ୍ଷେ ଆଜି କିଛି ଲୋକ ପାର୍କିଂ ଫି’ ଦେବେନି ବୋଲି କହିବାରୁ ସେମାନଙ୍କୁ ବାହାରେ ରାସ୍ତା ଉପରେ ଗାଡ଼ି ପାର୍କିଂ କରନ୍ତୁ ବୋଲି ସୁରକ୍ଷା କର୍ମୀ କହିଥିଲେ। ଏହା ପରେ କିଛି ଲୋକ ରାସ୍ତା‌କଡ଼‌େର ଗାଡ଼ି ପାର୍କିଂ କରିବାରୁ ରାସ୍ତା ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷା କର୍ମୀ କିଛି ଲୋକଙ୍କୁ କହିଥିଲେ ଯେ ଆମେ ବିଡିଏ ନିର୍ଦ୍ଦେଶ କିଛି ପାଇନୁ। ଆମକୁ ପାର୍କିଂ ଫି’ ଆଦାୟ କରିବାକୁ ମଲ୍‌ର ବରିଷ୍ଠ ଅଧିକାରୀ କହିଛନ୍ତି। ତେଣୁ କରୁଛୁ।

ସମ୍ବନ୍ଧିତ ଖବର