ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍‌ ବ୍ୟାଙ୍କ ଉଦ୍‌ଘାଟିତ

ଗ୍ରାମାଞ୍ଚଳ ଲୋକଙ୍କୁ ସହାୟକ ହେବ ଆଇପିପିବି

ଭୁବନେଶ୍ୱର: ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍‌ ବ୍ୟାଙ୍କ ବା ଆଇପିପିବି ଆଜି ଭୁବନେଶ୍ୱରସ୍ଥିତ ଓଡ଼ିଶା ଡାକ ପରିମଣ୍ଡଳ ପରିସରରେ ଉଦ୍‌ଘାଟିତ ହୋଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ରାଜ୍ୟରେ ଆଇପିପିବିର ୩୩ଟି ଶାଖା ଓ ୧୬୫ଟି ଆକ୍ସେସ୍‌ ପଏଣ୍ଟ ଏବେ କାର୍ଯ୍ୟ କରିବ। ଚଳିତବର୍ଷ ଶେଷ ସୁଦ୍ଧା ରାଜ୍ୟର ଅବଶିଷ୍ଟ ୮୦୫୦ ଡାକଘରେ ଏହି ସୁବିଧା ଉପଲବ୍ଧ ହେବ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଲେ, ବନ୍ଦ ହେବାକୁ ଯାଉଥିବା ଏକ ବିଭାଗକୁ ଜୀବନ୍ୟାସ ଦେବାରେ ଏହି ଯୋଜନା ସଫଳ ହେବ। ରାଜ୍ୟର ୪ ହଜାରରୁ ଅଧିକ ଗ୍ରାମପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ନାହିଁ। ତେଣୁ ଆଇପିପିବି ଗାଁ ଗହଳିରେ ରହୁଥିବା ଲୋକମାନଙ୍କ ପାଇଁ ସହାୟକ ହୋଇପାରିବ। ଆଗାମୀ ଦିନରେ ଗୋଟିଏ ସରକାରୀ ଓ କିଛି ବେସରକାରୀ ବ୍ୟାଙ୍କ ସହିତ ଡାକ ବିଭାଗର ବୁଝାମଣାପତ୍ର ସ୍ୱାକ୍ଷରିତ ହେବାକୁ ଯାଉଛି। ଯାହାଫଳରେ ବ୍ୟାଙ୍କର ଋଣ ସେବା ମଧ୍ୟ ଗାଁ ଲୋକମାନେ ପାଇପାରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କାମିଲା କହିଲେ, ଆଇପିପିବି ସମସ୍ତ ଡାକଘର ପରିସରରେ କାର୍ଯ୍ୟ କରିବ। ୧୩୬୭ ପୋଷ୍ଟମ୍ୟାନ ଓ ୭୦୦୯ ଡାକ ବିତରକଙ୍କ ଜରିଆରେ ଏହି ସେବା ଲୋକଙ୍କ ପାଖରେ ପହଞ୍ଚିବ। ଆଧାର କାର୍ଡ ଓ ବାୟୋମେଟ୍ରିକ ପ୍ରମାଣୀକରଣ ଦ୍ୱାରା ଗ୍ରାହକମାନେ ଆଇପିପିବି ସଞ୍ଚୟଖାତା ଖୋଲିପାରିବେ। କ୍ୟୁଆର କାର୍ଡ ସହାୟତାରେ ଗ୍ରାହକମାନେ ଖୁବ ସହଜରେ ଅର୍ଥ ବିନିମୟ କରିପାରିବେ। ଗ୍ରାହକମାନଙ୍କୁ ଆକଉଣ୍ଟ ନମ୍ବର କିମ୍ବା ପିନ୍‌ ନମ୍ବର ମନେ ରଖିବାକୁ ପଡ଼ିବ ନାହିଁ ବୋଲି ଶ୍ରୀ କାମିଲା କହିଥିଲେ। ଏହି ଅବସରରେ ଆଇପିପିବି ଉପରେ ଏକ ସ୍ୱତନ୍ତ୍ର ଲଫାଫା ମୁଖ୍ୟ ମହା ଡାକପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହାସହ ଆଇପିପିବିରେ ନୂତନ ଖାତା ଖୋଲିଥିବା ସମସ୍ତ ଗ୍ରାହକମାନଙ୍କୁ କ୍ୟୁଆର କାର୍ଡ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ନିର୍ଦେଶକ(ମୁଖ୍ୟାଳୟ) ଜି.ଗୁରୁନାଥନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇପିପିବି ଭୁବନେଶ୍ୱର ଶାଖାର ବରିଷ୍ଠ ପ୍ରବନ୍ଧକ ଦୁର୍ଗା ମାଧବ ପରିଡ଼ା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର